ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ଼ରେ ନାୟିକା ଭାବେ ଲମ୍ବା ଇନିଂସ୍ ଖେଳିଥିବା ନାୟିକାମାନଙ୍କର ସଂଖ୍ୟା କମ୍। ଆଉ ସେମାନଙ୍କ ଭିତରୁ ବହୁତ କମ୍ ନାୟିକାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ବା ବ୍ଲକ ବଷ୍ଟର ମୁଭିର ମାନ୍ୟତା ପାଇଥିଲା।

ଆସନ୍ତୁ ନଜର ପକାଇବା, କେଉଁ ନାୟିକାମାନଙ୍କର ପ୍ରଥମ ସିନେମା ସୁପରହିଟ୍ ହୋଇଥିଲା?

ମହାଶ୍ୱେତା

ଲୋକପ୍ରିୟ ନାୟିକା ମହାଶ୍ୱେତା ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ୧୯୭୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଶେଷ ଶ୍ରାବଣ’ରୁ। ଏଥିରେ ପ୍ରଶାନ୍ତଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହି ଫିଲ୍ମଟି ସୁପରହିଟ୍ ହୋଇଥିଲା ଓ ତା’ ପରେ ମହାଶ୍ୱେତା ଆଗକୁ ବଢ଼ିଥିଲେ ଏବଂ ଲୋକପ୍ରିୟ ନାୟିକା ବନିଥିଲେ।

ଅପରାଜିତା

ଓଲିଉଡ଼ରେ ପ୍ରାୟ ୩୬ ବର୍ଷ ଧରି ସକ୍ରିୟ ଥିବା ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ସିନେମା ହେଲା ‘ଫୁଲ ଚନ୍ଦନ’। ୧୯୮୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହାର ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମହସୀନ୍। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଜୟା, ଦୀପା ସାହୁ, ଅଜିତ ଦାସ, ଶରତ ପୂଜାରୀ ଓ ଅନୀତା ଦାସ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମା ରୌପ୍ୟ ଜୁବୁଲି ମନାଇଥିଲା। ଏହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା।

ଅନୁ ଚୌଧୁରୀ

ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଓଲିଉଡ଼ରେ ନାୟିକା ରୂପେ ଦେଖିବାକୁ ମିଳୁଛି ଅନୁ ଚୌଧୁରୀଙ୍କୁ। ତାଙ୍କ ଅଭିନୀତ ଡେବ୍ୟୁ ସିନେମା ହେଲା- ‘ମା’ ଗୋଜବାୟାଣୀ’। ସନକ ଦେବତାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁଙ୍କ ନାୟକ ବନିଥିଲେ ମନୋଜ ପଣ୍ଡା। ଖୁବ୍ କମ୍ ବଜେଟ୍‌ରେ ନିର୍ମିତ ଏହି ଓଡ଼ିଆ ଛବିକୁ ମିଳିଥିଲା ବଡ଼ ବ୍ୟାବସାୟିକ ସଫଳତା। ଏପରି ଭାବେ ପ୍ରଥମ ଫିଲ୍ମରେ ସୁପରହିଟ୍ ନାୟିକା ବନିଥିଲେ ଅନୁ ଚୌଧୁରୀ।

ବର୍ଷା ପ୍ରିୟଦର୍ଶିନୀ

ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ଫିଲ୍ମ ହେଲା ’ଏ ଯୁଗର କୃଷ୍ଣସୁଦାମା’। ୨୦୦୩ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ସୂରଜ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀ, ଉତ୍ତମ ମହାନ୍ତି, ଜ୍ୟୋତି ମିଶ୍ର, ଉଷସୀ ମିଶ୍ର ଓ ହର ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶକ ହେଲେ ହର ପଟ୍ଟନାୟକ ଓ ପ୍ରଯୋଜକ ବିନୟ ନାୟକ। ବର୍ଷାଙ୍କ ପ୍ରଥମ ସିନେମା ସୁପରହିଟ୍ ହୋଇଥିଲା।

ନମ୍ରତା ଥାପ୍ପା

ପ୍ରାୟ ଏକ ଦଶନ୍ଧି ଧରି ଓଲିଉଡ଼ରେ ରାଜ୍ କରିଥିବା ମୁମ୍ବାଇ ନାୟିକା ନମ୍ରତା ଥାପ୍ପାଙ୍କ ପ୍ରଥମ ଓଡ଼ିଆ ସିନେମା ବକ୍ସ ଅଫିସରେ ବ୍ଲକ୍ ବଷ୍ଟର ହୋଇଥିଲା। ତାଙ୍କ ଅଭିନୀତ ପ୍ରଥମ ଛବି ହେଲା ‘ଆଇ ଲଭ୍ ୟୁ’, ଯାହା ୨୦୦୪ରେ ରିଲିଜ୍ ହୋଇଥିଲା। ଏଥିରେ ଡେବ୍ୟୁଟାଣ୍ଟ୍ ଅନୁଭବ ମହାନ୍ତି ଥିଲେ ନାୟକ ଭୂମିକାରେ। ସଞ୍ଜୟ ନାୟକ (ଟୁଟୁ)ଙ୍କ ପ୍ରଯୋଜିତ ଏହି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ‘ଆଇ ଲଭ୍ ୟୁ’ ପରେ ନମ୍ରତା ଓଲିଉଡ଼ରେ ନିଜର ଆସ୍ଥାନ ଜମେଇଥିଲେ।

ଶୀତଲ୍

ଏବେକାର ଚୁଲୁବୁଲି ନାୟିକା ଶୀତଲ୍ ଓଲିଉଡ଼ରେ ଏଣ୍ଟ୍ରି ନେଇଥିଲେ ଫିଲ୍ମ ’ଯିଏ ଯାହା କହୁ ମୋର ଢ଼ୋ’ ଜରିଆରେ। ଏଥିରେ ବାବୁସାନଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ଶୀତଲ୍। ସନ୍ଦୀପ ରାଉତରାୟଙ୍କ ପ୍ରଯୋଜନା ଓ ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା। ଏ ଦୃଷ୍ଟିରୁ ପ୍ରଥମ ସିନେମାରେ ହିଁ ଶୀତଲକୁ ମିଳିଥିଲା ହିଟ୍ ନାୟିକାର ପରିଚୟ।

ସୂରମୟୀ

ବାବୁସାନଙ୍କ ବିପକ୍ଷରେ ନାୟିକା ସାଜି ଓଲିଉଡ଼ରେ କ୍ୟାରିଅର୍ ଆରମ୍ଭ କରିଥିଲେ ସୂରମୟୀ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଭଲ ପାଏ ତତେ ୧୦୦ରୁ ୧୦୦’। ସୀତାରାମ ଅଗ୍ରୱାଲ୍ ଏହାର ପ୍ରଯୋଜକ ଓ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶକ। ଏହି ଫିଲ୍ମକୁ ଆଶାନୁରୂପକ ବ୍ୟାବସାୟିକ ସଫଳତା ମିଳିଥିଲା।

ରାଲି ନନ୍ଦ

ପ୍ରଥମ ସିନେମାରେ ହିଁ ସଫଳତା ସାଉଁଟିଥିବା ଆଉ ଜଣେ ଓଲିଉଡ଼ ନାୟିକା ହେଲେ ରାଲି ନନ୍ଦ। ସେ ବିରଜା ପ୍ରସନ୍ନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ତଥା ଦେବାନନ୍ଦ ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘କଳିଙ୍ଗ ପୁତ୍ର’ରୁ ନାୟକ ଭାବେ ଯାତ୍ରା ଆରମ୍ଭ କରିଥିଲେ। ଏଥିରେ ନବାଗତ ଆକାଶ ନାୟକ ଭୂମିକା ନିଭାଇଥିଲେ। ‘କଳିଙ୍ଗ ପୁତ୍ର’କୁ ବ୍ୟାବସାୟିକ ସଫଳତା ମିଳିଥିଲା।

Comment