ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ଇରଫାନ ଖାନ୍ ବିରଳ ରୋଗରେ ପୀଡ଼ିତ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଇରଫାନଙ୍କ ଅଭିନୀତ ‘ବ୍ଲାକମେଲ’ ରିଲିଜ୍ ହେବା ତାରିଖ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି।

କିଛିଦିନ ହେବ ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି। ଏନେଇ ଟୁଇଟର୍ ପେଜରେ ନିଜେ ଏକଥା ଉଲ୍ଲେଖ କରିଛନ୍ତି ଇରଫାନ୍।

“ବିଗତ ୧୫ ଦିନ ହେବ ମୋ ଜୀବନ ଏକ ଅନିଶ୍ଚିତ କାହାଣୀ ପାଲିଟିଛି। ମୁଁ କେବେ ମଧ୍ୟ ଭାବି ନଥିଲି ଦୁର୍ଲ୍ଲଭ କାହାଣୀ ଖୋଜୁ ଖୋଜୁ ମତେ ଦୁର୍ଲ୍ଲଭ ରୋଗ ହୋଇଯିବ। ତେବେ ମୁଁ କେବେ ମଧ୍ୟ ହାର ମାନିନି ଏବଂ ନିଜ ପାଇଁ ଲଢ଼େଇ କରିଛି ଏବଂ କରୁଥିବି। ମତେ କ’ଣ ହୋଇଛି ଏହା ବିଷୟରେ ମୁଁ ମଧ୍ୟ ଜାଣିନାହିଁ। ମୋ ରିସର୍ଚ୍ଚରୁ ମତେ ଲାଗୁଛି ଯେ କୌଣସି ଗମ୍ଭୀର ରୋଗ ହୋଇଛି। ମୁଁ ହାର ମାନିନି। ମୋ ପରିବାର ଏବଂ ସାଙ୍ଗସାଥୀ ମୋ ସହିତ ଅଛନ୍ତି। ଆପଣମାନେ ଚିନ୍ତା କରିବା ଦରକାର ନାହିଁ। ୧୦ଦିନ ପରେ ଯେବେ ଯାଞ୍ଚ ପୁରା ହୋଇଯିବ ମୁଁ ନିଜେ ଆପଣମାନଙ୍କୁ ଏହା ବିଷୟରେ ଜଣାଇବି”, ଏଭଳି କିଛି ଟୁଇଟ୍‌ କରି କହିଛନ୍ତି ଅଭିନେତା ଇରଫାନ ଖାନ୍।

କିଛିଦିନ ହେବ ଅଭିନେତା ଇରଫାନ ଖାନ୍‌ଙ୍କୁ ଜଣ୍ଡିସ ଏବଂ ପରେ ପରେ ବ୍ରେନ ଟ୍ୟୁମର ହେବା ଖବର ଭାଇରାଲ ହୋଇଥିଲା। ଖୁବଶୀଘ୍ର ତାଙ୍କର ଅସ୍ତ୍ରୋପ୍ରଚାର କରାଯିବାର ଅଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଖବରର ସତ୍ୟତା ବିଷୟରେ କିଛି ଜଣାପଡ଼ିନାହିଁ।

ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜ ଫେସବୁକରେ ଫୋଷ୍ଟ କରି ଲେଖିଥିଲେ ଯେ ତାଙ୍କ ଫିଲ୍ମ ‘ସପନା ଦିଦି’ର ସୁଟିଂ କିଛି ଦିନ ପାଇଁ ସ୍ଥଗିତ ରହିବ। ମୁଖ୍ୟ କଳାକାର ଦୀପିକା ପାଦୁକୋଣ ଓ ଇରଫାନ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ।

ଦିପିକାଙ୍କ ପିଠି ଯନ୍ତ୍ରଣା ହେଉଥିବା ବେଳେ ଇରଫାନଙ୍କୁ କାମଳ ରୋଗ ହୋଇଥିବାର ଦାବି କରାଯାଇଥିଲା। ତେବେ ଇରଫାନଙ୍କ ଏହି ବିରଳ ରୋଗ ଜଣାପଡ଼ିବା ପରେ ସେଲିବ୍ରିଟିମାନେ ତାଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି।

ଇରଫାନଙ୍କ ଫିଲ୍ମ ‘ବ୍ଲାକମେଲ’ରେ ନଜର ଆସିବାକୁ ଯାଉଛନ୍ତି, ଯାହା ଏକ ବ୍ଲାକ କମେଡି। ଏହି ଫିଲ୍ମ ୬ ଏପ୍ରିଲ୍‌କୁ ରିଲିଜ୍ ହେବାର ସମ୍ଭାବନା ରହିଛି। ଆବଶ୍ୟକ ପଡ଼ିଲେ ଫିଲ୍ମର ରିଲିଜ ତାରିଖ ଘୁଞ୍ଚା ଯାଇପାରେ।

Comment