ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକ ଓଡ଼ିଆ କବିତାର ଜନ୍ମଦାତା ସଚ୍ଚିଦାନନ୍ଦ ରାଉତରାୟ ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ,  ପ୍ରଭାବଶାଳୀ ପ୍ରାବନ୍ଧିକ, ଓ ସମାଲୋଚକ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିର ସ୍ମରଣୀୟ।

‘‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି’’, ସଚ୍ଚିଦାନନ୍ଦ ରାଉତରାୟଙ୍କ ଏହି ଆବେଗପୂର୍ଣ୍ଣ କବିତା ସମସ୍ତଙ୍କ ପାଇଁ ଅଭୁଲା ହୋଇ ରହିଛି। ଗାଁ ମାଟିକୁ ପ୍ରାଣଭରି ଭଲ ପାଉଥିବା ମଣିଷଟିଏ ଥିଲେ ସଚ୍ଚି ରାଉତରାୟ। ଆଧୁନିକ ଓଡ଼ିଆ ସାହିତ୍ୟରେ ନବଦିଗନ୍ତର ବରେଣ୍ୟ କବି ଭାବେ ସେ ଥିଲେ ପରିଚିତ। ଆଜି ସେହି ଯୁଗସ୍ରଷ୍ଟା ମହାନ କବିଙ୍କର ଶ୍ରାଦ୍ଧବାର୍ଷିକୀ।

୨୦୦୪, ଅଗଷ୍ଟ ୨୧ରେ ସେ ଦୁନିଆ ଛାଡ଼ିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା। କିନ୍ତୁ ତାଙ୍କ କାଳଜୟୀ ସୃଷ୍ଟି ଯୋଗୁଁ ଆଜିବି ସେ କୋଟି କୋଟି ଓଡ଼ିଆଙ୍କ ମନରେ ଅମର।

କବିତାର ବିଷୟବସ୍ତୁ ଓ ଆତ୍ମିକ ସ୍ଵରଦୃଷ୍ଟିରୁ ମଧ୍ୟ ସମାଜ ସଚେତନତା, ମାନବବାଦ, ବୈପ୍ଳବିକ  ଚେତନା ଓ ବାମପନ୍ଥୀ ସାମ୍ୟବାଦର ପ୍ରାଚୁର୍ଯ୍ୟରେ ଓଡ଼ିଆ କବିତାକୁ ସଚ୍ଚି ରାଉତରାୟ ଦେଇଥିଲେ ଏକ ନୂତନ ପରିଚୟ। ସ୍ଵାଧୀନତା ପରବର୍ତ୍ତୀ ବହୁ ଓଡ଼ିଆ କବିଙ୍କ ଲାଗି ସେ ଥିଲେ କାବ୍ୟ-ଗୁରୁ। ତାଙ୍କୁ କେହି କେହି ମାଟିର ଦ୍ରୋଣ ମଧ୍ୟ କହୁଥିଲେ।BGU

୧୯୧୬ ମସିହା, ମାର୍ଚ୍ଚ ୧୩ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗାଁରେ ଜନ୍ମ ହୋଇଥିଲେ ସେ। ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନର ସେ ଅନ୍ୟତମ ପ୍ରବକ୍ତା। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ କରି ଓଡ଼ିଆ ସାହିତ୍ୟରେ ସେ ଆଣିଥିଲେ ପରିବର୍ତ୍ତନ।

ମାତ୍ର ୧୫ ବର୍ଷ ବୟସରୁ କବି ଜୀବନ ଆରମ୍ଭ କରିଥିବା ସଚ୍ଚି ରାଉତରାୟ ଓଡ଼ିଆ ଏବଂ ଇଂରାଜୀରେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ୧୯୬୨ରେ ପଦ୍ମଶ୍ରୀ, ୧୯୬୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ରେ ଜ୍ଞାନପୀଠ ପୁରସ୍କାର, ୧୯୬୫ରେ ସୋଭିଏତ ଦେଶ ନେହେରୁ ପୁରସ୍କାର, ୧୯୯୬ରେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋ ଆଦି ସମ୍ମାନରେ ସମ୍ମାନିତ ହୋଇଥିଲେ ସଚ୍ଚି ରାଉତରାୟ।

ଛାତ୍ର ଜୀବନରୁ ଭାରତର ସ୍ୱାଧୀନତା ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଚାଷୀ ଆନ୍ଦୋଳେନରେ ଅଂଶ ଗ୍ରହଣ କରିଥିଲେ ସେ। ତାଙ୍କ ରଚିତ ରକ୍ତଶିଖା, ଉଠ ଜାଗ ଭୋକି ବନ୍ଦୀରେ ଏହି ଆନ୍ଦୋଳନର ପ୍ରତିଛବି ଦେଖାଯାଏ। ତାଙ୍କର କେତୋଟି ପ୍ରସିଦ୍ଧ କବିତା ଗ୍ରନ୍ଥ ହେଉଛି ‘ପାଥେୟ’, ‘ପଲ୍ଲିଶ୍ରୀ’, ‘ଅଭିଯାନ’, ‘ବାଜିରାଉତ’, ‘ପାଣ୍ଡୁଲିପି’, ‘ଭାନୁମତୀର ଦେଶ’, ‘ସ୍ଵଗତ’, ‘କବିତା-୧୯୬୨’ ପ୍ରଭୃତି। ତାଙ୍କର ଗଳ୍ପ ଗ୍ରନ୍ଥ ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ’ ପ୍ରଭୃତି। ତାଙ୍କର ଏକମାତ୍ର ଉପନ୍ୟାସ ‘ଚିତ୍ରଗ୍ରୀବ।

(ମହାନ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଶ୍ରାଦ୍ଧବାର୍ଷିକୀରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।)

Comment