ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ବିଶିଷ୍ଟ ଲେଖକ କହ୍ନେଇଲାଲ ଦାସଙ୍କ ୭୬ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। କହ୍ନେଇଲାଲ ସ୍ମୃତି ସଂସଦ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଲେଶ୍ଵର ଷ୍ଟେସନ କ୍ଲବ ପ୍ରେକ୍ଷାଳୟରେ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ବିଶିଷ୍ଟ ଗାଳ୍ପିକ ପ୍ରକାଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ଅନେକ ବିଶିଷ୍ଟ କବି, ଗାଳ୍ପିକ ତଥା ସାହିତ୍ୟିକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୁବ ଲେଖକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ପୁରସ୍କାର ସ୍ଵରୂପ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରକାଶ ମହାପାତ୍ର ବଂଶୀବାଦନ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ।

“କହ୍ନେଇଲାଲ ଦାସ ଗଳ୍ପ ସାହିତ୍ୟର ଜଣେ ମର୍ମସ୍ପର୍ଶୀ ଲେଖକ ଥିଲେ। ତାଙ୍କ ଲେଖା ଲୋକଙ୍କୁ ସ୍ଵାଧୀନତାର ସହ ବଞ୍ଚିବାକୁ ପ୍ରେରଣା ଦେଇଥାଏ। କହ୍ନେଇଲାଲ ନିଜ ଜୀବନରେ ଅନେକ ସଂଘର୍ଷର ସାମନା କରି ସାହିତ୍ୟ ଜଗତରେ ସଫଳତା ହାସଲ କରିଥିଲେ। ଆମ ସମସ୍ତଙ୍କ ଭିତରେ ବି ଜଣେ ଜଣେ କହ୍ନେଇଲାଲ ଅଛନ୍ତି। ଆମକୁ କେବଳ ତାହା ପରିପ୍ରକାଶ କରିବାକୁ ହେବ। ତେବେ ଯାଇ ଆମେ ଜୀବନର ପ୍ରକୃତ ଅର୍ଥକୁ ବୁଝିପାରିବୁ”, କହିଛନ୍ତି ପ୍ରକାଶ ମହାପାତ୍ର।

ଏଠାରେ କହ୍ନେଇଲାଲ ଦାସଙ୍କ ସ୍ମୃତିକୁ ଆଗକୁ ଆହୁରି ବ୍ୟାପକ କରିବା ପାଇଁ ଆୟୋଜକ ମଣ୍ଡଳୀ ପକ୍ଷରୁ କୁହାଯାଇଥିଲା। ସେହିପରି ଆସନ୍ତା ବର୍ଷ  କହ୍ନେଇଲାଲ ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବାକୁ ନେଇ କହ୍ନେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଘୋଷଣା କରାଯାଇଥିଲା।

କହ୍ନେଇଲାଲ ଦାସଙ୍କ ସ୍ମୃତି ସମାରୋହରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମଣୀନ୍ଦ୍ର କୁମାର ମେହେର, ବିଶିଷ୍ଟ କବି ସରୋଜ ବଳ, କବି ଶ୍ରୀଦେବ ପ୍ରମୁଖ ଯୋଗ ଦେଇଥିଲେ। ଏହା ସହ କହ୍ନେଇଲାଲ ଦାସ ସ୍ମୃତି ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ର, ସମ୍ପାଦକ ଉତ୍ପଳ ମହାନ୍ତି ଏବଂ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Tags: #EminentWriterKanheiLalDas #KanheilalDasJayantiSamaroha #KanheiKathaPuraskar #Balasore

LEAVE A REPLY

Please enter your comment!
Please enter your name here