ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଟିଆ ଗ୍ରାମପୁଞ୍ଜରେ ଧର୍ମେନ୍ଦ୍ର ପ୍ରଧାନ
  • ଗ୍ରାମବାସୀଙ୍କ ସହ ଆଲୋଚନା କଲେ
  • କହିଲେ, “କୋଟିଆ ହେଉଛି ଓଡ଼ିଶାର ଅବିଛେଦ୍ୟ ଅଙ୍ଗ”
  • ରାଜସ୍ୱ ମନ୍ତ୍ରୀ ଦେଲେ ଜବାବ

ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ରହିଥିବା କୋଟିଆ ଗ୍ରାମପୁଞ୍ଜ ପାଇଁ ଦରଦ ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ଧର୍ମେନ୍ଦ୍ର କୋଟିଆ ଗସ୍ତରେ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “କୋଟିଆ ହେଉଛି ଓଡ଼ିଶାର ଅବିଛେଦ୍ୟ ଅଙ୍ଗ। ଓଡ଼ିଶାର ଏହା ଥିଲା ଏବଂ ରହିବ। କୋଟିଆକୁ ନେଇ ଆନ୍ଧ୍ର ଯେଉଁ ରାଜନୀତି କରୁଛି ତାହା ସଫଳ ହେବାକୁ ଦିଆଯିବ ନାହିଁ। ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ କୋଟିଆ ପାଇଁ ଲଢ଼େଇ କରିବା ଦରକାର।”

ଧର୍ମେନ୍ଦ୍ର ପ୍ରଧାନ ସୋମବାର ସକାଳେ ହେଲିକପ୍ଟରରେ କୋରାପୁଟରେ ପହଞ୍ଚିଥିଲେ। ସେଠାରୁ ସେ କଡ଼ା ସୁରକ୍ଷା ବଳୟ ଭିତରେ କୋଟିଆ ଗ୍ରାମପୁଞ୍ଜ ଅଭିମୁଖେ ଯାଇଥିଲେ। କୋଟିଆରେ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। କୋଟିଆ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ସୁବିଧା ସୁଯୋଗ କରୁଛନ୍ତି ବୋଲି ସେ କହିଥିଲେ।

ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। କୋଟିଆକୁ ନେଇ ବିଜେପି ନାଟକବାଜି କରୁଛି ବୋଲି ସେ କହିଛନ୍ତି।

“୨୦୦୪ରୁ ୨୦୦୯ ମେଣ୍ଟ ଶାସନ ବେଳେ ବିଜେପି ହାତରେ ଥିଲା ରାଜସ୍ୱ ବିଭାଗ। ସେତେବେଳେ ବିଭାଗୀୟ ମନ୍ତ୍ରୀ କୋଟିଆ ଉପରେ ଧ୍ୟାନ ଦେଲେନି। ଏବେ ଆନ୍ଧ୍ର ପ୍ରଦେଶର ଶାସକ ଦଳ ଟିଡିପି ସହ ସମ୍ପର୍କ ତୁଟିଯିବା ପରେ ଧର୍ମେନ୍ଦ୍ର କୋଟିଆ ପୀତି ଦେଖାଇଛନ୍ତି। ଯେତେବେଳେ ଆନ୍ଧ୍ର କୋଟିଆକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଥିଲା ସେତେବେଳେ ସେ କୁଆଡ଼େ ଯାଇଥିଲେ?”

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ କୋଟିଆ ପାଇଁ କାହା ମନରେ ଦରଦ ନାହିଁ। ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

କୋଟିଆ ଗ୍ରାମପୁଞ୍ଜରୁ ଫେରି ଧର୍ମେନ୍ଦ୍ର କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ଗଣଦୁଷ୍କର୍ମର ୭ ମାସ ଏବଂ ପୀଡ଼ିତାଙ୍କ ଆତ୍ମହତ୍ୟାକୁ ଅଢ଼େଇ ମାସ ପୂରିଥିଲେ ବି ରାଜ୍ୟ ସରକାର ନ୍ୟାୟ ଦେଇ ପାରିନାହାନ୍ତି କହିଥିଲେ ଧର୍ମେନ୍ଦ୍ର।

Comment