ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାକୁ ଯେଉଁ ତିନି ଜଣ ବିଜେଡି ପ୍ରାର୍ଥୀ ଏବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦ ହେଉଛନ୍ତି ଅନ୍ୟତମ। ରାଜ୍ୟସଭାରେ ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରିବେ ଏବଂ ଦଳ ଯାହା ନିର୍ଦ୍ଦେଶ ଦେବ ତାକୁ ନେଇ କାର୍ଯ୍ୟ କରିବେ ବୋଲି ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ନନ୍ଦ କହିଛନ୍ତି।

ରାଜ୍ୟସଭାରେ ଆପଣ ଓଡ଼ିଶାର କେଉଁ ପ୍ରସଙ୍ଗ ଉଠାଇବେ?

ସଂସଦରେ ଓଡ଼ିଶାର କେଉଁ ପ୍ରସଙ୍ଗ ଉଠାଯିବ ତାହା ଆମ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଯେତେ ସାଂସଦ ଅଛନ୍ତି ସେମାନଙ୍କୁ ଡାକି କହିଛନ୍ତି ଯେ ସଂସଦରେ ଆମ ଦଳର ପ୍ରାଥମିକତା କ’ଣ ରହିବ? ସେହି ନିଷ୍ପତ୍ତି ଅନୁସାରେ ଆମ ସାଂସଦମାନେ କାମ କରୁଛନ୍ତି। ମହାନଦୀ, ପୋଲାଭରମ୍ ପ୍ରସଙ୍ଗରେ ଆମେ ସ୍ୱର ଉଠାଉଛୁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦେବା ପାଇଁ  ଆମେ ପୁଣି ଦାବି କରିବୁ। ଏହାସହ ଓଡ଼ିଶାରେ ଗୋଟିଏ ରେଲୱେ ଜୋନ୍ ନିର୍ମାଣ ପାଇଁ ମଧ୍ୟ ଆମେ ଦାବି କରିବୁ। ଯେଉଁ କ୍ଷେତ୍ରକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ସେଥିପାଇଁ ଆମେ ଦାବି ଉପସ୍ଥାପନ କରିବୁ। ଓଡ଼ିଶାର ହକ୍‌ ପାଇଁ ଦିଲ୍ଲୀ ଦରବାରରେ ଆମେ ଲଢ଼େଇ କରିବୁ।

ଆପଣଙ୍କୁ  ରାଜ୍ୟସଭା ପଠାଇବା ପାଇଁ ଦଳ କାହିଁକି ଚାହିଁଲା?

ମୁଖ୍ୟମନ୍ତ୍ରୀ କେବଳ ତାଙ୍କର ପ୍ରିୟ ବା ପାଖ ଲୋକଙ୍କୁ ସୁଯୋଗ ଦିଅନ୍ତି ନାହିଁ। ଯାହା ଦଳ ଏବଂ ରାଜ୍ୟ ପାଇଁ ହିତ ତାହା ସେ ସବୁବେଳେ କରିଥାନ୍ତି। ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଦୃଷ୍ଟିରେ ରଖି ସେ ବିଚାର କରନ୍ତି। ସେ ସମସ୍ତ ଘଟଣାକୁ ଟିକିନିଖ୍ କରି ବିଚାର କରନ୍ତି। ବୋଧହୁଏ ସେ ବିଚାରରେ ମୁଁ ଆସିଯାଇଛି।

ଆପଣ ଚଳଚ୍ଚିତ୍ର ଜଗତରୁ ଆସି ରାଜନୀତିରେ ପ୍ରବେଶ କରିଛନ୍ତି। ହେଲେ ଓଡ଼ିଶାରେ ଚଳଚ୍ଚିତ୍ର ଜଗତର ବିକାଶ କାହିଁକି ହୋଇ ପାରୁନି?

ଚଳଚ୍ଚିତ୍ର ଜଗତକୁ ଆଗେଇ ନେବା ପାଇଁ ଯେତେବେଳେ ଯାହା ଦରକାର ହୁଏ ତାହା ସରକାର ଯୋଗାଇ ଦେଇଥାନ୍ତି। ସରକାର ବିଭିନ୍ନ ସମୟରେ ସହଯୋଗର ହାତ ବଢ଼ାନ୍ତି। ହେଲେ ୧୯୯୯ ମହାବାତ୍ୟା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ବହୁତଗୁଡ଼ିଏ ସିନେମା ହଲ୍ ବନ୍ଦ ହୋଇଗଲା। ତାହାର ପୁନରୁଦ୍ଧାର ହୋଇପାରିଲା ନାହିଁ। ଯେଉଁ କଳିଙ୍ଗ ଷ୍ଟୁଡିଓରେ ଆମର ଅନେକ କାମ ହେଉଥିଲା ତାହାର ମେସିନ ସବୁ ନଷ୍ଟ ହୋଇଗଲାଣି। ଓଡ଼ିଶା ଚଳଚ୍ଚିତ୍ର ନିଗମକୁ ପର୍ଯ୍ୟାପ୍ତ ଅର୍ଥ ମିଳୁନାହିଁ। ମୁଁ ଯେତିକି ଜାଣିଛି ସରକାର ଏଥିପ୍ରତି ସଚେତନ ଅଛନ୍ତି ଏବଂ ଆଗାମୀ ଦିନରେ ଏହାର ବିକାଶ ପାଇଁ ଚିନ୍ତା କରିବେ। ବର୍ତ୍ତମାନ ଓଡ଼ିଶାରେ ହଲ୍ ସଂଖ୍ୟା ବଢ଼ାଇବା ପାଇଁ ସରକାର ସହଯୋଗ କରୁଛନ୍ତି।

ବେଗୁନିଆରେ ଆପଣଙ୍କ ପୁଅକୁ ବିଧାୟକ ଟିକେଟ ଦେବା ପାଇଁ ଆପଣ ଲବି କରୁଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଆପଣଙ୍କୁ ରାଜ୍ୟସଭାକୁ ଯିବାକୁ ପଡ଼ିଲା। ଏ ସମ୍ପର୍କରେ କ’ଣ କହିବେ?

ଏ ସବୁ ଚର୍ଚ୍ଚାର କୌଣସି ମୂଲ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଉତ୍ତର ଦେବା ପାଇଁ ମୋ’ ପାଖରେ କୌଣସି ଭାଷା ନାହିଁ। ମୋତେ ଯେତେବେଳେ ଯେଉଁ ଦାୟିତ୍ବ ମିଳିଛି ତାହାକୁ ମୁଁ ସୂଚାରୁରୂପେ ପାଳନ କରିଛି। ଆଗକୁ ମଧ୍ୟ କରିବି।

୨୦୧୯ ନିର୍ବଚାନରେ ବିଜେଡି କେତେ ସଫଳତା ହାସଲ କରିବ ବୋଲି ଆପଣ ଭାବୁଛନ୍ତି?

ବିଜେପୁର ଉପନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ଆମ ଦଳ ବିପୁଳ ସଂଖ୍ୟାରେ ଭୋଟ ପାଇଛୁ। ବିଜେଡି ପ୍ରାର୍ଥୀ ବହୁ ଭୋଟରେ ବିଜୟୀ ହୋଇଛନ୍ତି। ଆମ ନେତା ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ଲୋକମାନେ ବିଜେଡିକୁ ଅଧିକ ସଂଖ୍ୟାରେ ଭୋଟ ଦେଉଛନ୍ତି ଏବଂ ଦଳ ପ୍ରତି ଆକର୍ଷିତ ହେଉଛନ୍ତି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବ।

ଆପଣ ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱରେ ଅଛନ୍ତି। ବିଜେପି ନେତା ଦିଲ୍ଲୀପ ରାୟ ବିଜେଡିରେ ମିଶିବେ କି?

ଏ ସମ୍ପର୍କରେ ମୁଁ ଜାଣିନି। ମୋ ପାଖରେ କୌଣସି ଖବର ନାହିଁ। ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ତେବେ କିଏ ଦଳରେ ମିଶିବ ଏବଂ ନମିଶିବ ତାହା ଦଳପତି ହିଁ ନିଷ୍ପତ୍ତି ନେବେ।

ଓଡ଼ିଶାରେ ଆଉ କେଉଁ କେଉଁ କ୍ଷେତ୍ରରେ ବିକାଶ ହେବା ଦରକାର? 

ମୁଖ୍ୟମନ୍ତ୍ରୀ ଏବେ ନୂଆ ନୂଆ ଯୋଜନା ପ୍ରଣୟନ କରୁଛନ୍ତି। ଓଡ଼ିଶାର ବିକାଶ ପାଇଁ ସେ ସବୁବେଳେ ଚିନ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି କ୍ଷେତ୍ରକୁ ଅବହେଳା କରୁ ନାହାନ୍ତି। ଗରିବ,ଆଦିବାସୀ, ଖଟିଖିଆ, ବେକାରୀ ଓ ମହିଳାମାନଙ୍କ ବିକାଶ ପାଇଁ ଉନ୍ନୟନମୂଳକ କାମ କରୁଛନ୍ତି। ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଆମେ ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛୁ। ନିର୍ବାଚନ ଇସ୍ତାହାରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥାଉ ତାହାକୁ ଅକ୍ଷର ଅକ୍ଷରରେ କାର୍ଯ୍ୟକାରୀ କରିଥାଉ।

ରିପୋର୍ଟ: ସତ୍ୟବ୍ରତ ପାଢ଼ୀ

Comment