ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୧ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ବର୍ଷୀୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୧’ରେ ସମ୍ମାନିତ କରାଯିବ।ସେହିପରି ଯୁବ ସାହିତ୍ୟିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’, ଏବଂ ଯୁବ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୧’ରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ଜୁଲି ମିଶ୍ର ଘୋଷଣା କରିଛନ୍ତି।   ଯୁବ ସାହିତ୍ୟିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ତାଙ୍କ ନଦନଦୀ ସମ୍ପର୍କିତ ବିଶେଷ ଗବେଷଣାତ୍ମକ ପୁସ୍ତକ ‘ଗୋନାସିକା ନନ୍ଦିନୀ ବୈତରଣୀ’ଓ ‘ବୁଢ଼ାବଳଙ୍ଗର ମାଝୀ’ନିମନ୍ତେ ପୁରସ୍କୃତ କରାଯାଉଛି। ସେହିପରି ୩୦ ବର୍ଷରୁ କମ୍ ବୟସରେ ସାହିତ୍ୟ ପ୍ରତି ଅନନ୍ୟ ଅବଦାନ ପାଇଁ ଯୁବ ଲେଖକ ପରମବୀର ଚକ୍ରଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯିବ।

ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ପ୍ରତିବର୍ଷ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ଏବଂ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ପ୍ରଦାନ କରାଯାଇଥିଲା। ସେହିଭଳି ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର ‘ତପସ୍ୟା ଶାଶ୍ୱତ ପୁରସ୍କାର’, ସୂର୍ଯ୍ୟ ଦେଓ ‘ତପସ୍ୟା ସୃଜନ ପୁରସ୍କାର’ଏବଂ ଡିଲେଶ୍ୱର ରଣା ‘ତପସ୍ୟା ସମ୍ଭାବନା ପୁରସ୍କାର’ପାଇଥିବା ବେଳେ ୨୦୨୦ ମସିହା ପାଇଁ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Tag: #ତପସ୍ୟାଫାଉଣ୍ଡେସନ #ଓଡ଼ିଆସାହିତ୍ୟ #TapasyaFoundationLiteraryAward #TapasyaFoundation

Comment