ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଢ଼ୁଛି କଂଗ୍ରେସ କନ୍ଦଳ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ବିଧାୟକମାନେ ସନ୍ତୁଷ୍ଟ ନଥିବା ବେଳେ ଆଜି ଏଆଇସିସି ସଦସ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ବିଧାୟକ। ବିଶେଷକରି ୯ ଜଣ ବିଧାୟକ ଏବଂ ବରିଷ୍ଠ ନେତା ଏହି ତାଲିକାରେ ସ୍ଥାନ ପାଇ ନଥିବାରୁ ଦଳରେ ତୀବ୍ରତର ହୋଇଛି ଅସନ୍ତୋଷ। କୁହାଯାଉଛି ଯେଉଁ ବିଧାୟକମାନେ ପ୍ରସାଦଙ୍କ ବିରୋଧରେ ଯାଉଥିଲେ ସେମାନଙ୍କୁ ଏଆଇସିସି ସଦସ୍ୟ ପଦରୁ ବାଦ୍ ଦିଆଯାଇଛି।

ଏଆଇସିସି ପକ୍ଷରୁ ୭୮ ଜଣିଆ ତାଲିକା ପ୍ରକାଶ ପାଇଛି। ହେଲେ ଏଥିରେ ଓଡ଼ିଶାର ୯ ଜଣ ବିଧାୟକଙ୍କୁ ସ୍ଥାନ ମିଳିନି।

ତାଲିକାରୁ କିଏ ବାଦ୍ ପଡ଼ିଲେ?

ବିଧାୟକ ଯୋଗେଶ ସିଂ, ପ୍ରଫୁଲ୍ଲ ମାଝି, ତାରା ପ୍ରସାଦ ବାହିନୀପତି, କେ.ସୁରିୟା ରାଓ, ଚନ୍ଦ୍ର ଶେଖର ମାଝି, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ଜାକବ ପ୍ରଧାନ ପ୍ରମୁଖ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି। ସେହିପରି ବରିଷ୍ଠ ନେତା ଅନନ୍ତ ସେଠୀ ଏବଂ ଗଣେଶ୍ୱର ବେହେରାଙ୍କୁ ମଧ୍ୟ ଏଆଇସିସି ତାଲିକାରୁ ବାଦ୍ ଦିଆଯାଇଛି।

ରହିଲେ କିଏ?

୭୮ ଜଣିଆ ତାଲିକାରେ ଓଡ଼ିଶାରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଭୂଜବଳ ମାଝି, ନବ ଦାସ, କୃଷ୍ଣ ଚନ୍ଦ୍ର ଶଗରିଆ, କୈଳାଶ କୁଲେସିକା ଏବଂ ପ୍ରଦୀପ ମାଝି। ସର୍ବ କନିଷ୍ଠ ସଦସ୍ୟ ଭାବେ ନବରଙ୍ଗପୁରର ମନସା ତ୍ରିପାଠୀଙ୍କୁ ଏଆଇସିସିରେ ସ୍ଥାନ ମିଳିଛି।

ପ୍ରସାଦଙ୍କୁ ହଟାଇବା ଦାବି ଜୋର୍ ଧରିଲା

ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହାରିବା ପରେ ପିସିସି ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ ପ୍ରସାଦ ହରିଚନ୍ଦନ। ହେଲେ ତାଙ୍କ ଇସ୍ତଫା ହାଇକମାଣ୍ଡ ଗ୍ରହଣ ନକରିବାରୁ ରାଜ୍ୟ କଂଗ୍ରେସରେ କନ୍ଦଳ ତୀବ୍ରତର ହେଉଛି। ଗତ ଦୁଇ ଦିନ ତଳେ ପ୍ରସାଦଙ୍କୁ ହଟାଇବା ଦାବିରେ କିଛି ବିଧାୟକମାନେ ବିରୋଧୀ ଦଳ ନେତାଙ୍କ ବାସଭବନରେ ଏକାଠି ହୋଇଥିଲେ। ପ୍ରସାଦଙ୍କୁ ନହଟାଇଲେ ଦଳ ଛାଡ଼ିବାକୁ ଚେତବାନୀ ଦେଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ବି ବିଧାୟକମାନେ ଅନୁରୂପ ଦାବି କରିଥିଲେ।

ଏବେ ୯ ଜଣ ବିଧାୟକଙ୍କୁ ଏଆଇସିସି ସଭ୍ୟ ପଦରୁ ବାଦ୍ ଦିଆଯାଇଥିବାରୁ ପୁଣି ପ୍ରସାଦ ହଟାଓ ଅଭିଯାନ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here