ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ଜୋର୍ ଧରିଛି ମନ୍ଦିର ରାଜନୀତି। ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କର୍ଣ୍ଣାଟକର ବିଭିନ୍ନ ମନ୍ଦିର ଗସ୍ତ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏହି ଫର୍ମୁଲାକୁ ଆପଣାଇଛନ୍ତି। ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଥିବା ରାହୁଲ ମଧ୍ୟ ମନ୍ଦିର ଯାଇ ରାଜନୀତିକୁ ସରଗରମ୍ କରିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେପି ଏବଂ କଂଗ୍ରେସ। କର୍ଣ୍ଣାଟକକୁ ଦଖଲ କରିବା ପାଇଁ କଂଗ୍ରେସ ଜି ଜାନ୍ ଲଗାଇ ଦେଇଛି। ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାରଠାରୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି। ମଙ୍ଗଳବାର ରାହୁଲ ମନ୍ଦିର ଯାଇ ରାଜନୀତିକୁ ସରଗରମ୍ କରିଛନ୍ତି। ଗୁଜୁରାଟ ନିର୍ବାଚନ ବେଳେ ରାହୁଲ ଯେଉଁ ଫର୍ମୁଲା ପକାଇଥିଲେ ତାହା କର୍ଣ୍ଣାଟକରେ ଆପଣାଇବାକୁ ଯାଉଛନ୍ତି।

ମନ୍ଦିର ରାଜନୀତି

ରାହୁଲ ମଙ୍ଗଳବାର ଉଡୁପିର ନାରାୟଣ ଗୁରୁ ମନ୍ଦିର ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ସହ ରାଲିରେ ଯୋଗ ଦେଇଥିଲେ। କୃଷକମାନଙ୍କ ହକ୍ ପାଇଁ ସ୍ବର ଉତ୍ତୋଳନ କରିଥିଲେ। ରାହୁଲ ନାରାୟଣ ଗୁରୁ ମନ୍ଦିର ଯିବା ପଛରେ ରାଜନୀତି ରହିଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କର୍ଣ୍ଣାଟକ ଏବଂ ଓ୍ବକାଲିଗା ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ରାହୁଲ୍ ଏଭଳି ଚାଲ୍ ଖେଳିଥିବା ଆଲୋଚନା ହେଉଛି। କର୍ଣ୍ଣାଟକ ବିଧାନସଭା ଆସନର ମୋଟ ୨୨୪ ଆସନରୁ ୨୫ ପ୍ରତିଶତ ବିଧାୟକ ଏହି ସମ୍ପ୍ରଦାୟରୁ ଆସିଛନ୍ତି।

ରାହୁଲ ଏହାପରେ ଗୋରଖନାଥେଶ୍ୱର ମନ୍ଦିର, ରୋସାରିୟୋ ଚର୍ଚ୍ଚ, ଦର୍ଘା, ଶୃଙ୍ଗେରି ମନ୍ଦିର ଏବଂ ଶୃଙ୍ଗେରି ମଠ ଗସ୍ତ କରିବେ।

ରାଲିରେ କ’ଣ କହିଲେ ରାହୁଲ?

ରାହୁଲ ଗାନ୍ଧି ମନ୍ଦିର ଗସ୍ତ କରିବା ପରେ ଏକ ରାଲିରେ ଉଦବୋଧନ ଦେଇଥିଲେ। ଏହି ରାଲିରେ ସେ ବିଜେପି ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ ଯେ କିଛି ବର୍ଷ ହେଲା ବିଜେପି ସରକାର ଦେଶର ୧୫ ଜଣ ଧନୀଙ୍କର ଋଣ ଛାଡ଼ କରିଛନ୍ତି। ଯେତେବେଳେ କୃଷକଙ୍କ ଋଣ ଛାଡ଼ କରିବା ପାଇଁ ଦାବି କରାଗଲା ସେତେବେଳେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଏହା ତାଙ୍କ ନୀତି ନୁହେଁ ବୋଲି କହିଥିଲେ। ହେଲେ କର୍ଣ୍ଣାଟକର କଂଗ୍ରେସ ସରକାର କୃଷକଙ୍କ ୮ ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିବା ରାହୁଲ କହିଥିଲେ।

କଂଗ୍ରେସର ରଣନୀତି

କର୍ଣ୍ଣାଟକରେ କଂଗ୍ରେସ କ୍ଷମତାରେ ରହିଛି। ସିଦ୍ଧରମେୟା ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି। ହେଲେ ନେତା ଏବଂ କର୍ମୀ କଂଗ୍ରେସ ନେତୃତ୍ବ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଅସନ୍ତୋଷକୁ ଦୂର କରିବା ପାଇଁ ରାହୁଲ କମାଣ ସମ୍ଭାଳିଛନ୍ତି। ନେତାଙ୍କ ଭିତରେ ରହିଥିବା ଅସନ୍ତୋଷ ଦୂର କରିବା ଲାଗି ରାହୁଲ ଉଦ୍ୟମ ଆରମ୍ଭ କରିଛନ୍ତି।

ବିଜେପି ରଣନୀତି କ’ଣ?

ରାହୁଲ ଯେଉଁ ଅଞ୍ଚଳକୁ ଯାଇଛନ୍ତି ସେହି ଅଞ୍ଚଳକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମଧ୍ୟ ଯାଇଥିଲେ। ଫେବ୍ରୁଆରି ୨୨ ଏବଂ ୨୪ ତାରିଖରେ ଶାହା ଏହି ଅଞ୍ଚଳକୁ ଯାଇ ବିଭିନ୍ନ ମନ୍ଦିରକୁ ଯାଇଥିଲେ। ବିଜେପି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ହିନ୍ଦୁ୍ତ୍ୱକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯୋଜନା କରିଛି।

ଲିଙ୍ଗାୟତ ଏବଂ ୱକାଲିଗା ସମ୍ପ୍ରଦାୟ ଭୋଟ ଉପରେ ନଜର

ଏହି ଦୁଇଟି ସମ୍ପ୍ରଦାୟର ଭୋଟ ଉପରେ ଉଭୟ ବିଜେପି ଏବଂ କଂଗ୍ରେସ ନଜର ରଖିଛନ୍ତି। ୫୦ ପ୍ରତିଶତ ବିଧାୟକ ଏବଂ ସାଂସଦ ଏହି ଦୁଇଟି ସମ୍ପ୍ରଦାୟରୁ ନିର୍ବାଚିତ ହୋଇଛନ୍ତି। ୨୨୪ ଆସନରୁ ୫୫ ୱକାଲିଗା ଏବଂ ୫୨ ବିଧାୟକ ଲିଙ୍ଗାୟତ ସମ୍ପ୍ରଦାୟରୁ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନେ ଏହି ଦୁଇ ସମ୍ପ୍ରଦାୟର ବ୍ୟକ୍ତି। ଲିଙ୍ଗାୟତ ସମ୍ପ୍ରଦାୟରୁ ୮ ଜଣ ଏବଂ ୬ ଜଣ ୱକ୍କାଲିଗା ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

କର୍ଣ୍ଣାଟକ ବିଧାନସଭା ଗଣିତ

କର୍ଣ୍ଣାଟକର ମୋଟ ବିଧାନସଭା ଆସନ ହେଉଛି ୨୨୪। ଯେଉଁ ଦଳ ୧୧୩ ମ୍ୟାଜିକ ସଂଖ୍ୟା ଛୁଇଁବ ସେହି ପାର୍ଟି କର୍ଣ୍ଣାଟକରେ ସରକାର ଗଢ଼ିବ। ଏହି ରାଜ୍ୟରେ ଭୋଟର ସଂଖ୍ୟା ହେଉଛି ୪.୯୦ କୋଟି। କର୍ଣ୍ଣାଟକରେ ୧୯ ପ୍ରତିଶତ ଦଳିତ ସମ୍ପ୍ରଦା଼ୟ ଭୋଟ ରହିଥିବା ବେଳେ ମୁସଲିମ ୧୬ ପ୍ରତିଶତ, ପଛୁଆବର୍ଗ ୧୬ ପ୍ରତିଶତ, ଲିଙ୍ଗାୟତ ୧୭ ପ୍ରତିଶତ, ୱକାଲିଗାର ୧୧ ପ୍ରତିଶତ ଭୋଟର ରହିଛନ୍ତି।

Comment