ପ୍ରଫେସର ପ୍ରସନ୍ନ ମହାନ୍ତି

ସେ ଏକ ଅଗ୍ନିସ୍ଫୁଲିଙ୍ଗ, ଏକ ଲାଭା ସ୍ରୋତ, ଧ୍ଵଂସର ଧୂର୍ଜଟୀ। ସେ ପୁଣି ଏକ ଶୀତଳ ପୂର୍ଣ୍ଣିମା, ଏକ କୋମଳ ଶତଦଳ, ଏକ ବିମୁଗ୍ଧ ବିଶ୍ଵକର୍ମା, ଶରତର ଶୁଭ୍ର ଶିଶିର। ସେ ହେଉଛନ୍ତି ମହାକବି ସଚ୍ଚିଦାନନ୍ଦ ରାଉତରାୟ।

୧୯୧୩ ମସିହା ମଇ ମାସ ୧୩ ତାରିଖ ଦିନ ଖୋର୍ଦ୍ଧା ସହର ଉପକଣ୍ଠସ୍ଥ ଗୁରୁଜଙ୍ଗଠାରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜନ୍ମ ।

କବି ସଚ୍ଚିଦାନନ୍ଦ ସାମ୍ପ୍ରତିକ ଓଡ଼ିଆ କବିତାର  ସମସ୍ତ ଆଂଶିକ ଆଧୁନିକତାର ପଥିକୃତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଆ କବିତାରେ ପାରମ୍ପରିକ ଛନ୍ଦୋବଦ୍ଧାତାର ସମାନ୍ତରାଳ ଭାବେ ମୁକ୍ତ ଛନ୍ଦ ଓ ଗଦ୍ୟଛନ୍ଦର ସେ ପ୍ରବର୍ତ୍ତନ କରନ୍ତି, ଯାହା ଓଡ଼ିଆ କବିତାରେ ଅବିଳମ୍ବେ ସାର୍ବଜନୀନ ହୋଇଯାଏ। ଗତାନୁଗତିକ ଉପମା ଓ ବ୍ୟଞ୍ଜନା ପରିବର୍ତ୍ତେ ସୂକ୍ଷ୍ମ ଭାବଗତ ସାଦୃଶ୍ୟକୁ ଆଧାର କରି ଶକ୍ତିଶାଳୀ ଭାବ ପ୍ରବୋଧକ ପ୍ରତୀକ, ଚିତ୍ରକଳ୍ପ, ମିଥ୍ ଓ ଆର୍କିଟାଇପ୍ ପ୍ରଭୃତି ବ୍ୟବହାରରେ ସେ ହଁ ଅଗ୍ରଦୂତ।

କବିତାର ବିଷୟବସ୍ତୁ ଓ ଆତ୍ମିକ ସ୍ଵରଦୃଷ୍ଟିରୁ ମଧ୍ୟ ସମାଜ ସଚେତନତା, ମାନବବାଦ, ବୈପ୍ଳବିକ  ଚେତନା ଓ ବାମପନ୍ଥୀ ସାମ୍ୟବାଦର ପ୍ରାଚୁର୍ଯ୍ୟରେ ଓଡ଼ିଆ କବିତାକୁ ସେ ଦେଇଥିଲେ ଏକ ନୂତନ ଉତ୍ତାପ। ସ୍ଵାଧୀନତା ପରବର୍ତ୍ତୀ ବହୁ ଓଡ଼ିଆ କବିଙ୍କ ଲାଗି ସେ ଥିଲେ କାବ୍ୟ-ଗୁରୁ, ମାଟିର ଦ୍ରୋଣ।

ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତୀୟ ଜ୍ଞାନପୀଠ ପ୍ରଭୃତି ବହୁ ସମ୍ଭ୍ରାନ୍ତ ସାହିତ୍ୟିକ ସ୍ଵୀକୃତିରେ ସେ ସମ୍ମାନିତ। ଓଡ଼ିଆ କବିତାରେ ନୂତନ ଦୀପ୍ତି ଓ ଦ୍ୟୁତିର କୃତୀ କାରିଗର ପଦ୍ମଶ୍ରୀ ସଚ୍ଚି ରାଉତରାୟ ଯୁଦ୍ଧର ଏକ ଦୁନ୍ଦୁଭି, ସଂଘର୍ଷର ଉଲକାପିଣ୍ଡ, ବିଦ୍ରୋହର ଅଗ୍ରଦୂତ, ବିପ୍ଳବର ମାଂତ୍ରିକ।

ଅନ୍ୟଦିଗରେ ମାନବିକ ସମ୍ବେଦନଶୀଳତାର ସେ କୋମଳ ଗାନ୍ଧାର; ନୂତନ ସର୍ଜନର ସେ ବିଶ୍ଵକର୍ମା; ମାଟି, ମାଆ ଓ ମଣିଷର ସେ ଅନ୍ତରଙ୍ଗ ଆତ୍ମୀୟ।

ସେ ପୁଣି ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ସମାଲୋଚକ, ଅନୁବାଦକ ଓ ସମ୍ପାଦକ। ତାଙ୍କର କେତୋଟି ପ୍ରସିଦ୍ଧ କବିତା ଗ୍ରନ୍ଥ ହେଉଛି ‘ପାଥେୟ’, ‘ପଲ୍ଲିଶ୍ରୀ’, ‘ଅଭିଯାନ’, ‘ବାଜିରାଉତ’, ‘ପାଣ୍ଡୁଲିପି’, ‘ଭାନୁମତୀର ଦେଶ’, ‘ସ୍ଵଗତ’, ‘କବିତା-୧୯୬୨’ ପ୍ରଭୃତି। ତାଙ୍କର ଗଳ୍ପ ଗ୍ରନ୍ଥ ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ’ ପ୍ରଭୃତି। ତାଙ୍କର ଏକମାତ୍ର ଉପନ୍ୟାସ ‘ଚିତ୍ରଗ୍ରୀବ’।

ଏହି ଯୋଗଜନ୍ମା କାବ୍ୟପୁରୁଷଙ୍କର ଦେହାବସାନ ହୁଏ ୨୧ ଅଗଷ୍ଟ ୨୦୦୪ ମସିହାରେ।

 

ଛୋଟ ମୋର ଗାଆଁଟି

‘ଛୋଟ ମୋର ଗାଆଁଟି’ କବି ସଚ୍ଚିଦାନନ୍ଦଙ୍କର ଏକ କାଳଜୟୀ କବିତା। ଦୀର୍ଘ ଆଠ ଦଶନ୍ଧି ଧରି ଜନ୍ମଭୂମିର ମୁଗ୍ଧ ମହକ ତଥା ଏକାନ୍ତ ଅନ୍ତରଙ୍ଗ ଓ ଜୀବନ୍ତ ଚିତ୍ର ଥିବା, ଭାବ ଓ ଆବେଗର ବିମୁଗ୍ଧ ପ୍ରବାହ ଥିବା, ମାଟିର ସମ୍ମୋହନ ବାସ୍ନାଥିବା ଅନନ୍ୟ ଉଚ୍ଚାରଣ ଭାବେ ଏଇ କବିତାଟି ଅଗଣିତ ପାଠକଙ୍କ ଦ୍ଵାରା ଚର୍ଚ୍ଚିତ ଓ ଆଦୃତ ହୋଇଆସିଛି।

ଆଧୁନିକ ବିଶ୍ଵ-ମଣିଷ ନିଜ ଜନ୍ମଭୂମି ଓ ମାତୃଭୂମିକୁ ଭୁଲି ପ୍ରବାସୀ ଜୀବନ ଜିଉଁଛି। ପଲ୍ଲୀର ପ୍ରାଣବନ୍ତ ସଶ୍ରଦ୍ଧ କୋମଳ କୋଳକୁ ଧୂସର, କର୍କଶ ଓ ଅପାଂକ୍ତେୟ ମଣି କ୍ରମଶଃ ଭୁଲିଯିବାକୁ ବସିଛି। ମାତ୍ର ମଣିଷର ଅସ୍ତିତ୍ଵର କେନ୍ଦ୍ରବିନ୍ଦୁ ଭାବେ ଜନ୍ମଭୂମିର ମହତ୍ତ୍ଵ ଅନନ୍ୟ। ନିଜ ପରିଚୟ ଓ ଅସ୍ମିତାର ଭିତ୍ତି ଭାବେ ଜନ୍ମଭୂମି ପଲ୍ଲୀ ଗାଆଁର ସ୍ଥାନ ଅସାଧାରଣ। କବି ସଚ୍ଚିଦାନନ୍ଦ ରାଉତରାୟ ନିଜ ଗାଆଁକୁ କେବଳ ପ୍ରାଣଦେଇ ଭଲ ପାଇନାହାନ୍ତି। ସେ ତାହାର ଏଭଳି ଏକ ମନୋରମ, ଅକୃତ୍ରିମ, ବିମୁଗ୍ଧକର, ଜୀବନ୍ତ ଓ ପାର୍ଥିବୋତ୍ତର ଛବି ଆଙ୍କିଛନ୍ତି ଯେ କୌଣସି ପାଠକ ତାହାକୁ ପଢ଼ି ନିଜ ଗାଆଁକୁ ଝୁରି ହେବ ଓ ତାହାକୁ ସ୍ଵର୍ଗଠୁ ସୁନ୍ଦର ଓ ମହାର୍ଘ ମଣିଷ।

ଗ୍ରାମ ଜୀବନର ମନୋରମ ପ୍ରକୃତିଠାରୁ ଆରମ୍ଭ କରି ଗ୍ରାମର ବିଭିନ୍ନ ବର୍ଗ ଓ ବୃତ୍ତିର ଲୋକଙ୍କ ଜୀବନାଦର୍ଶ ଓ ଜୀବନଯାପନ ଢଙ୍ଗର ପ୍ରାଣବଂତ କଳାତ୍ମକ ଉପସ୍ଥାପନା କବିତାଟିକୁ କରିଛି ଲୋକପ୍ରିୟ ଓ କାଳଜୟୀ। ହୃଦୟକୁ ଆବେଗ ଆପ୍ଳୁତ କରୁଥିବା ଏହା କବିଙ୍କର ଏକ ଅମଳିନ କାବ୍ୟିକ ସ୍ଵାକ୍ଷର। କବିତାଟିର ଭାବ, ଭାଷା, କଳା ଓ କଳ୍ପନା ଅନନ୍ୟ।

ରେଙ୍ଗୁନ୍ ଯାତ୍ରୀ

ଏହି ହୃଦୟସ୍ପର୍ଶୀ ଓ ପ୍ରଭାବଶାଳୀ କବିତାଟି କବିଙ୍କର ସ୍ମରଣୀୟ କବିତା ମଧ୍ୟରୁ ଗୋଟିଏ। ଫିରିଙ୍ଗି ଉପନିବେଶକାଳୀନ ପରାଧୀନ ଭାରତବର୍ଷରେ ଗରିବ ଲୋକଙ୍କ ଜୀବନ-ଯୁଦ୍ଧ କିପରି ନିଷ୍ଠୁର, ନିର୍ମମ ଓ କରୁଣ ଥିଲା ତା’ର କଳାତ୍ମକ ସାକ୍ଷ୍ୟ ବହନ କରେ ଏହି କବିତା। ଉତ୍କଟ ଦାରିଦ୍ର୍ୟର ତାଡନା ମଧ୍ୟରେ ପରିବାରକୁ ବଞ୍ଚାଇ ରଖିବାର ଅନ୍ୟ ବିକଳ୍ପ ନ ଦେଖି ଆମ ରାଜ୍ୟରୁ ବହୁ ଲୋକ ସକଳ ଅନିଚ୍ଛା ସତ୍ତ୍ଵେ ଘରୁ ଗୋଡ କାଢ଼ି କାଳି ମାଟି, ଚର୍ଚ୍ଚ ଗ୍ରାମ ଓ ରେଙ୍ଗୁନରେ ଶ୍ରମିକ ଭାବେ କାମ କରିବାକୁ ଉତ୍ତର଼-ପୂର୍ବମୁହାଁ ହେଉଥିଲେ।

ଗରିବ ତା’ ରକ୍ତକୁ ଝାଳ କରି ମାଟିରେ ବୁହାଇ ଚାଲେ, ଭୋକ ଉପାସରେ ଛଟପଟ ହୋଇ ଦିନ କାଟେ, ଭଙ୍ଗା କୁଡ଼ିଆ ଓ ଚିରା କପଡ଼ାରେ ଜୀବନ ଜିଏଁ-ଏବଂ ଶେଷରେ ବାଧ୍ୟ ହୋଇ ତାକୁ ଯିବାକୁ ପଡେ ସୁଦୂର ରେଙ୍ଗୁନ୍, ଯିବାକୁ ପଡେ ତା’ ପ୍ରେମର ସ୍ଵର୍ଗୀୟ ଐଶ୍ଵର୍ଯ୍ୟକୁ ପଛରେ ଛାଡ଼ି। ଶୁଣିଥାଏ ସେ: ସେଠି ନଥିବ ଜମିଦାର କି ସାହୁକାରର ନାଲି ଆଖି। ସେଠି ସ୍ଵାଧୀନ ଭାବେ ଝାଳ ନିଗାଡି ନିର୍ଭୟରେ ତା’ର ମୂଲ ପାଇବ। ସେଇଥିରେ ହୁଏତ ବଞ୍ଚିବାର ରାହା ପାଇବେ ତା’ ପରିବାର। କିନ୍ତୁ ରେଙ୍ଗୁନ୍ ଯାଇ ସେଠୁ ଫେରି ପାରିବ କି ନାହିଁ କିଏ ଜାଣେ?

ପ୍ରିୟ ଗାଆଁ କେତେ ବାଗରେ ପଛରୁ ଟାଣି ଧରେ। ଡାଳୁଅ ବିଲ, ଗଉଡ ଟୋକାର ଧୁଡ଼ୁକା, ପଧାନ ଘର ଗାଈ, ପଥର ଖଣିରୁ ଭାସି ଆସୁଥିବା ଗୀତ….। ଏ ସବୁ ମାୟା ତୁଟେଇ ସେ ରେଳଗାଡିର ହୁଇସିଲକୁ କାନ ଡେରେ।

ରେଙ୍ଗୁନ୍ ଯାତ୍ରୀ ପଲ୍ଲୀବାସୀ ହୃଦୟର ବ୍ୟଥା, ବେଦନା, ଶୂନ୍ୟତା ଓ କାରୁଣ୍ୟକୁ କବି ବ୍ୟତୀତ ପ୍ରାଣସ୍ପର୍ଶୀ ଓ ଜୀବିତ ଭାବେ କବିତାୟିତ କରିଛନ୍ତି। ଏହି କବିତା ଏକାଦିକ୍ରମେ ଅତୀତରେ ଏକ ଐତିହାସିକ ଦଲିଲ୍ ଏବଂ ଅନ୍ୟଦିଗରେ ବାସ୍ତବଧର୍ମୀ, ଆବେଗାପ୍ଲୁତ, କଳାତ୍ମକ ସୃଜନଶୀଳତାର ଏକ ଦେଦୀପ୍ୟମାନ ଫର୍ଦ୍ଦ।

Comment