ଓଡ଼ିଶାଲାଇଭ୍ ବ୍ୟୁରୋ

  • ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ
  • ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଏକାକାର କରେ: ରାଜ୍ୟପାଳ
  • ଦାଶ ବେନହୁର ହୃଷୀକେଶ ମଲ୍ଲିକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ

ଓଡ଼ିଆ ମିଡିଆ ଆୟୋଜିତ ଚତୁର୍ଥ କୋରାପୁଟ ସାହିତ୍ୟ ଉତ୍ସବ ୨୦୨୧ ଅନୁଷ୍ଠିତ ହୋଇଛି। କରୋନା ପାଇଁ ଗଲା ବର୍ଷ ପରି ଏଥର ମଧ୍ୟ କୋରାପୁଟ ପରିବର୍ତ୍ତେ ଭୁବନେଶ୍ଵରରେ ଏହାକୁ ଆୟୋଜିତ କରାଯାଇଥିଲା। ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ସନ୍ଧ୍ୟାରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, “କୋରାପୁଟ ଏବେ ସାଂସ୍କୃତିକ ଓ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପାଲଟିଛି। ପ୍ରସିଦ୍ଧ ଲେଖକ ଗୋପୀନାଥ ମହାନ୍ତି ନିଜର ଉପନ୍ୟାସ ମାଧ୍ୟମରେ କୋରାପୁଟର ଗାଥାକୁ ବିଶ୍ଵସ୍ତରରେ ପହଞ୍ଚାଇଛନ୍ତି। ଓଡ଼ିଶା ସରକାର କୋରାପୁଟକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରାଧାନ୍ୟ ଦେବାପାଇଁ ଆଗଭର। ଏ ବର୍ଷ କେରାପୁଟରେ ଇକୋ ରିଟ୍ରିଟ୍‌ ମାଧ୍ୟମରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଉଦ୍ୟମ କରୁଛନ୍ତି। କୋରାପୁଟ ସାହିତ୍ୟ ଉତ୍ସବ ଲେଖକ, ବୁଦ୍ଧିଜୀବୀ ଓ କଳାକାରଙ୍କୁ ଏକାଠି କରିବାର ଏକ ଅଭିନବ ଉପକ୍ରମ।”

ଏ ଅବସରରେ ବିଶିଷ୍ଟ କଥାଶିଳ୍ପୀ ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର ଓ କବି ହୃଷୀକେଶ ମଲ୍ଲିକଙ୍କୁ ଯଥାକ୍ରମେ କାହାଣୀ ଓ କବିତା ପାଇଁ ‘କୋରାପୁଟ ସାହିତ୍ୟ ସମ୍ମାନ – ୨୦୨୧’ ପ୍ରଦାନ କରାଯାଇଥିଲା। ସମ୍ମାନ ସ୍ଵରୂପ ଉଭୟଙ୍କୁ ୨୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା।

ପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଉପାନ୍ତକୁ ଏବେ କେନ୍ଦ୍ରରେ ସ୍ଥାପିତ କରିବାର ସମୟ ଆସିଛି। ବିକାଶର କେନ୍ଦ୍ରବିନ୍ଦୁ ଉପାନ୍ତ ହେଲେ ଯାଇ ସମାଜରେ ସମତୁଲତା ପ୍ରତିଷ୍ଠା ହୋଇପାରିବ। ସାହିତ୍ୟରେ ଉପାନ୍ତକୁ ଗୁରୁତ୍ଵ ଦେବାର ବେଳ ଆସିଛି। କୋରାପୁଟ ସାହିତ୍ୟ ଉତ୍ସବ ଏ ଉଦ୍ୟମକୁ ଆଗକୁ ବଢ଼ାଉଛି।

ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କ‌ଥାକାର ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସଭାରେ ସଭାପତିତ୍ଵ କରିଥିଲେ।

ଏହାପରେ ୫ଟି ପର୍ଯ୍ୟାୟରେ ‘ଦୂରତା ଓ ବିକାଶ’, ‘ଓଡ଼ିଆ କାହାଣୀରେ ଓଡ଼ିଶା’, ‘ଓଡ଼ିଆ ସିନେମାରେ ଓଡ଼ିଆ ଜନଜୀବନ’, ‘ଓଡ଼ିଆ କବିତାରେ ଓଡ଼ିଶା’, ‘ବ୍ୟଙ୍ଗର ବୟସ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ପରେ ପରେ ଅଗ୍ନିବେଶ ମହାପାତ୍ର ଓ ସରିତା ପୃଷ୍ଟିଙ୍କ ମିଳିତ ସଂଯୋଜନାରେ ଯୁବକବିମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ଉଦ୍‌ଯାପନୀ ଓ ସମ୍ମାନ ସମାରୋହକୁ ସମ୍ବୋଧିତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସେ କହିଥିଲେ, “ବ୍ୟକ୍ତିଗତ ଚେତନାକୁ ଜାତୀୟ ଚେତନାରେ ଓ ଜାତୀୟ ଚେତନାକୁ ବ୍ରହ୍ମାଣ୍ଡ ଚେତନାରେ ଯେ ରୂପାନ୍ତରିତ କରିଥାଏ ତାହା ହେଉଛି ଅସଲ ସାହିତ୍ୟ। ପ୍ରତ୍ୟେକ ପୁଷ୍ପର ବିବିଧ ସୁଗନ୍ଧ ପରି ଓ ସଂଗୀତର ବିବିଧ ସ୍ଵର ପରି ସାହିତ୍ୟରେ ବିବିଧତାର ସମ୍ମିଳିତ ଲକ୍ଷ୍ୟ ମୋକ୍ଷ ଅଟେ। ସାହିତ୍ୟର ଉଦ୍ଦେଶ୍ୟ ସର୍ବଦା ସମସ୍ତଙ୍କ ହିତ ପାଇଁ। ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଯୋଡ଼ିଥାଏ।”

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ତେଲୁଗୁ କବି ନିଖିଳେଶ୍ଵର ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବୁଦ୍ଧିଜୀବୀ ତଥା ଟିମ୍‌ ଆଡମାର୍କ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଯୋଗ ଦେଇଥିଲେ।

Comment