ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶ୍ରୀ ରେଡ୍ଡି। ତେଲୁଗୁ ସିନେମାରେ ଅଭିନୟ କରିବାକୁ ହେଲେ  ଅଭିନେତ୍ରୀଙ୍କୁ କିପରି ସାଲିସ୍ କରିବାକୁ ପଡ଼ିଥାଏ ତାର ପର୍ଦ୍ଦାଫାଶ କରିଛନ୍ତି ସେ।

ବିଶାଖାପାଟଣା: କାଷ୍ଟିଂ କାଉଚ ଅଭିଯୋଗ ଆଣି କଳାକାର ସଂଘ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି ଅଭିନେତ୍ରୀ ଶ୍ରୀରେଡ୍ଡି। ଗୋଟିଏ ଫିଲ୍ମରେ ଅଭିନ଼ୟ କରିବା ପାଇଁ ତାଙ୍କୁ କିପରି ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥିଲା ସେ ସମ୍ପର୍କରେ ଅବତାରଣା କରିବା ସହ ରାଜରାସ୍ତାରେ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି।

ଶ୍ରୀ ରେଡ୍ଡି କହିଛନ୍ତି, “ଗୋଟିଏ ତେଲୁଗୁ ସିନେମାରେ ଅଭିନୟ କରିବା ପାଇଁ ସୁରେଶ ଭେମୂଳା ହାଇଦ୍ରାବାଦର ଏକ ତାରକା ହୋଟେଲରେ ରାତି ବିତେଇବା ପାଇଁ କହିଥିଲେ। ଏଥିରେ ମୁଁ ରାଜି ନହେବାରୁ ମୁମ୍ବାଇର ଜଣେ କଳାକାରକୁ ଅଭିନୟ କରିବାର ସୁଯୋଗ ମିଳିଥିଲା।”

ଏହି ଘଟଣା ସମ୍ପର୍କରେ ଶ୍ରୀ ରେଡ୍ଡି ତେଲୁଗୁ ସିନେମା କଳାକାର ସଂଘରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରୁ କୌଣସି ସୁଫଳ ନ ମିଳିବାରୁ ଶନିବାର ଦିନ ସେ ଥାନାର ଦ୍ୱାରସ୍ଥ ହେଇଥିଲେ। ହେଲେ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା। ଏହି ଘଟଣା ପରେ ତେଲୁଗୁ ସିନେମା କଳାକାର ସଂଘ ଅଭିନେତ୍ରୀଙ୍କୁ ସଂଘର ସଦସ୍ୟ କାର୍ଡ ଦେବାକୁ ମନା କରିଥିଲା।

ପୋଲିସ ଓ କଳାକାର ସଂଘଠାରୁ ନ୍ୟାୟ ପାଇବାରୁ ନିରାଶ ହୋଇ ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ନ୍ୟାୟ ପାଇଁ ଅନଶନରେ ବସିଛନ୍ତି।

“ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିର ଏକ ସୁନାମ ରହିଛି। କିନ୍ତୁ ଏଠାରେ ଅଭିନୟ କରିବା ପାଇଁ ଅଭିନେତ୍ରୀଙ୍କୁ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ରାତି ବିତାଇବାକୁ ପଡ଼ିଥାଏ। ପରେ ସେମାନଙ୍କ ସହ ପ୍ରତାରଣା କରାଯାଏ”, କ୍ଷୋଭ ଭରା କଣ୍ଠରେ ଏହା କହିଛନ୍ତି ଅଭିନେତ୍ରୀ ଜଣକ।

ସେ ଆହୁରି କହଛନ୍ତି ଯେ ପ୍ରତି ବର୍ଷ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବହୁ କଳାକାରଙ୍କୁ ଚୟନ କରାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଶୋଷଣ କରାଯାଉଛି। ଏହାସହ ତେଲେଙ୍ଗାନା ସରକାରଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି ସେ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି।

ଶ୍ରୀ ରେଡ୍ଡିଙ୍କ ଏପରି ପ୍ରତିବାଦକୁ କେତେକେ ପ୍ରତିଷ୍ଠିତ ନିର୍ଦ୍ଦେଶକ ଓ ପ୍ରଯୋଜକ ବିରୋଧ କରିଛନ୍ତି। କିନ୍ତୁ ତେଲୁଗୁ ସିନେମା ଜଗତରେ ଲୁଚା ଛପାରେ ଚାଲିଥିବା ନାରୀ ଶୋଷଣ ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ବହୁ ମହିଳା ସଂଗଠନ ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି।

Comment