ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଡିପି ସାଂସଦ ଶିବପ୍ରସାଦ ତେଲୁଗୁ ଅଭିନବ ଢଙ୍ଗରେ ଲୋକସଭାରେ କରୁଛନ୍ତି ପ୍ରତିବାଦ। କୃଷ୍ଣ ଏବଂ ଧୀବର ବେଶ ପରେ ସୋମବାର ସେ ଶାଢ଼ି ପିନ୍ଧି ଲୋକସଭାରେ କରିଛନ୍ତି ହଙ୍ଗାମା।
ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ବିଜେପି ମଧ୍ୟରେ ତୁତୁ ମେମେ ଚାଲିଛି। କେନ୍ଦ୍ର ସରକାର ଟିଡିପି ଦାବିକୁ ଗ୍ରହଣ ନକରିବାରୁ ଟିଡିପି ଏନଡିଏ ହାତ ଛାଡ଼ି ଦେଇଛି। ଟିଡିପି ସାଂସଦମାନେ ଏହି ଦାବିକୁ କେନ୍ଦ୍ର କରି ଲୋକସଭା ଭିତରେ ଏବଂ ବାହାରେ ପ୍ରତିବାଦ ଜାରି ରଖିଛନ୍ତି।
ସୋମବାର ଲୋକସଭାରେ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଟିଡିପି ସାଂସଦ ଶିବପ୍ରସାଦ ତେଲୁଗୁ ଶାଢ଼ି ପିନ୍ଧି ପ୍ରତିବାଦ କରିଛନ୍ତି। ତେଲୁଗୁ ମହିଳା ବେଶରେ ସଜେଇ ହୋଇ ସେ ଲୋକସଭାକୁ ଆସି ହଙ୍ଗାମା କରିଛନ୍ତି।
ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଟିଡିପି ଦାବି କରି ଆସୁଛି। ଚଳିତ ବଜେଟ୍ ଅଧିବେଶନ ବେଳେ ଟିଡିପି ସାଂସଦମାନେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରି ଆସୁଛନ୍ତି। ସାଂସଦ ଶିବପ୍ରସାଦ ତେଲୁଗୁ ବିଗତ ଦିନରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ଆସିଛନ୍ତି। ହେଲେ ଆଜି ତାଙ୍କ ପ୍ରତିବାଦ ଭିନ୍ନ ଢଙ୍ଗର ରହିଥିଲା।
ଗଳାରେ ମଙ୍ଗଳସୂତ୍ର, ମଥାରେ ଟିକିଲି ଏବଂ ଶାଢ଼ି ପିନ୍ଧି ଲୋକସଭାରେ ପ୍ରବେଶ କରିଥିଲେ। ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ। ଶିବପ୍ରସାଦଙ୍କ ଏହି ଅଭିନବ ପ୍ରତିବାଦକୁ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ସମର୍ଥନ କରିଥିଲେ।
ଶୁକ୍ରବାର ଦିନ ସାଂସଦ ଶିବପ୍ରସାଦ ଧୀବର ବେଶରେ ଲୋକସଭାକୁ ଆସିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଉପସ୍ଥିତ ରହୁ ନାହାନ୍ତି। ସେ ଖାଲି ବିଦେଶ ଗସ୍ତରେ ଯାଉଛନ୍ତି। ଏଣୁ ଲୋକମାନେ କ’ଣ ଦାବି କରୁଛନ୍ତି ସେ ଜାଣିପାରୁ ନାହାନ୍ତି। ଏଣୁ ମୁଁ ଧୀବର ବେଶ ଧାରଣ କରି ମୋଦିଙ୍କୁ ଜାଲରେ ଧରିବାକୁ ଚାହୁଁଛି।
ଆନ୍ଧ୍ର ପ୍ରଦେଶର ଚିତୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ସାଂସଦ ଶିବପ୍ରସାଦ କିଛିଦିନ ତଳେ କୃଷ୍ଣ, ବାବା ସାହେବ ଆମ୍ବେଡକରଙ୍କ ବେଶରେ ସଂସଦକୁ ଆସିଥିଲେ। ଏଭଳି ବେଶ ଧାରଣ କରି ସାଂସଦ ଶିବପ୍ରସାଦ ଲୋକସଭାକୁ ଆସୁଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହୁଛି।








ଟିଡିପି ସାଂସଦ ଶିବପ୍ରସାଦ ତେଲୁଗୁ ଅଭିନବ ଢଙ୍ଗରେ ଲୋକସଭାରେ କରୁଛନ୍ତି ପ୍ରତିବାଦ। କୃଷ୍ଣ ଏବଂ ଧୀବର ବେଶ ପରେ ସୋମବାର ସେ ଶାଢ଼ି ପିନ୍ଧି ଲୋକସଭାରେ କରିଛନ୍ତି ହଙ୍ଗାମା।





