ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଶୁକ୍ରବାରଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଚଳିତ ଥର ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଉଛନ୍ତି ପ୍ରାୟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ।

ଶୁକ୍ରବାର ଦିନ ୧୦ଟାରୁ ଆରମ୍ଭ ହୋଇଛି ପରୀକ୍ଷା। ପରୀକ୍ଷା ସୁପରିଚାଳନା ଲାଗି ଏଥର ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ପରୀକ୍ଷାର ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି।

ଯୁକ୍ତ ୨ ପରୀକ୍ଷା ପାଇଁ କେତେକ ନିୟମ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ୧୫ ମିନିଟ ପୂର୍ବରୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ କୁହାଯାଇଛି। ଏହା ସହ ୧୦ ମିନିଟ ପୂର୍ବରୁ ଉତ୍ତରଖାତା ଏବଂ ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ।

ଉତ୍ତରଖାତାର ସିରିଏଲ ନମ୍ବର ଓ ପୃଷ୍ଠା ସଂଖ୍ୟା ଭଲ ଭାବରେ ଦେଖି, ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଶ୍ନପତ୍ରରେ ରୋଲ୍‌ ନମ୍ବର ବ୍ୟତୀତ ଅନ୍ୟ କୌଣସି ଦାଗ ଲାଗିଲେ ଏହାକୁ ଏମପି ବୋଲି ଧରାଯିବ। ସଠିକ ଭାବେ ଉତ୍ତର ଖାତାରେ ନିଜ ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଲେଖିବାକୁ କୁହାଯାଇଛି। ପରୀକ୍ଷା ହଲକୁ କଳା ବଲ୍‌ ପେନ ଏବଂ ଆଡମିଟ୍‌ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ନନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ରହିଛି।

ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେଉଥିବା ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୬୦ ହଜାର ୧୯୮ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧ ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ଏବଂ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ରହିଛନ୍ତି।

ଯୁକ୍ତ ୨ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୭୯୧ ଜଣ ପରୀକ୍ଷା ଦେଉଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Examination #+2Exam #Odisha #Education

LEAVE A REPLY

Please enter your comment!
Please enter your name here