ଓଡ଼ିଶାଲାଇଭ ବ୍ୟୁରୋ

Bimal Gurung

୨୦୨୧ରେ ହେବ ପଶ୍ଚିମବଙ୍ଗ ନିର୍ବାଚନ। ଗୋଟିଏ ପଟେ ପଶ୍ଚିମବଙ୍ଗ ହାତେଇବା ପାଇଁ ବିଜେପି ଶକ୍ତି ସଂଗ୍ରହ କରୁଥିବା ବେଳେ ଗୁର୍ଖା ଜନମୁକ୍ତି ମୋର୍ଚ୍ଚା ହାତ ଛାଡ଼ିବା ପରେ ବିଜେପିକୁ ବଡ଼ ଝଟକା ଲାଗିଛି। ଆଶ୍ଚର୍ଯ୍ୟଜନକ ଭାବେ ଆସନ୍ତା ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବା ପାଇଁ ଘୋଷଣା କରିଛନ୍ତି ଜିଜେଏମ୍ ମୁଖ୍ୟ ବିମଳ ଗୁରୁଙ୍ଗ। ଜିଜେଏମ ଗତ ୧୨ ବର୍ଷ ଧରି ବିଜେପିକୁ ସମର୍ଥନ କରିଆସୁଥିଲା। କିନ୍ତୁ ସେମାନଙ୍କ ଦାବି ପୂରଣ କ୍ଷେତ୍ରରେ ବିଜେପି କିଛି କରିଲାନାହିଁ। ତେଣୁ ଦଳ ବାଧ୍ୟ ହୋଇ ବିଜେପିଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିମଳ କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ କେବେ ସେମାନଙ୍କ ଦାବି ସମ୍ପର୍କରେ ବିଚାର ବି କରିନାହାନ୍ତି। ଅପରପକ୍ଷେ ମମତା ବାନାର୍ଜୀ ଯେବେ ବି ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିଛନ୍ତି ବୋଲି ବିମଳ କହିଛନ୍ତି।

Bimal Gurung_NDA

ଖାଲି ୨୦୨୧ ବିଧାନସଭା ନିର୍ବାଚନ ନୁହେଁ, ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ମଧ୍ୟ ଟିଏମସିକୁ ଦଳ ସମର୍ଥନ କରିବ। ତେବେ ୨୦୧୭ ଗୁର୍ଖା ଜନମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାର୍ଜିଲିଂରେ ବଡ଼ ଆନ୍ଦୋଳନ କରାଯାଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବହୁ ଲୋକ ହଇରାଣ ହୋଇଥିଲେ। ଏପରି ଅନେକ ଦିନ ଯାଏ ସେଠାରେ ପର୍ଯ୍ୟଟକମାନେ ଫସିରହିଥିଲେ। ସେତେବେଳେ ବିମଳ ଗୁରୁଙ୍ଗଙ୍କ ବିରୋଧରେ ପ୍ରାୟ ୧୫୦ ମାମଲା ରୁଜୁ ହୋଇଥିଲା। ବୁଧବାର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କେବେ ବି ସାମ୍ନାକୁ ବାହାରି ନ ଥିଲେ ବିମଳ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ପାଇଁ ସେ ପ୍ରଥମ ଥର ପାଇଁ ବାହାରକୁ ବାହାରିଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରି ନ ଥିଲା।

୨୦୧୭ରେ ପଶ୍ଚିମବଙ୍ଗ ପୁଲିସ ଗିରଫ କରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଥିବା ବେଳେ ବିମଳ ଗୁରୁଙ୍ଗ ଓ ରୋଷନ ଗିରି ଉଭୟ ଦାର୍ଜିଲିଂ ଛାଡ଼ି ଫେରାର ହୋଇଯାଇଥିଲେ। ତେବେ ଉଭୟ ନେତାଙ୍କ ଡାକରାରେ ଦାର୍ଜିଲିଂରେ ୧୦୪ ଦିନ ଧରି ବନ୍ଦ ପାଳନ ହୋଇଥିଲା। ଲୋକେ ନାହିଁ ନ ଥିବା ହଇରାଣ ହୋଇଥିଲେ। ୨ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୧୩ଜଣଙ୍କର ଜୀବନହାନୀ ହୋଇଥିଲା। କିନ୍ତୁ ଉଭୟ ସେଠାରୁ ପଳାୟନ କରିବାର ସକ୍ଷମ ହୋଇଥିଲେ।

Comment