ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରବାସୀଙ୍କୁ  ଗୁରୁବାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ଲୋଗୋ ଏବଂ ୱେବ୍‌ସାଇଟ୍ (www.smartcitybhubaneswar.gov.in) ଲୋକାର୍ପିତ କରିଛନ୍ତି।

ଏହାସହ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା (www.bhubaneswar.me) ୱେବ୍‌ସାଇଟ୍‌ ଏବଂ ଭୁବନେଶ୍ୱର ସହର ସମ୍ପର୍କିତ ଏକ କ୍ଷୁଦ୍ର ବୃତ୍ତ ଚିତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “୧୯୯୯ ପ୍ରଳୟଙ୍କାରୀ ମହାବାତ୍ୟାରେ ଭୁବନେଶ୍ୱର ହୋଇଯାଇଥିଲା ଧ୍ୱସ୍ତ ବିଧ୍ୱସ୍ତ। ଏହି ସହରକୁ ଏକ ବିଶ୍ୱସ୍ତରୀୟ ନଗର ଭାବେ ଗଢ଼ି ତୋଳିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଭୁବନେଶ୍ୱରକୁ ନୂଆ ରୂପ ଦେବା ବେଳେ ବହୁ ଚାଲେଞ୍ଜର ସମ୍ମୁଖିନ ହେବାକୁ ପଡ଼ିଥିଲା। ତେବେ ଭୁବନେଶ୍ୱର ସହରବାସୀ ଏବଂ ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱର ସ୍ମାର୍ଟସିଟିର ମାନ୍ୟତା ପାଇଛି। ଭୁବନେଶ୍ୱରକୁ ଆହୁରି ଆଗକୁ ନେବା ପାଇଁ ପ୍ରୟାସ ଜାରି ରହିଛି।”

ଲୋକାର୍ପିତ ହୋଇଥିବା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ୱେବ୍‌ସାଇଟ୍‌ରେ ବିଏସ୍‌ସିଏଲ୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ନିର୍ମାଣାଧୀନ ଏବଂ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ସମ୍ପର୍କରେ ସୂଚନା ଉପଲବ୍ଧ ରହିଛି।

ବିଡିଏ ୱେବ୍‌ସାଇଟ୍ www.bhubaneswar.me ରେ ଭୁବନେଶ୍ୱରର ଗୌରବମୟ ଐତିହ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ, ପ୍ରାକୃତିକ ବୈଭବ ସମ୍ପର୍କରେ ତଥ୍ୟ ରହିଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ୱେବ୍‌ସାଇଟ୍ ଅନେକ ସୁବିଧା ପ୍ରଦାନ କରିବ।

Comment