ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଏବଂ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ବାହାରିଛନ୍ତି ଟିଆରଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ। ଏହାକୁ ସମର୍ଥନ କରିଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। କୋଲକାତାରେ ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ତୃତୀୟ ସାମ୍ମୁଖ୍ୟ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ।

ଆସୁଛି ୨୦୧୯ ନିର୍ବାଚନ। ବଦଳୁଛି ରାଜନୀତିର ଦୃଶ୍ୟପଟ୍ଟ। ବିଜେପିର ଗତିରୋଧ କରିବା ପାଇଁ ଜାତୀୟ ସ୍ତରରେ ଚାଲିଛି ଜୋରଦାର ଆଲୋଚନା। ଉପା ମେଣ୍ଟକୁ ସବଳ କରିବା ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଜୋରଦାର ଲାଗିପଡ଼ିଥିବା ବେଳେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଚନ୍ଦ୍ରଶେଖର ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।

ଭେଟ୍‌ଘାଟ୍ ପରେ ତୃତୀୟ ସାମ୍ମୁଖ୍ୟର ମୂଳଦୁଆ ଆଜିଠାରୁ ପଡ଼ିଲା ବୋଲି ଉଭୟ ଚନ୍ଦ୍ରଶେଖର ଏବଂ ମମତା କହିଛନ୍ତି।

ମିଳିତ ନେତୃତ୍ୱରେ ଗଠନ ହେବ ସାମ୍ମୁଖ୍ୟ

ତୃତୀୟ ସାମ୍ମୁଖ୍ୟ ଯଦି ଗଠନ ହୁଏ ଏହାର କିଏ ନେତୃତ୍ୱ ନେବ? ଏହି ପ୍ରଶ୍ନର ଉତ୍ତର ଦେଇ ମମତା ବାନାର୍ଜୀ କହିଛନ୍ତି, ତୃତୀୟ ସାମ୍ମୁଖ୍ୟର ମୂଳଦୁଆ ପଡ଼ିଗଲା। ଆମର ବିଶ୍ବାସ ରହିଛି ଯେ ଅନ୍ୟ ଦଳ ମଧ୍ୟ ଏଥିରେ ସାମିଲ ହେବେ। ମିଳିତ ଦଳର ନେତୃତ୍ୱରେ ତୃତୀୟ ସାମ୍ମୁଖ୍ୟ ଗଠନ ହେବ। ଚନ୍ଦ୍ରଶେଖର ରାଓ ଆଜି ଏକ ମହତ ଉଦ୍ଦେଶ୍ୟ ନେଇ ପଶ୍ଚିମବଙ୍ଗ ଆସିଥିଲେ। ଦେଶର ବିକାଶ କିପରି ହେବ ସେନେଇ ଆଲୋଚନା ଆଲୋଚନା ହୋଇଥିବା ମମତା କହିଛନ୍ତି

ମମତା ଆହୁରି କହିଛନ୍ତି, “ରାଜନୀତିରେ ବେଳେ ବେଳେ ଏମିତି ଏକ ସ୍ଥିତି ଆସେ ଯେଉଁଥିରେ ଭିନ୍ନ ଭିନ୍ନ ଲୋକଙ୍କ ସହ କାମ କରିବାକୁ ପଡ଼ିଥାଏ। ଆଗକୁ ରାଜନୀତିରେ ମୁଁ ଅଧିକ କାମ କରିପାରିବି ବୋଲି ବିଶ୍ୱାସ ରହିଛି।”

କଂଗ୍ରେସ ନୁହଁ କି ବିଜେପି ନୁହଁ

ଗଣମାଧ୍ୟମ ପ୍ରତିନିଧି ଚନ୍ଦ୍ରଶେଖର ରାଓଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ। ଯଦି କଂଗ୍ରେସ ଆପଣଙ୍କୁ ବାହାରୁ ସମର୍ଥନ ଦିଏ, କ’ଣ କରିବେ? ଏହି ପ୍ରଶ୍ନର ଉତ୍ତରରେ ଚନ୍ଦ୍ରଶେଖର ରାଓ କହିଥିଲେ, “ଆମେ କଂଗ୍ରେସ ଏବଂ ବିଜେପିଠାରୁ ଦୂରେଇ ଏକ ବିକଳ୍ପ ରାଜନୈତିକ ଦଳ ଗଠନ କରିବାକୁ ଚାହୁଁଛୁ। କଂଗ୍ରେସ ଏବଂ ବିଜେପି ପାର୍ଟିର ନେତୃତ୍ୱ ଦେଶବାସୀଙ୍କ ପାଇଁ ଭଲ ନୁହେଁ। ତୃତୀୟ ସାମ୍ମୁଖରେ ଅନ୍ୟ ଦଳକୁ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି।”

କିଛିଦିନ ତଳେ ଟିଆର୍‌ଏସ୍ ନେତା କେ ଚନ୍ଦ୍ରଶେଖର ରାଓ ତୃତୀୟ ସାମ୍ମୁଖ୍ୟ ଗଠନର ପ୍ରସ୍ତାବ ଦେଇଥିଲେ। ଏହାକୁ ସଙ୍ଗେସଙ୍ଗେ ସମର୍ଥନ ଦେଇଥିଲେ ମମତା ବାନାର୍ଜୀ। ଆଜି ଉଭୟ ନେତାଙ୍କ ଭେଟଘାଟ ଏବଂ ଆଲୋଚନା ପରେ ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରକ୍ରିୟା ଜୋର୍ ଧରିଛି।

Comment