ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଳଙ୍ଗ ଶାଗରେ ଶାରୀରିକ ବିକାଶ ପାଇଁ ଆବଶ୍ୟକ ପାଖାପାଖି ସମସ୍ତ ପୋଷକ ତତ୍ତ୍ଵ ଭରି ରହିଥାଏ। ମିନେରାଲ୍ସ, ଭିଟାମିନ୍ ଓ ଆହୁରି ଅନେକ ନ୍ୟୁଟ୍ରିଏଣ୍ଟ୍ସ ପାଳଙ୍ଗ ଶାଗରେ ଭରି ରହିଥାଏ।

ସାଧାରଣତଃ ଲୋକମାନେ ପାଳଙ୍ଗ ଶାଗର ଭଜା କିମ୍ବା ପରଟା ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣଙ୍କୁ ଯଦି ପାଳଙ୍ଗ ଶାଗର ଅଧିକ ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ପାଳଙ୍ଗ ଶାଗର ଜୁସ୍ ପ୍ରସ୍ତୁତ କରି ପିଅନ୍ତୁ। ଏହା ଶରୀର ପାଇଁ ବେଶ୍ ଉପାଦେୟ ସାବ୍ୟସ୍ତ  ହୋଇଥାଏ।

ଜୁସ୍ ଯଦି ପ୍ରସ୍ତୁତ କରୁଛନ୍ତି ତେବେ ଅତି ପତଳା କରନ୍ତୁ ନାହିଁ କାରଣ ଏଥିରେ ଥିବା ଫାଇବର୍ସ ନଷ୍ଟ ହୋଇଯାଏ। ପାଳଙ୍ଗ ଶାଗରେ ଭିଟାମିନ୍-ଏ, ସି, ଇ, କେ, ଓ ବି କମ୍ଲେକ୍ସ ପ୍ରଚୁର ମାତ୍ରାରେ ରହିଥାଏ। ଏହାଛଡ଼ା କ୍ୟାରୋଟିନ୍, ଆଇରନ୍, ଆୟୋଡିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଫସଫରସ୍ ଓ ଆବଶ୍ୟକ ଏମିନୋ ଏସିଡ୍ ଭରି ରହିଥାଏ। ଏହି କାରଣରୁ ପାଳଙ୍ଗ ଶାଗର ଜୁସ୍ ପିଇବା ନିହାତି ଆବଶ୍ୟକ ହୋଇଥାଏ।

ପାଳଙ୍ଗ ଶାଗର ଉପକାରିତା ବିଷୟରେ ଆସନ୍ତୁ ଜାଣିବା…

କୋଷ୍ଠକାଠିନ୍ୟ

ପାଳଙ୍ଗ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ।

ନିଦ୍ରାହୀନତା

ପାଳଙ୍ଗ ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା ଆସିଥାଏ। ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ ଏହି ଶାଗ।

ଆଖି ସମସ୍ୟା

ପାଳଙ୍ଗ ଶାଗରେ ଭିଟାମିନ-ଏ ଅଧିକ ମାତ୍ରାରେ ଥିବାରୁ ଆଖି ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।

ହଜମ ଶକ୍ତି ବୃଦ୍ଧି ପାଏ
ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ଜୀର୍ଣ୍ଣ ଶକ୍ତି ବୃଦ୍ଧି ପାଇଥାଏ। ଶରୀରରେ ଥିବା ରକ୍ତକଣିକା ପରିମାଣ ମଧ୍ୟ ଏହି ଶାଗ ଖାଇବା ଦ୍ୱାରା ବୃଦ୍ଧି ପାଇଥାଏ ।

ଯକୃତ ସମସ୍ୟା
ଯକୃତ ଜନିତ ସମସ୍ୟା ଦୂର କରିବାରେ ପାଳଙ୍ଗ ଶାଗ ଅତ୍ୟନ୍ତ ଉପାଦେୟ ହୋଇଥାଏ ।

ମଧୁମେହ

ମଧୁମେହ ରୋଗୀମାନେ ପାଳଙ୍ଗ ଶାଗକୁ ନିୟମିତ ରୂପେ ଖାଇଲେ ଉପଶମ ଲାଭ କରିଥାନ୍ତି।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ପାଳଙ୍ଗ ଶାଗ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କର୍କଟ ନିରୋଧ ଭାବେ କାମକରିଥାଏ।

ତ୍ୱଚା ଚମକ

ମହିଳାମାନେ ନିୟମିତ ଏହି ଶାଗ ଖାଇଲେ ତ୍ୱଚାରେ ଏକ ଚମକ ଆସିଥାଏ। ଏହାସହ କେଶର ଘନତ୍ୱ ବଢ଼ିଥାଏ।

ହାଡ଼ ମଜବୁତ

ପାଳଙ୍ଗ ଶାଗରେ ଭିଟାମିନ୍-କେ ପ୍ରଚୁର ମାତ୍ରାରେ ଥିବାରୁ ହାଡ଼ ମଜବୁତ୍ ହୋଇଥାଏ।

Comment