ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଶିଶୁ ଅନନ୍ତ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।

ଓଡ଼ିଆ ସାହିତ୍ୟ ପଞ୍ଚସଖା ଯୁଗର ସୁପ୍ରସିଦ୍ଧ କବି ସିଦ୍ଧସାଧକ ଶିଶୁ ଅନନ୍ତ ଦାସ ଭାରତୀୟ ସନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଆଧ୍ୟାତ୍ମବାଦୀ ଦାର୍ଶନିକ ଭାବରେ ସୁପରିଚିତ। ପଞ୍ଚସଖାଙ୍କ ମଧ୍ୟରେ ସର୍ବକନିଷ୍ଠ ଏହି ସଖା ଆଧ୍ୟାତ୍ମଚେତନାରେ ଶିଶୁସୁଲଭ ସରଳତା, କୋମଳତା ଓ ନିଷ୍କପଟତାର ପ୍ରତିମୂର୍ତ୍ତି ଥିଲେ। ଆଜି ସେହି ମହାନ ସାହିତ୍ୟିକଙ୍କ ଜୟନ୍ତୀ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

‘‘ଜଗନ୍ନାଥଙ୍କୁ କେନ୍ଦ୍ର କରି ଷୋଡ଼ଶ ଶତାବ୍ଦୀରେ ସନ୍ଥ ସାହିତ୍ୟ ଓଡ଼ିଶାରେ ସମାଜ, ଜ୍ଞାନ, ଚେତନା ଭକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲା। ଏହି ସମୟରେ ଶିଶୁ ଅନନ୍ଦ ଦାସଙ୍କ ସାହିତ୍ୟ ଏକ ନୂଆ ଦିଗ ଦେଇଥିଲା। ଅନନ୍ତ ଦାସ ରାମାନନ୍ଦଙ୍କ ଭକ୍ତ ଥିଲେ। ସେ ସୂର୍ଯ୍ୟ ଉପାସନା କରୁଥିଲେ। ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ପରିଚିତ ହୋଇଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

‘‘ଓଡ଼ିଆ ସାହିତ୍ୟରେ ଦୃଢ଼ ସାହିତ୍ୟିକ ଭାବେ ଅନବରତ ଉଦ୍ୟମରତ ଥିଲେ ଶିଶୁ ଅନନ୍ତ ଦାସ। ସକଳ ହୃଦୟରେ ଆଧ୍ୟାତ୍ମିକ ଭାବଧାରା ସୃଷ୍ଟି ମାଧ୍ୟମରେ ସୁସ୍ଥ, ସୁନ୍ଦର, ଶୃଙ୍ଖଳିତ ସମାଜ ଗଠନ ତଥା ଜଗତର ସର୍ବାଙ୍ଗୀନ କଲ୍ୟାଣ ପାଇଁ ଶିଶୁ ଅନନ୍ତ ଦାସ ନିଜକୁ ଉତ୍ସର୍ଗ କରିଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ଓଡ଼ିଆ ସାହିତ୍ୟ ପଞ୍ଚସଖା ଯୁଗର କବି ଶିଶୁ ଅନନ୍ତ ଦାସ ୧୪୮୬ ମସିହାରେ ଭୁବନେଶ୍ୱର ନିକଟବର୍ତ୍ତୀ ବାଲିପାଟଣା ଗାଁରେ ଜନ୍ମ ହୋଇଥିଲେ। ସେ ସିଦ୍ଧ ସାଧକ, ସନ୍ଥ, ସମାଜ ସଂସ୍କାରକ, ସମାଜର ଦିଗଦର୍ଶକ, ସମାଜକୁ ସଜାଡ଼ିବା ପାଇଁ ତାଙ୍କର ଗ୍ରନ୍ଥ, ସାହିତ୍ୟ, ହେତୁ ଉଦୟ ଭାଗବତ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ଦାର୍ଶନିକତା, ତାଙ୍କର ଚିନ୍ତାଧାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି, କହିଛନ୍ତି ବିଶିଷ୍ଟ ଗବେଷକ ସଚ୍ଚିଦାନନ୍ଦ ବେହେରା।

‘‘ଏ ଜାତିର ପ୍ରତିଟି ହୃଦୟରେ ଧର୍ମୀୟ ଭାବନା ସୃଷ୍ଟି କରିଥିବା ଯୋଗଜନ୍ମା ପୁରୁଷ ଥିଲେ ଶିଶୁ ଅନନ୍ତ ଦାସ। ପଞ୍ଚସଖାଙ୍କ ମଧ୍ୟରେ ତାଙ୍କ ସ୍ଥାନ ଅନନ୍ୟ। ତାଙ୍କର ଅନେକ ରଚନା ଭିତରେ ହେତୁଉଦୟ ଭାଗବତ, ପିଣ୍ଡ ବ୍ରହ୍ମାଣ୍ଡ ଗୀତାରେ ମନ ଓ ଚେତନାକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେଇଥିଲେ’’, କହିଛନ୍ତି ବିଶିଷ୍ଟ ଗବେଷକ ଜ୍ଞାନାନନ୍ଦ ସାଗର କୁମାର।

Comment