ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟରେ ୪୩ ଜଣଙ୍କୁ ‘ପଦ୍ମ’ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ। ଏପ୍ରିଲ ୨ରେ ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ କରାଯିବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ  ମଙ୍ଗଳବାର ୪୩ ଜଣଙ୍କୁ ସମ୍ମାନଜନକ ‘ପଦ୍ମ’ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

୨୦୧୮ ବର୍ଷ ପାଇଁ ୮୫ ଜଣ ପଦ୍ମ ସମ୍ମାନ ପାଇବାକୁ ମନୋନିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଆଜି ଏହି ସମ୍ମାନ ଦିଆଯାଇଛି। ବାକି ସଦସ୍ୟଙ୍କୁ ଏପ୍ରିଲ ୨ରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି।

ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପି ପରମେଶ୍ୱରନଙ୍କୁ ପଦ୍ମ ବିଭୂଷଣ, କଳା ଓ ସଙ୍ଗୀତ କ୍ଷେତ୍ରରେ ଉସ୍ତାଦ୍ ଗୁଲାମ ମୁସ୍ତଫା ଖାନଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସେହିପରି ସାହିତ୍ୟରେ ପଦ୍ମଭୂଷଣ ପାଇଛନ୍ତି ପ୍ରଫେସର ବେଦ ପ୍ରକାଶ ନନ୍ଦା, ଜଲାଲପୁରୀଙ୍କୁ ସାହିତ୍ୟରେ ମରୋଣତ୍ତର ପଦ୍ମଶ୍ରୀ, ଟେନିସ୍ ଖେଳାଳି ସୋମଦେବ କିଶୋର ଦେବ ବର୍ମନଙ୍କୁ ପଦ୍ମଶ୍ରୀ, ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

ପ୍ରସିଦ୍ଧ ସଙ୍ଗୀତଜ୍ଞ ଇଲେୟାରାଜା, କଳା ଏବଂ ସଙ୍ଗୀତ ପାଇଁ ଗୁଲାମ ମୁସ୍ତଫା ଖାନ୍‌ଙ୍କୁ ପଦ୍ମବିଭୂଷଣ ଏବଂ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପାଇଥିବା ୪୩ ଜଣଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି। ମୂର୍ତ୍ତିକଳା ପାଇଁ ସ୍ଥପତି ପ୍ରଭାକର ମହାରଣା ଏବଂ ବୟନ ଶିଳ୍ପୀ ଗୋବର୍ଦ୍ଧନ ପାଣିକାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି। ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୫ ଓଡ଼ିଆଙ୍କୁ ମନୋନିତ କରାଯାଇଥିଲା।

Comment