ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ବଲିଉଡ ହେଉ କିମ୍ବା ଓଲିଉଡ ଅଭିନେତା-ଅଭିନେତ୍ରୀଙ୍କ ପିଲାମାନେ ଅଭିନୟ ଆଡ଼କୁ ମୁହାଁଉଛନ୍ତି। କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ଘଟିଛି। ଆର ମାଧବନଙ୍କ ପୁଅ ଅଭିନୟ ନୁହେଁ, ସନ୍ତରଣକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି।

ବଲିଉଡ୍‌ର ଜଣାଶୁଣା ଅଭିନେତା ଆର୍ ମାଧବନ୍‌ଙ୍କ ପୁଅ ଦେଶ ପାଇଁ ପଦକ ଆଣିଛନ୍ତି। ମାଧବନ୍‌ଙ୍କ ପୁଅ ବେଦାନ୍ତ ମାଧବନ୍‌ ୧୫୦୦ ମିଟର ଅନ୍ତର୍ଜାତୀୟ ସନ୍ତରଣ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖବର ମାଧବନ୍ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ମାଧବନ ତାଙ୍କ ପୁଅ ବେଦାନ୍ତଙ୍କ ବ୍ରୋଞ୍ଜ ପଦକ ଧରିଥିବା ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଏହାର କ୍ୟାପସନରେ ଲେଖିଛନ୍ତି, “ମୋ ପତ୍ନୀ ସରିତା ଓ ମୋ ପାଇଁ ବହୁତ ଗର୍ବର ମୁହୂର୍ତ୍ତ ଆସିଛି। ବେଦାନ୍ତ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ସନ୍ତରଣ ପ୍ରତିଯୋଗିତାରେ ଭାରତ ପାଇଁ ତାହାର ପ୍ରଥମ ପଦକ ହାସଲ କରିଛନ୍ତି। ଆପଣମାନଙ୍କର ଆଶିର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ”।

ବେଦାନ୍ତ ସନ୍ତରଣର ସମସ୍ତ କଳା ନିଜ ପିତାଙ୍କଠାରୁ ଶିଖିଛନ୍ତି। ନିଜ ପୁଅକୁ ଟ୍ରେନିଂ ଦେବାର ଚିନ୍ତା ମାଧବନ ନିଜ ମନକୁ ସେତେବେଳେ ଆଣିଥିଲେ ଯେତେବେଳେ ‘ସାଲା ଖଡୁସ୍’ ଫିଲ୍ମ ପାଇଁ ସୁଟିଂ କରୁଥିଲେ। ଏହି ଫିଲ୍ମରେ ମାଧବନ୍ ଜଣେ ବକିଂ କୋଚ ଭାବେ ଅଭିନୟ କରିଥିଲେ। ନିଜ ରିଲ୍‌ ଚରିତ୍ରରେ ପ୍ରେରିତ ହୋଇ ପୁଅର କୋଚ୍‌ ହେବା ପାଇଁ ଚିନ୍ତା କରିଥିଲେ ମାଧବନ୍‌।

‘୩ ଇଡିଅଟ୍ସ’ ଭଳି ସୁପରହିଟ୍‌ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ମାଧବନ୍‌ ପୁଅ ଅନ୍ୟ କଳାକାରଙ୍କ ସନ୍ତାନ ଭଳି ଅଭିନୟକୁ ଚୟନ କରି ନାହାନ୍ତି ବରଂ ସେ ସନ୍ତରଣକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି।

Comment