ଓଡ଼ିଶାଲାଇଭ୍ ବ୍ୟୁରୋ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ଥିଓରୀ ପରୀକ୍ଷା ଆସନ୍ତା ୨୦୨୪ ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆସନ୍ତା ଜାନୁଆରି ୨ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଯୁକ୍ତ ୨ ପରୀକ୍ଷା ପାଇଁ ବୁଧବାରଠାରୁ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି।

କଲେଜ କର୍ତ୍ତୃପକ୍ଷ ସାମ୍ସ ୱେବସାଇଟ www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଅବଗତ କରାଯାଇଛି। ସମସ୍ତ ତଥ୍ୟକୁ ଯାଞ୍ଚ କରିବା ପରେ ଆଡମିଟ୍ କାର୍ଡରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରାଯିବ। ଯଦି ଏଥିରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତୁରନ୍ତ କଲେଜ କର୍ତ୍ତୃପକ୍ଷ ମେଲ୍ ଜରିଆରେ ବୋର୍ଡକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ଥର ଯୁକ୍ତ ୨ ପରୀକ୍ଷା ଦେବେ ପ୍ରାୟ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ। ରାଜ୍ୟର ୧,୧୫୮ଟି କେନ୍ଦ୍ରରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏଥିରେ ୭ଟି ଉପକେନ୍ଦ୍ର ରହିଛି। ଆସନ୍ତା ଜାନୁଆରି ୧ ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ରକୁ ପ୍ରାକ୍ଟିକାଲ ପରୀକ୍ଷା ଲାଗି ପ୍ରଶ୍ନପତ୍ର ସହ ଆବଶ୍ୟକ କାଗଜପତ୍ର ଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Tags: #Education #+2Exam #PracticalExam #TheoryExam #Odisha #Question Paper #CHSE

Comment