ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି କ୍ରିକେଟ ପିଚ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ଅଛି ଯାହା କୋହଲିଙ୍କୁ ଭାଙ୍ଗିବା ପାଇଁ ହୋଇପାରେ କଷ୍ଟକର।

ବିରାଟ କୋହଲିଙ୍କୁ ନେଇ ଏବେ କ୍ରିକେଟ୍ ମହଲରେ ଖୁବ୍ ଚର୍ଚ୍ଚା। ପଡ଼ିଆରେ ସଫଳ ପ୍ରଦର୍ଶନକୁ ଦେଖି ଭବିଷ୍ୟତରେ ବିରାଟ ସଚିନଙ୍କ ସମକକ୍ଷ ହୋଇପାରିବେ ବୋଲି କ୍ରିକେଟ୍ ବିଶେଷଜ୍ଞଙ୍କ ମତ ଦେବା ଆରମ୍ଭ କଲେଣି।

ଆଇସିସି ଦିନିକିଆ ମାନ୍ୟତାର ୧ ନମ୍ବର ସ୍ଥାନରେ ଥିବାବେଳେ ଟେଷ୍ଟରେ ବିରାଟ ୨ ନମ୍ବର ସ୍ଥାନରେ ରହିଛନ୍ତି। ଇତିମଧ୍ୟରେ ୩୫ଟି ଦିନିକିଆ ଶତକ ମଧ୍ୟ ହାସଲ କରିସାରିଥିବା ବିରାଟ ଆଗାମୀ ଦିନରେ ସଚିନଙ୍କ ରେକର୍ଡ ସହଜରେ ଭାଙ୍ଗିପାରିବେ ବୋଲି କ୍ରିକେଟ୍ ମହଲରେ ଚର୍ଚ୍ଚା ହେଉଛି।

ସଚିନଙ୍କ ନାଁରେ ୧୦୦ଟି ଅନ୍ତର୍ଜାତୀୟ ଶତକ ରହିଛି। ଏହାସହ ସଚିନ ୧୬୪ଟି ଅନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ସଚିନ ୯୬ଟି ଅର୍ଦ୍ଧଶତକ ଦିନିକିଆରେ ହାସଲ କରିଥିବା ବେଳେ ଟେଷ୍ଟରେ ୬୮ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଏହି ମାମଲାରେ ବିରାଟ ବହୁ ପଛରେ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ୮୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ୪୬ଟି ଦିନିକିଆରେ, ୧୬ ଟେଷ୍ଟରେ ଓ ୧୯ଟି ଅର୍ଦ୍ଧଶତକ ଟି-ଟ୍ୱେଣ୍ଟିରେ ହାସଲ କରିଛନ୍ତି।

ଅନ୍ୟପଟେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜଙ୍କ ରେକର୍ଡ ଭାଙ୍ଗିବା ମଧ୍ୟ ବିରାଟଙ୍କ ପାଇଁ ସହଜ ହେବନାହିଁ। ଯୁବରାଜ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୬ଟି ବଲରୁ ୬ଟି ଛକା ମାରି ବିଶ୍ୱରେକର୍ଡ କରିଥିଲେ। ଏହି ରେକର୍ଡକୁ ଭାଙ୍ଗିବା ବିରାଟଙ୍କ ପାଇଁ ସହଜ ହେବ ନାହିଁ।

କେବଳେ ଏତିକି ନୁହେଁ, ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବା ବିରାଟଙ୍କ ପାଇଁ କଷ୍ଟକର ହେବ। ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମାତ୍ର ୩୧ ବଲରେ ଶତକ ହାସଲ କରିଥିଲେ, ଯାହା ଏପର୍ଯ୍ୟନ୍ତ ଅତୁଟ ହୋଇରହିଛି।

ସେ ୨୦୧୫ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏଭଳି କାରନାମା କରିଥିଲେ। କିନ୍ତୁ ବିରାଟଙ୍କ ଦ୍ରୁତ ଶତକ ୫୨ ବଲରେ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here