ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମରୁ ଜୀବନ ପାଇଁ ସଂଘର୍ଷ କରି ହାରିଗଲା କାଳିଆ।

ମୁଣ୍ଡଯୋଡ଼ା ହୋଇ ବିରଳ ଶିଶୁ ଭାବେ କନ୍ଧମାଳରେ ଜନ୍ମ ହୋଇଥିଲେ ଜଗା କାଳିଆ। ଜନ୍ମରୁ ୨ ବର୍ଷ ଯାଏଁ ଦୁଇଟି ଶରୀର ଗୋଟିଏ ମୁଣ୍ଡ ନେଇ ଏମାନେ ବଢ଼ିଥିଲେ। ଅପରେସନ କରି ଜଗା କାଳିଆଙ୍କ ମୁଣ୍ଡ ଅଲଗା କରାଗଲା। କିନ୍ତୁ ବିଧିର ବିଧାନ ଏମିତି ଦୀର୍ଘ ୫ ବର୍ଷ ପରେ ଜଗା କାଳିଆଙ୍କ ଡୋରି ଛିଣ୍ଡି ଯାଇଛି। ଜଗାକୁ ପର କରି ସବୁଦିନ ପାଇଁ ଆଖି ବୁଜି ଦେଇଛି କାଳିଆ।

୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳର ମିଲିପଡ଼ାରେ ଜନ୍ମ ହୋଇଥିଲେ ଜଗା-କାଳିଆ। ହେଲେ ଅନ୍ୟ ପିଲାଙ୍କଠାରୁ ସେ ଥିଲେ ଭିନ୍ନ। ଜନ୍ମରୁ ଉଭୟଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିଲା। ଏହାକୁ ନେଇ ପରିବାରବର୍ଗ ଚିନ୍ତାରେ ପଡ଼ି ଯାଇଥିଲେ।  ଅପରେସନ କରାଗଲା। ଦୁହିଁଙ୍କୁ ମୁଣ୍ଡ ଅଲଗା କରାଗଲା। ୨୦୧୫ରୁ ୨୦୨୦ ମଧ୍ୟରେ ଡାକ୍ତରଖାନାରେ ଜଗା କାଳିଆ ଏକାଠି ସଂଘର୍ଷ କଲେ। କିନ୍ତୁ ଶେଷରେ ବୁଧବାର ରାତି ୯ଟାରେ ଜଗାକୁ ସବୁ ଦିନ ପାଇଁ ପର କରି ଚାଲିଗଲା କାଳିଆ।

କାଳିଆ ମୃତ୍ୟୁପରେ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର। ଏତେ କଷ୍ଟ ଆଉ ସଂଘର୍ଷ ପରେ ପୁଅକୁ ବଞ୍ଚାଇ ପାରିନଥିବାରୁ ବାହୁନି ବାହୁନି କାନ୍ଦୁଛନ୍ତି କାଳିଆର ମା‘।

‘‘ଦିଲ୍ଲୀରେ ଅବରେସନ ପରେ ଯେତେବେଳେ ପୁଅ ଦୁଇଙ୍କ ମୁଣ୍ଡ ଅଲଗା ହୋଇଥିଲା ସେତେବେଳେ ଆମେ ବହୁତ ଖୁସି ହୋଇଥିଲୁ। ଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ଲାଗୁଥିଲା ମୋ ପିଲା ସବୁଦିନ ପାଇଁ ଭଲ ହୋଇ ଘରକୁ ଯିବେ। କିନ୍ତୁ ମୋ କାଳିଆ ଆଜି ମତେ ଛାଡ଼ିଗଲା’’, କହିଛନ୍ତି କାଳିଆର ମା’।

ଦିଲ୍ଲୀରେ ହୋଇଥିଲା ଅପରେସନ୍‌

ଜଗା କାଳିଆଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିବାରୁ ସେମାନେ ଘର ବାହାରକୁ ବି ଆସିପାରୁ ନଥିଲେ। ଘର ଭିତରେ ଏକାଠି ଖାଉଥିଲେ ଏବଂ ବସୁଥିଲେ। ଦୁଇ ବର୍ଷ ପୂରିବା ପରେ ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ରାଜ୍ୟ ସରକାର ସେମାନଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ। ୨୦୧୭ ଜୁଲାଇ ମାସରେ ଜଗା-କାଳିଆ ଯାଇଥିଲେ ଦିଲ୍ଲୀ ଏମ୍ସ। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅଗଷ୍ଟ ୨୮ରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଥିଲା। ୩୦ ଜଣିଆ ଡାକ୍ତରୀ ଦଳ ପ୍ରାଥମିକ ଅସ୍ତ୍ରୋପଚାର କରିଥିଲେ। ଏହି ଟିମ୍‌ରେ ସାମିଲ ହୋଇଥିଲେ ଜାପାନ ବିଶେଷଜ୍ଞ। ହେଲେ ଉଭୟଙ୍କୁ ଅଲଗା କରିବା ସମ୍ଭବ ହୋଇ ନଥିଲା। ଅକ୍ଟୋବର ୨୫ରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ହୋଇଥିଲା। ୨୧ ଘଣ୍ଟାର ମାରାଥନ ଅସ୍ତ୍ରୋପଚାର ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ଏହି ଅପରେସନରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଏହାପରେ ଉଭୟ ଶିଶୁଙ୍କୁ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା। ଉଭୟ ଶିଶୁଙ୍କୁ ଖୁସି କରିବା ପାଇଁ ଦିଲ୍ଲୀ ଏମ୍‌ସରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଳନ କରାଯାଇଥିଲା। ଏମିତିକି ସେମାନଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ ଏମ୍ସ କର୍ତ୍ତୃପକ୍ଷ।

୨୦୧୯ରେ ଏମ୍ସ ଛାଡ଼ିଥିଲେ ଜଗା କାଳିଆ

୨୦୧୯, ସେପ୍ଟେମ୍ବର ୬ରେ ଦିଲ୍ଲୀ ଏମ୍‌ସ ଛାଡ଼ିଥିଲେ ଜଗା କାଳିଆ। ଜଗା-କାଳିଆ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଦିଲ୍ଲୀ ଷ୍ଟେସନକୁ ଆସିଥିଲେ। ଜଗା-କାଳିଆଙ୍କ ସହ ଏମ୍‌ସରୁ ୧୧ ଜଣିଆ ଟିମ୍‌ ଓଡ଼ିଶା ଆସିଥିଲେ। ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠି ମଧ୍ୟ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଡାକ୍ତରୀ ଟିମ୍‌ରେ  ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ର ଅଧ୍ୟକ୍ଷ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଡାକ୍ତରୀ ଟିମ୍‌ରେ ସର୍ଜରୀ ବିଭାଗ ପ୍ରଫେସର କୈଳାସ ଚନ୍ଦ୍ର ମିଶ୍ର, ଶିଶୁ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଜ୍ଞାନେନ୍ଦ୍ରନାଥ ବେହେରା, ନ୍ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକ, ଡାକ୍ତରଖାନା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଥିଲେ।

Comment