ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କୁ ଏବେ ଖାତାଦେଖା ଚିନ୍ତା ଘାରିଛି। ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରିବା ପାଇଁ ଶିକ୍ଷକମାନେ ମନା କରିବା ପରେ ଏବେ +୨ ଅଧ୍ୟାପକମାନେ ସେହି ରାସ୍ତାରେ ପାଦ ଦେଇଛନ୍ତି। ଦାବି ପୂରଣ ନହେଲେ +୨ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରାଯିବ ନାହିଁ ବୋଲି ମିଳିତ ଶିକ୍ଷକ ଅଧ୍ୟାପକ କର୍ମଚାରୀ ସଂଘର ଆବାହକ ପବିତ୍ର ମହଲା କହିଛନ୍ତି।
ଅଧ୍ୟାପକଙ୍କ ଏହି ଧମକରେ ସରକାର ଦବି ଯାଇ ନାହାନ୍ତି। ଅଧ୍ୟାପକ ସହଯୋଗ ନକଲେ ଆମ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।
ଏପ୍ରିଲ ୪ରୁ ଦୁଇଟି ପର୍ଯ୍ୟାୟରେ +୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ୧୬ ତାରିଖରୁ ଆରମ୍ଭ ହେଉଛି। ଏହା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ଏଥିରେ +୨ କଲେଜ ଅଧ୍ୟାପକମାନେ ସହଯୋଗ କରିବେ ନାହିଁ ବୋଲି ଖୋଲିଖୋଲି କହିଛନ୍ତି।
“ସରକାର ଅଧ୍ୟାପକମାନଙ୍କୁ ସବୁବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ଅଧ୍ୟାପକମାନଙ୍କ ଦାବି ପୂରଣ କରୁ ନାହାନ୍ତି। ଏଣୁ ଅଧ୍ୟାପକମାନେ ଖାତା ଦେଖାରେ ସହଯୋଗ କରିବେ ନାହିଁ”, କହିଛନ୍ତି ପବିତ୍ର ମହଲା।
ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, “ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ଅଧ୍ୟାପକମାନେ ଖାତା ଦେଖାରେ ସହଯୋଗ କରିବାକୁ ଆମେ ଅନୁରୋଧ କରୁଛୁ। ଯଦି ଅଧ୍ୟାପକମାନେ ଏଥିରେ ସହଯୋଗ ନକରନ୍ତି ତାହାଲେ ଆମ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି। ଆବଶ୍ୟକ ପଡ଼ିଲେ ଡିଗ୍ରୀ କଲେଜର ଅଧ୍ୟାପକମାନଙ୍କୁ ଖାତା ଦେଖାରେ ନିୟୋଜିତ କରାଯିବ।”

















