ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ହୁଲ୍‌ସ୍ତୁଲ୍ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ଏଭଳି ଘଟଣାରେ ଅପରାଧୀ ବର୍ତ୍ତି ପାରିବେ ନାହିଁ କହିଛନ୍ତି।

କାଶ୍ମୀରର କଠୁଆ ଏବଂ ଉତ୍ତରପ୍ରଦେଶ ଉନ୍ନାଓର ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି ଏହି ଦୁଇଟି ଦୁଷ୍କର୍ମ ଘଟଣାରେ ସାରା ଦେଶ ଲଜ୍ଜିତ ହୋଇଛି। ନାରୀମାନଙ୍କୁ ନ୍ୟାୟ ମିଳିବ। ନ୍ୟାୟ ପ୍ରଦାନ କରିବା ହେଉଛି ଆମ କର୍ତ୍ତବ୍ୟ।

ନୂଆଦିଲ୍ଲୀରେ ଡକ୍ଟର ଆମ୍ବେଦକର ଜାତୀୟ ସ୍ମାରକକୁ ଲୋକାର୍ପଣ କରିଥିଲେ ମୋଦି। ଏହି ଅବସରରେ ସେ କହିଛନ୍ତି ଯେ ବିଗତ ଦିନର କିଛି ଘଟଣା ଆମ ସାମାଜିକ ବ୍ୟବସ୍ଥାକୁ ଚାଲେଞ୍ଜ ଦେଇ ଆସୁଛି। ଉତ୍ତରପ୍ରଦେଶ ଏବଂ କାଶ୍ମୀରରେ ଯେଉଁ ଘଟଣା ଘଟିଛି ତାହା ନିଶ୍ଚିନ୍ତ ଭାବେ ସଭ୍ୟ ସମାଜ ପାଇଁ ଏକ ଲଜ୍ଜାକର ଘଟଣା।

ମୋଦି ଆହୁରି କହିଛନ୍ତି ଯେ ଦେଶର କୌଣସି ସ୍ଥାନରେ ଏଭଳି କାଣ୍ଡ ଘଟାଉଥିବା ଅପରାଧୀ କେବେ ବର୍ତ୍ତିବେ ନାହିଁ। ପୀଡ଼ିତାଙ୍କୁ ସମ୍ପୂର୍ଣ୍ଣ ରୂପେ ନ୍ୟାୟ ମିଳିବ।

ଏହି ଅବସରରେ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦି କହିଛନ୍ତି, “ଦଳିତମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି କଂଗ୍ରେସ କେବେ ଚାହିଁକି କି ଏବେ ବି ଚାହୁଁନି। ଦେଶବାସୀଙ୍କୁ ଭୂୟାଁ ବୁଲାଇବାକୁ କଂଗ୍ରେସ ଉଦ୍ୟମ କରୁଛି। ଆମେ ବାବା ସାହେବ ଆମ୍ବେଦକର ଦେଖାଇଥିବା ରାସ୍ତାରେ ଚାଲୁଛୁ। ସବ୍‌କା ସାଥ୍, ସବ୍‌କା ବିକାଶର କଥା କହୁଛୁ। ହେଲେ କଂଗ୍ରେସ ଏହାକୁ ସହ୍ୟ କରିପାରୁନି।”

ଉତ୍ତରପ୍ରଦେଶ ଏବଂ କାଶ୍ମୀରରେ ଘଟିଥିବା ଦୁଷ୍କର୍ମ ସାରା ଦେଶକୁ ଦୋହଲାଇ ଦେଇଛି। ଉତ୍ତରପ୍ରଦେଶ ଦୁଷ୍କର୍ମ ଘଟଣାରେ ବିଜେପି ବିଧାୟକ ଏବଂ ତାଙ୍କ ଭାଇଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ସେହିପରି କାଶ୍ମୀରରେ ଜଣେ ୮ ବର୍ଷର ନାବାଳିକାଙ୍କୁ ୮ ଜଣ ଯୁବକ ଗଣଦୁଷ୍କର୍ମ ଏବଂ ପରେ ହତ୍ୟା କରି ଦେଶର ନ୍ୟାୟ ବ୍ୟବସ୍ଥାକୁ ଚାଲେଞ୍ଜ ଦେଇଛନ୍ତି। ଏହି ଦୁଇଟି ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି।

ରାହୁଲ ଗାନ୍ଧି ଗୁରୁବାର ମଧ୍ୟରାତ୍ରିରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ କ୍ୟାଣ୍ଡେଲ ରାଲି କରି ଦୁଷ୍କର୍ମ ଘଟଣାର ପ୍ରତିବାଦ କରିଥିଲେ। ଆଜି ମୋଦି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି।

Comment