ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ବର୍ଷରେ ପାଦ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଦିଲ୍ଲୀ ଏମ୍ସର କର୍ମଚାରୀଙ୍କ ସହ ମିଶି ଉଭୟ ଜନ୍ମଦିନ ପାଳିଛନ୍ତି। ନୂଆ ଜୀବନ ପାଇବା ପରେ ଉଭୟ ପ୍ରଥମ ଥର ପାଇଁ ଜନ୍ମଦିନ ପାଳନ କରିଛନ୍ତି।

କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ପୂରିଛି ତିନି ବର୍ଷ। ଏଥିପାଇଁ ଦିଲ୍ଲୀ ଏମ୍ସରେ ପାଳନ କରାଯାଇଛି ଜନ୍ମଦିନ। ଜଗା-କାଳିଆ ରହୁଥିବା ୱାର୍ଡକୁ ବେଲୁନ ଲଗାଇ ସଜା ଯାଇଥିବା ବେଳେ ଉଭୟ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏମ୍ସର ଡାକ୍ତର ଏବଂ କର୍ମଚାରୀ।

ଜନ୍ମଦିନ ଉପଲକ୍ଷେ ଜଗା-କାଳିଆ ନୂଆ ଡ୍ରେସ୍ ପିନ୍ଧି ଜନ୍ମଦିନକୁ ଉପଭୋଗ କରିଛନ୍ତି। ଜଗା-କାଳିଆଙ୍କ ବାପା-ମା’ ବି ଜନ୍ମଦିନରେ ଖୁସି ମନାଇବାକୁ ଭୁଲି ନାହାନ୍ତି। ଜଗା-କାଳିଆଙ୍କ ବାପା-ମା’ ବି ଜନ୍ମଦିନ ଉତ୍ସବରେ ସାମିଲ ହୋଇଛନ୍ତି।

୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳର ମିଲିପଡ଼ାରେ ଜନ୍ମ ହୋଇଥିଲେ ଜଗା-କାଳିଆ। ହେଲେ ଅନ୍ୟ ପିଲାଙ୍କଠାରୁ ସେ ଥିଲେ ଭିନ୍ନ। ଜନ୍ମରୁ ଉଭୟଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିଲା। ଏହାକୁ ନେଇ ପରିବାର ବର୍ଗ ଚିନ୍ତାରେ ପଡ଼ି ଯାଇଥିଲେ।

ଉଭୟ ଶିଶୁଙ୍କୁ କିପରି ଅଲଗା କରାଯିବ ସେନେଇ ପରିବାର ବର୍ଗ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ହେଲେ ଡାକ୍ତର ଅସ୍ତ୍ରୋପଚାର କରିବାକୁ କହିବାରୁ ଜଗା-କାଳିଆଙ୍କ ବାପା ଅସାମର୍ଥ୍ୟ ପ୍ରକାଶ କରିଥିଲେ।

ଧିରେ ଧିରେ ଜଗା କାଳିଆଙ୍କ ବୟସ ବଢ଼ିଲା। ହେଲେ ତାଙ୍କୁ ଅଲଗା କରାଯାଇ ପାରିଲା ନାହିଁ। ମୁଣ୍ଡ ଯୋଡ଼ି ହୋଇ ରହିଥିବାରୁ ସେମାନେ ଘର ବାହାରକୁ ବି ଆସିପାରୁ ନଥିଲେ। ଘର ଭିତରେ ଏକାଠି ଖାଉଥିଲେ ଏବଂ ବସୁଥିଲେ। ଦୁଇ ବର୍ଷ ପୂରିବା ପରେ ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ରାଜ୍ୟ ସରକାର ସେମାନଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ।

୨୦୧୭ ଜୁଲାଇ ମାସରେ ଜଗା-କାଳିଆ ଯାଇଥିଲେ ଦିଲ୍ଲୀ ଏମ୍ସ। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅଗଷ୍ଟ ୨୮ରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଥିଲା। ୩୦ ଜଣିଆ ଡାକ୍ତରୀ ଦଳ ପ୍ରାଥମିକ ଅସ୍ତ୍ରୋପଚାର କରିଥିଲେ। ଏହି ଟିମ୍‌ରେ ସାମିଲ ହୋଇଥିଲେ ଜାପାନ ବିଶେଷଜ୍ଞ। ହେଲେ ଉଭୟଙ୍କୁ ଅଲଗା କରିବା ସମ୍ଭବ ହୋଇ ନଥିଲା।

ଅକ୍ଟୋବର ୨୫ରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ହୋଇଥିଲା। ୨୧ ଘଣ୍ଟାର ମାରାଥନ ଅସ୍ତ୍ରୋପଚାର ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ଏବେ ଉଭୟ ଶିଶୁଙ୍କୁ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି।

ଉଭୟ ଶିଶୁଙ୍କୁ ଖୁସି ଦେବା ପାଇଁ ଦିଲ୍ଲୀ ଏମ୍‌ସରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଳନ କରାଯାଇଥିଲା। ଏବେ ତାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ।

Comment