ଅସିତ ମହାନ୍ତି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସନ୍ଧ୍ୟାରେ ବିଦାୟ ନେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ରବୀନ୍ଦ୍ର ନାରାୟଣ ମିଶ୍ର।

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସନ୍ଧ୍ୟାରେ ରବୀନ୍ଦ୍ର ନାରାୟଣ ମିଶ୍ର ଚାଲିଗଲେ। ସେ ଥିଲେ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଓ ତାଙ୍କ ମହିମା ପ୍ରଚାରକ। ଦେହାନ୍ତ ବେଳେକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ରବୀନ୍ଦ୍ର ନାରାୟଣ ମିଶ୍ର ଥିଲେ ମୋର ରବିଭାଇ। ତାଙ୍କ ସହ ମୋର ପରିଚିତି ୧୯୭୯ ମସିହାରୁ। ସେତେବେଳକୁ ସେ ଆକାଶବାଣୀରେ ଗାଳ୍ପିକ ଓ ନାଟ୍ୟକାର ଭାବରେ ସୁପରିଚିତ। ‘ଗଳ୍ପଶ୍ରୀ’ ସଂକଳନରେ ତାଙ୍କ ‘ଆକାଶଦୀପ’ ଗଳ୍ପଟି ବି ତାଙ୍କର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରି ସାରିଥାଏ।

କବି ସଚ୍ଚିଦାନନ୍ଦ ରାଉତରାୟ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବାବେଳେ, ୧୯୭୯ ମସିହାରେ କଟକ ଓ୍ଵାଇ.ଏମ୍.ସି.ଏ.ଠାରେ ଏକ କ୍ଷୁଦ୍ରଗଳ୍ପ ଲେଖକ କର୍ମଶାଳାର ଆୟୋଜନ କରିଥିଲେ। ସେଥିରେ ସେ ଜଣେ ଗାଳ୍ପିକ ଭାବେ ଯୋଗଦେଇ ‘ବତିଘର’ ଶୀର୍ଷକରେ ଏକ ଗଳ୍ପ ପାଠ କରିଥିଲେ। ସେହି କର୍ମଶାଳାରେ ମୁଁ ବି ଯୋଗଦେଇଥିଲି ଜଣେ ପ୍ରାବନ୍ଧିକ ଭାବରେ।

ସେହିଦିନୁ ଆମର ପରିଚୟ। ମୋ ବଡ଼ ଭଉଣୀ ନାଁ ରେଣୁ ଓ ତାଙ୍କ ସ୍ତ୍ରୀଙ୍କ ନାଁ ରେଣୁ। ତେଣୁ ଅଚିରେ ତାଙ୍କ ସ୍ତ୍ରୀ ହୋଇଯାଇଥିଲେ ମୋର ବଡ଼ ଭଉଣୀ ଏବଂ ସେ ଭିଣୋଇ। ସେହି ଅନୁସାରେ ସେ ମୋର ରବିଭାଇ। ସେହି ଅନୁସାରେ ବି ତାଙ୍କ ପୁଅ ଓ ବୋହୂଙ୍କର ମୁଁ ମାମୁ। ତାଙ୍କ ଘର ଓ ପରିବାରରୁ ଜଣେ।

ପରେ ସେହି ସମ୍ପର୍କ ଅଧିକ ଘନିଷ୍ଠ ହୋଇଥିଲା, ଯେତେବେଳେ ସେ ଶ୍ରୀଜଗନ୍ନାଥ ମନ୍ଦିରରେ ଉପପ୍ରଶାସକ ରୂପେ ଯୋଗଦେଲେ, ସେତେବେଳେ ସେ ସେଠାରୁ ‘ଶ୍ରୀମନ୍ଦିର’ ନାମରେ ଏକ ପତ୍ରିକା ପ୍ରକାଶ କଲେ। ମୁଁ ସେତେବେଳକୁ ଭୁବନେଶ୍ୱରରେ ‘କ୍ଵାଲିଟି ପ୍ରେସ୍’ ଓ ‘ସମାବେଶ’ ପତ୍ରିକାରେ କାର୍ଯ୍ୟ କରୁଥିଲି। ତେଣୁ ‘ଶ୍ରୀମନ୍ଦିର’ ପତ୍ରିକା ସେଠାରୁ ଛାପା ହେଲା ଏବଂ ମୁଁ ହୋଇଗଲି ତା’ର ସମ୍ପାଦନା କାର୍ଯ୍ୟରେ ତାଙ୍କର ଜଣେ ଘରୋଇ ଓ ଘନିଷ୍ଠ ସହଯୋଗୀ।

ତାଙ୍କୁ ନେଇ ମୋର ଅନେକ ସ୍ମୃତି, ଅନୁଭୂତି ଏହି ପ୍ରାୟ ୪୫ ବର୍ଷ ଭିତରେ ଅଛି। ସେ ସବୁର ଅବତାରଣା ଏ ସଂକ୍ଷିପ୍ତ ପରିସରରେ ସମ୍ଭବ ନୁହେଁ। ଅନ୍ତତଃ ଏତିକି କହିବା ନିହାତି ଆବଶ୍ୟକ, ଯେ ତାଙ୍କ ଗପ ବହି ‘ଝରାଫୁଲର କାହାଣୀ’ ହେଉ ବା ହେଉ ‘ମହାଲକ୍ଷ୍ମୀ : ମହାପ୍ରସାଦ : ମହାପ୍ରଭୁ’ କି ‘ପରଂବ୍ରହ୍ମଙ୍କ ନବକଳେବର’- ସବୁଥିରେ, ସେ ସବୁର ପ୍ରତିଟି ପର୍ଯ୍ୟାୟରେ ମୁଁ ଥିଲି ତାଙ୍କର ଘନିଷ୍ଠ ସହଯୋଗୀ। ଏପରିକି, ମୋଠାରୁ ହିଁ ପ୍ରଥମ ପ୍ରକାଶିତ ଚଟି ବହିଟି ପାଇ, ସେ ‘ଶ୍ରୀଜଗନ୍ନାଥ ସହସ୍ରନାମ’ କୁ ସ୍ଵତନ୍ତ୍ର ପୁସ୍ତକ ଆକାରରେ ପ୍ରକାଶ କରିବା ସହିତ ତାହାର ବହୁଳ ପ୍ରଚାର, ପ୍ରସାର କରିଥିଲେ।

୧୯୯୬ରେ ଯେତେବେଳେ ମୁଁ ଦୀର୍ଘ ୧୦ ବର୍ଷର କର୍ମକ୍ଷେତ୍ର ‘ପ୍ରଜାତନ୍ତ୍ର’ ଛାଡ଼ି ଆସି ‘ସମ୍ବାଦ’ରେ ଯୋଗଦେଲି, ସେତେବେଳେ ତାଙ୍କୁ ନେଇ ଏକ ଆନୁଷ୍ଠାନିକ ସମ୍ପର୍କ ଗଢ଼ି ଉଠିଲା। ୧୯୯୬ ନଭେମ୍ବର ୧୯ ରେ ପୁନଶ୍ଚ ପ୍ରକାଶ ପାଇଲା ‘ସମ୍ବାଦ’ର ସ୍ଵତନ୍ତ୍ର କଟକ ସଂସ୍କରଣ। ସେ ବହୁତ ମଜା ମଜା କଥା କହନ୍ତି। ପଢ଼ାପଢ଼ି ବହୁତ ଭଲ। କଥାରେ ଆଧ୍ୟାତ୍ମିକତାର ସ୍ପର୍ଶ ଥାଏ। ତେଣୁ ସଂସ୍କରଣ ମୁଖ୍ୟ ଭାବରେ ମୁଁ ଚାହିଁଲି, ପ୍ରତିଦିନ ସେଥିରେ ଗୋଟିଏ ଶିକ୍ଷଣୀୟ କାହାଣୀ ସେ ଲେଖନ୍ତୁ। ତା’ର ଶୀର୍ଷକ ବି ମୁଁ ବାଛିଥିଲି- ‘କଥାଟିଏ କହୁଁ’। ସେ ଲେଖିଲେ। ସେଥିରେ ତାଙ୍କର ଛଦ୍ମନାମ ଥିଲା ‘ଦିବ୍ୟଦର୍ଶନ’।

ବର୍ଷେ କି ଦି’ବର୍ଷ ନୁହେଁ, ଦୀର୍ଘ ଦଶବର୍ଷ ସେ ତାହା ଲେଖିଥିଲେ। କିଛି ଦିନ ତାହା କଟକ ସଂସ୍କରଣରେ ପ୍ରକାଶ ପାଇବା ପରେ ସଂପାଦକ ସୌମ୍ୟରଞ୍ଜନ ସାର୍ ତାହାକୁ ଏକ ନିୟମିତ ସ୍ତମ୍ଭ ରୂପେ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ସ୍ଥାନିତ କରିଥିଲେ। ଦଶବର୍ଷ ପରେ ସେ ତାହା ଆଉ ନଲେଖିବାରୁ, ଅନ୍ୟ ଲେଖକଙ୍କ ଦ୍ଵାରା ତାହା ଏବେ ‘କଥାଟିଏ’ ନାମରେ ଏବଂ ‘ଯାଯାବର’ ଛଦ୍ମନାମ ରେ ପ୍ରକାଶ ପାଉଛି। ‘କଥାଟିଏ କହୁଁ’ର ଲେଖାଗୁଡ଼ିକ ମଧ୍ୟରୁ ଶହେଟି ଲେଖାଏଁ ଲେଖାକୁ ନେଇ ଏ ଭିତରେ ସେ ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶ କରିଛନ୍ତି।

ଶ୍ରୀଜଗନ୍ନାଥଙ୍କୁ ନେଇ ଗପ ଲେଖିବାରେ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କର ଓଡ଼ିଆ ସାହିତ୍ୟରେ ରହିଛି ସ୍ଵତନ୍ତ୍ର ସ୍ଥାନ। ସେ ସବୁକୁ ନେଇ ସେ ପ୍ରକାଶ କରିଛନ୍ତି ‘କଥାନୁଭୂତିରେ ଶ୍ରୀଜଗନ୍ନାଥ’, ‘କଥାରେ କଥାରେ ଶ୍ରୀଜଗନ୍ନାଥ’, ‘କଥାରେ ଗାଥାରେ ଶ୍ରୀଜଗନ୍ନାଥ’ ଓ ‘କଥାକୈବଲ୍ୟରେ ଶ୍ରୀଜଗନ୍ନାଥ’ ଆଦି ପୁସ୍ତକ।

ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ କଥା, ଗାଥା ଓ ଗୀତକୁ ନେଇ ସେ ଜଗନ୍ନାଥ ଲହରୀ ନାମରେ ଏକ ଅନୁଷ୍ଠାନ ଗଢ଼ି, ମହାପ୍ରଭୁଙ୍କର ଲୀଳା ଓ ମାହାତ୍ମ୍ୟର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ।

ଏ ସବୁ ପାଇଁ, କିଛିବର୍ଷ ତଳେ, ମୁଁ ସମ୍ପୃକ୍ତ ଥିବା ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ତାଙ୍କୁ ‘ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ’ ଦେବା ପାଇଁ ଆମେ ନିଷ୍ପତ୍ତି କରିଥିଲୁ। ସେ କିନ୍ତୁ ଆଉ କୌଣସି ସମ୍ମାନ ଗ୍ରହଣ ନକରିବାକୁ ସ୍ଥିର କରିଛନ୍ତି କହି ସେଥିରେ ସମ୍ମତ ହୋଇନଥିଲେ। କିନ୍ତୁ ବର୍ଷକ ତଳେ ପ୍ରତିଷ୍ଠାନ ପକ୍ଷରୁ ପୁଣି ଥରେ ତାଙ୍କୁ ସମ୍ମାନିତ କରିବା କଥା ସ୍ଥିର ହେଲା ଏବଂ ସେଥିପାଇଁ ତାଙ୍କୁ ରାଜି କରାଇବାର ଭାର ମୋ ଉପରେ ପଡ଼ିଲା। ମୋର ସୌଭାଗ୍ୟ ଯେ ମୁଁ କହିବା ପରେ ସେ ଆଉ ଅରାଜି ହୋଇନଥିଲେ। ୨୦୨୧ ରେ ଗଜପତି ମହାରାଜାଙ୍କଠାରୁ ସେହି ସମ୍ମାନ ଗ୍ରହଣ କରି ସେ ଖୁବ୍ ଭାବପ୍ରବଣ ହୋଇପଡ଼ିଥିଲେ।

ତାଙ୍କର ନୂଆ ପୁସ୍ତକ ଖଣ୍ଡିଏ ପ୍ରକାଶ ପାଇଲେ, ସେ ନିଜେ ଆସି ମୋତେ ତାହା ଦେଇ ଯାଉଥିଲେ ବା କାହା ହାତରେ ପଠାଇ ଦେଉଥିଲେ। ଏଥିରେ କେବେହେଲେ ବ୍ୟତିକ୍ରମ ହେଉ ନଥିଲା। ସବୁଥିରେ ତାଙ୍କ ହାତଲେଖା ଅବଶ୍ୟ ରହୁଥିଲା। ଅଳ୍ପ କେତୋଟି ଦିନ ତଳେ ତାଙ୍କ ନୂଆ ବହି ବାବଦରେ ବି ମୋ ସହ ସେ କଥାବାର୍ତ୍ତା କରିଥିଲେ।

ତାଙ୍କ ବିୟୋଗ ପରେ, ତାଙ୍କର ଆହୁରି କେତେ ବହି ବାହାରିବ। ସେ ସବୁ ପଛକୁ ପଛ ରହିଛି। କିନ୍ତୁ ମୋର ଗୋଟିଏ ଅଭାବ ରହିବ। ତାହା ହେଉଛି, ତାଙ୍କ ହାତଲେଖା ଥାଇ ମୁଁ ଆଉ ବହିଟଖଣ୍ଡିଏ ପାଇବି ନାହିଁ।

(ସୌଜନ୍ୟ: ସୋସିଆଲ ମିଡିଆ)

Tags: #RabindraNarayanMishra #OdiaLiterature #ShriJagannathCulture #Odisha #Columnist

Comment