ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟ ସରକାର ପୁଣି ଦେବେ କାଳିଆ ଟଙ୍କା। ବଜେଟ୍‌ ଅଧିବେଶନରେ ଅଭିଭାଷଣ ରଖି ଏହା କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଗାମୀ ବର୍ଷ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ରାଜ୍ୟପାଳ କହିଥିଲେ।

ସେହିପରି ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି। ଏହାକୁ ବହୁଗୁଣା କରିବାକୁ ସରକାର ଲକ୍ଷ୍ୟ ରଖିଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ଗତ କିଛିଦିନ ତଳେ ରାଜ୍ୟ ସରକାର ‘କାଳିଆ’ ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ୍‌ ଯୋଜନାରେ ମିଶାଇ ଦେଇଥିଲେ। ଏହାକୁ ନେଇ ବିରୋଧୀ ଦଳ ଏବଂ କୃଷକ ସଙ୍ଗଠନ ସରକାରଙ୍କୁ ଘେରିଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ।

ନିର୍ବାଚନ ପୂର୍ବରୁ ସରକାର ପ୍ରଥମ କିସ୍ତି ଟଙ୍କା ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଥିବା ଅଭିଯୋଗ ହେବାକୁ କାଳିଆ ଯୋଜନା ବିବାଦରେ ରହିଥିଲା। ସରକାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। କାଳିଆ ଟଙ୍କା ଆଉ ମିଳିବ କି ନାହିଁ ତାକୁ ନେଇ ଚାଷୀ ଆଶଙ୍କାରେ ରହିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୁଣି କାଳିଆ ଟଙ୍କା ମିଳିବ ବୋଲି ସ୍ପଷ୍ଟ ହୋଇଯାଇଛି।

Comment