ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରତ୍ନଭଣ୍ଡାର ୩୪ ବର୍ଷ ପରେ ଖୋଲୁଥିବାରୁ ଭକ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍କଣ୍ଠା। ତେବେ ଏହି ରହସ୍ୟମୟ ରତ୍ନଭଣ୍ଡାର ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ରଜତ କୁମାର କର ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ ଯେମିତି ରହସ୍ୟମୟ ଠାକୁର ତାଙ୍କ ରତ୍ନଭଣ୍ଡାର ବି ଠିକ୍ ସେମିତି ରହସ୍ୟମୟ। ଏହି ଭଣ୍ଡାରରେ ୩ଟି କୋଠରୀ ରହିଛି। ପ୍ରଥମ ଏବଂ ଦ୍ୱିତୀୟ କୋଠରୀରେ ଅଳଙ୍କାର ରହିଥିବା ବେଳେ ତୃତୀୟ କୋଠରୀ ରହସ୍ୟମୟ ହୋଇ ରହିଛି।

ରତ୍ନଭଣ୍ଡାର ରହସ୍ୟମୟ କାହିଁକି?

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର। ମଣିଷମାନେ କିଛି ରହସ୍ୟ ସୃଷ୍ଟି କରିଛନ୍ତି ଏବଂ କିଛି ପୂର୍ବରୁ ରହସ୍ୟମୟ ହୋଇ ରହିଛି। ଆମେ ସମସ୍ତେ ଶୁଣି ଆସିଛୁ ଯେ ରତ୍ନ ଭଣ୍ଡାରର ରକ୍ଷକ ହେଉଛନ୍ତି ଲୋକନାଥ। ଏଣୁ କୁହାଯାଉଛି ରତ୍ନଭଣ୍ଡାରକୁ ନାଗ ଜଗି ରହିଛନ୍ତି। ଜଗନ୍ନାଥ ମନ୍ଦିରର ପ୍ରଶାସକମାନଙ୍କ ସହ ଆଲୋଚନା କରିବା ବେଳେ ମୁଁ ଜାଣିବାକୁ ପାଇଛି ଯେ ରତ୍ନଭଣ୍ଡାର ବେଶ୍ ସଫାସୁତୁରା। ସେଠି ପୋକଜୋକ ନାହାନ୍ତି। ଏଥିରୁ ଜଣାପଡ଼ୁଛି ଭଣ୍ଡାରଘରକୁ ଜଗି ରହିଥିବା ସାପ ପୋକ ଜୋକ ଓ କୀଟପତଙ୍ଗକୁ ଖାଇଥାନ୍ତି। ରତ୍ନଭଣ୍ଡାର କାନ୍ଥରେ ଦୁଇଟି ବଡ଼ ଗାତ ରହିଛି। କୁହାଯାଏ ସାପ ସେହି ବାଟେ ଯିବା ଆସିବା କରନ୍ତି। ଏହି ରହସ୍ୟଗୁଡ଼ିକ ବୋଧହୁଏ ସତ। ଏହାବ୍ୟତୀତ ଅନେକ ରହସ୍ୟ ଅଛି, ଯାହା ମନଗଢ଼ା ବୋଲି ଆଲୋଚନା ହୋଇଥାଏା।

ରତ୍ନଭଣ୍ଡାରରେ କେତେ କୋଠରୀ ରହିଛି ଏବଂ ସେଥିରେ କ’ଣ ରହିଛି?

ମୁଁ ଯେତିକି ଜାଣିଛି ରତ୍ନଭଣ୍ଡାର ଭିତରେ ୩ଟି କୋଠରୀ ରହିଛି। ପ୍ରଥମ କୋଠରୀ ଭିତରେ ୩ ଦିଅଁଙ୍କର ଅଳଙ୍କାର ସବୁ ଆଲମାରିରେ ରଖାଯାଇଛି। ରଥଯାତ୍ରା ସମୟରେ ହେଉଥିବା ସୁନା ବେଶରେ ଏହି ଆଲମିରାରୁ ଅଳଙ୍କାର ଅଣାଯାଇ ତିନି ଠାକୁରଙ୍କୁ ଆଭୂଷିତ କରାଯାଏ। ଏହାସହ ଠାକୁରଙ୍କ ଦୈନନ୍ଦିନ ସେବାରେ ବ୍ୟବହାର କରାଯାଉଥିବା ଅଳଙ୍କାର ବି ଏହି ରତ୍ନଭଣ୍ଡାରରୁ ଆସିଥାଏ।

ଦ୍ୱିତୀୟ କୋଠରୀରେ ରହିଛି ସୁନା, ରୂପା, ମୋତି, ମାଣିକ୍ୟ। ହେଲେ ତୃତୀୟ କୋଠରୀଟି ଅତି ଗୁପ୍ତ। ଏହି କୋଠରୀ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି। ତୃତୀୟ କୋଠରୀକୁ ନେଇ ବହୁ କିମ୍ବଦନ୍ତୀ ରହିଛି। ଏହି କୋଠରୀ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହେଁ।

ରତ୍ନଭଣ୍ଡାରକୁ ଦୁର୍ଲଭ ଅଳଙ୍କାର କେଉଁଠୁ ଆସିଲା?

ଜଗନ୍ନାଥ ହେଉଛନ୍ତି ସାରା ବିଶ୍ୱର ଦେବତା ଏବଂ କୋଟି କୋଟି ଓଡ଼ିଆମାନଙ୍କର ଆରାଧ୍ୟ ଦେବତା। ପୂର୍ବ କାଳରେ ଓଡ଼ିଆ ରାଜାମାନେ ଯେତେବେଳେ ବିଭିନ୍ନ ରାଜ୍ୟ ଜୟ କରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ସେତେବେଳେ ସେମାନେ ସେ ରାଜ୍ୟରୁ ଆଣୁଥିବା ସୁନା, ରୁପା, ମୋତି, ମାଣିକ୍ୟ ପରି ବହୁ ଦୁର୍ଲଭ ଅଳଙ୍କାର ଜଗନ୍ନାଥଙ୍କ ନିକଟରେ ଅର୍ପଣ କରୁଥିଲେ। ସେ ସବୁ ସୁନା ଓ ରତ୍ନ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ସାଇତା ହୋଇ ରଖାଯାଇଛି।

ରାଜାମାନେ କେଉଁ କେଉଁ ଅଳଙ୍କାର ସବୁ ଆଣୁଥିଲେ?

ରାଜା କପିଳେନ୍ଦ୍ର ଦେବ ପଡ଼ୋଶୀ ରାଜ୍ୟର ରାଜାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ମୁକୁଟ ଓ ଖଣ୍ଡା ଆଣୁଥିଲେ। ଖଣ୍ଡାକୁ ରାଜ ନଅରରେ ରଖୁଥିବା ବେଳେ ମୁକୁଟ ଜଗନ୍ନାଥଙ୍କୁ ଅର୍ପଣ କରୁଥିଲେ। ଜଗନ୍ନାଥଙ୍କ ପାଖରେ କେତେ ପରିମାଣର ସୁନା ଅଳଙ୍କାର ରହିଛି ତାହା ରେକର୍ଡ ଅଫ୍ ରାଇଟସରେ ବର୍ଣ୍ଣିତ ଅଛି। ତଥାପି ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ମହଣ ମହଣ ସୁନା ଅଛି ବୋଲି ଆଲୋଚନା ହୋଇଥାଏ।

ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ପୂର୍ବରୁ ଆକଳନ କରାଯାଇଥିଲା କି?

ରତ୍ନଭଣ୍ଡାରରେ କେତେ ରତ୍ନ ଏବଂ ଅଳଙ୍କାର ରହିଛି ତାହା ପୂର୍ବରୁ ଗଣତି ହୋଇଥିଲା। ରେକର୍ଡ ଅଫ୍ ରାଇଟ୍ସରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଲିପିବଦ୍ଧ ହୋଇ ରହିଛି। ରତ୍ନଭଣ୍ଡାରରେ ଥିବା ରତ୍ନଗୁଡ଼ିକ ସମ୍ପର୍କରେ ସତ୍ୟବାଦୀ ପ୍ରେସରେ ଛପା ମଧ୍ୟ ହୋଇଛି। ରତ୍ନଭଣ୍ଡାରର ସବିଶେଷ ବିବରଣୀ ଓଡ଼ିଶାର ଖୁବ୍ କମ୍ ଲୋକଙ୍କ ପାଖରେ ଅଛି।

ରତ୍ନଭଣ୍ଡାରର ମରାମତି ହଠାତ୍ ଦରକାର ପଡ଼ିଲା କାହିଁକି?

ଜଗମୋହନକୁ ଲାଗିକି କାଳିଆ ସାଆନ୍ତଙ୍କ ରତ୍ନ ଭଣ୍ଡାର ରହିଛି। ରତ୍ନ ଭଣ୍ଡାର ଯେଉଁଠି ଅଛି ସେଇଟା ପୁରୁଣା ମନ୍ଦିରର ଭଗ୍ନାବଶେଷ ବୋଲି ମନେ ହୁଏ। ରତ୍ନଭଣ୍ଡାରଟି ଅର୍ଦ୍ଧ ନିର୍ମିତ ମନ୍ଦିର। ବର୍ତ୍ତମାନ ଏହି ରତ୍ନଭଣ୍ଡାରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି। ଜଗମୋହନ ବର୍ତ୍ତମାନ ଭାଙ୍ଗି ଯିବାକୁ ବସିଛି। ତେଣୁ ଏହାର ମରାମତି ନିହାତି ଆବଶ୍ୟକ। ସେହିପରି ଦୀର୍ଘବର୍ଷ ହେଲା ରତ୍ନଭଣ୍ଡାର ଖୋଲାଯାଇ ନଥିବାରୁ ତାହାର ଯାଞ୍ଚ ମଧ୍ୟ ନିହାତି ଆବଶ୍ୟକ। ରତ୍ନଭଣ୍ଡାର ଭିତରେ ବହୁ ଦୁର୍ମୁଲ୍ୟ ଅଳଙ୍କାର ଥିବାରୁ ଏହାର ମରାମତି ମଧ୍ୟ ନିହାତି ଦରକାର।

ସାକ୍ଷାତକାର: ସତ୍ୟବ୍ରତ ପାଢ଼ୀ

Comment