ଗୀତା ଦାସ

ନିୟମିତ ଅତ୍ୟଧିକ ମଦ୍ୟପାନ ମଣିଷ ଶରୀର ମନ ସହ ପାରିବାରିକ, ସାମାଜିକ, ଆର୍ଥିକ ସ୍ଥିତିକୁ ହଲଚଲ କରିଦେଇଥାଏ ଜାଣନ୍ତୁ, ଜଣାନ୍ତୁ:

ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ ବିଭିନ୍ନ ଦେଶ, ଜାତି ଓ ସଂସ୍କୃତି ଭିତରେ ତୁଳନାତ୍ମକ ବିଚାର କରି ମଦ୍ୟାସକ୍ତିର କେତେକ ସାର୍ବଜନୀନ ଲକ୍ଷଣ ସ୍ଥିର କରିଛନ୍ତି। ମଦ୍ୟପାନ କରୁଥିବା ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ତା’ର ମଦ ଅଭ୍ୟାସ ହେଲାଣି ବୋଲି କହିହେବ। ଏତିକିବେଳେ ସେ ଯଦି ମଦ ପିଇବାଛାଡ଼ି ଦେଇପାରେ ତା’ ହେଲେ ତା’ର କଠିନ ଶାରୀରିକ ରୋଗ ଓ ଅପମୃତ୍ୟୁର ସମ୍ଭାବନା କମିବ। କର୍ମକ୍ଷେତ୍ରରେ ଏବଂ ତା’ର ନିଜର ପାରିବାରିକ ଜୀବନରେ ଘୋର ଅଶାନ୍ତି ସୃଷ୍ଟି ହେବ ନାହିଁ।

ମଦ୍ୟପାୟୀର ସମସ୍ୟା ଓ ଲକ୍ଷଣଗୁଡ଼ିକୁ ଏମାନେ ଦୁଇ ଭାଗରେ ବିଭକ୍ତ କରିଛନ୍ତି।

(୧) ମଦର ଅଭ୍ୟାସ (ଆଲକୋହଲ ଡିପେଣ୍ଡେନ୍‌ସ ସିଣ୍ଡ୍ରୋମ୍)

(୨) ମଦ ପିଇବା ଯୋଗୁଁ ରୋଗ ଓ ଅସମର୍ଥତା (ଆଲକୋହଲ ରିଲେଟେଡ୍ ଡିସେବିଲିଟିସ୍)

ଏହି ଦୁଇ ଶ୍ରେଣୀର ଲକ୍ଷଣ ଓ ସମସ୍ୟାର ଆଧିକ୍ୟ ଓ ସ୍ୱଚ୍ଛତା ବିଚାର କରି ମଦ୍ୟପାୟୀର ଚିକିତ୍ସାର ପ୍ରୟୋଜନ ଅଛି କି ନାହିଁ ସ୍ଥିର କରିହେବ।

ମଦର ଅଭ୍ୟାସ (ଆଲକୋହଲ ଡିପେଣ୍ଡେନ୍ ସିଣ୍ଡ୍ରୋମ୍)

ବହୁତ ମଦ ପିଇ ମଧ୍ୟ ଯେଉଁମାନେ ନିଶା ହୋଇଛି ବୋଲି ଅନୁଭବ କରନ୍ତି ନାହିଁ କି ସେମାନଙ୍କର କର୍ମଦକ୍ଷତା କମେ ନାହିଁ ଓ ମନର ସ୍ୱାଭାବିକ ଭାବରେ କୌଣସି ବିଚ୍ୟୁତି ଦେଖାଯାଏ ନାହିଁ, ସେମାନଙ୍କର ବେଶି ନିଶା ସହିବାର କ୍ଷମତା ଅଛି ବୋଲି କହିହେବ।

ପ୍ରତିଟି ଲୋକର ଏପରି ନିଶା ସହିବାର କ୍ଷମତା (ସିଡେସନ୍‌ ଥ୍ରେସ୍‌ହୋଲ୍‌ଡ) ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ। ସେଥିପାଇଁ ଅନ୍ୟମାନଙ୍କ ତୁଳନାରେ ଲୋକଟି କେତେ ପିଉଛି ତୁଳନା ନ କରି, ନିଜେ ଯାହା ଆଗରୁ ପିଉଥିଲା ସେ ତୁଳନାରେ ବର୍ତ୍ତମାନ କେତେ ପିଉଛି ତାହା ଦେଖିବ।

ଦେଖାଯିବ ଯେ ତା’ର ମଦ ପିଇବାର ପରିମାଣ କ୍ରମଶଃ ବଢ଼ି ଚାଲିଛି। ସେ ଆଗପରି ଧୀରେ ସୁସ୍ଥେ ଘଣ୍ଟାକରେ ଗୋଟାଏ ଗ୍ଲାସ ପିଉ ନାହିଁ। ଢକଢକ କରି ଅଧଗ୍ଲାସ ପିଇ ବାକିତକ ଦଶ ପନ୍ଦର ମିନିଟ୍‌ ଭିତରେ ସାରି ଦେଉଛି। କୌଣସି କାରଣରୁ ମଦ ନ ମିଳିଲେ ବା ପିଇବାର ସୁବିଧା ନ ଥିବାରୁ ନ ପିଇ ରହିବାକୁ ପଡ଼ିଲେ ତା’ଠାରେ ନିମ୍ନୋକ୍ତ ମାନସିକ ଓ ଶାରୀରିକ ଲକ୍ଷଣ ଦେଖାଯାଉଛି।

ମାନସିକ ଲକ୍ଷଣ

ଅସଂଲଗ୍ନ ଭାବରେ ଚିନ୍ତା କରିବା, ମଦ ପିଉଥିଲାବେଳେ କ’ଣ କରୁଥିଲା, କ’ଣ କହୁଥିଲା ସେ ସ୍ମୃତି ସମ୍ପୂର୍ଣ୍ଣ ଲୋପ ପାଇବା (ବ୍ଲାକ୍‌-ଆଉଟ୍), ବିଭୀଷିକା ଦେଖିବା, ଅଶରୀରୀ କଥାବାର୍ତ୍ତା ଶୁଣିପାରିବା, ଦେହ ଉପର ଦେଇ ସାପ କି ବିଛା କିମ୍ବା ଅନ୍ୟ ପୋକଜୋକ ଚାଲିଗଲା ପରି ଲାଗିବା ଇତ୍ୟାଦି ମତିଭ୍ରମର ଲକ୍ଷଣ ଦେଖାଯାଏ। ଘୋର ଉତ୍କଣ୍ଠା ଓ ଅହେତୁକ ଭୟର ଭାବ ଦେଖାଯାଏ।

ଶାରୀରିକ ଲକ୍ଷଣ

ମୁଣ୍ଡବିନ୍ଧା, କମ୍ପ, ହାତଥରା, ବାନ୍ତି ଲାଗିବା, ଦେହ ଖରାପ କରିବା, ଦେହ ଗରମ, ଝାଳୁଆ ଲାଗିବା ଓ ହୃତସ୍ପନ୍ଦନ ବଢ଼ିଯିବା। ଏସବୁ ଲକ୍ଷଣ ଛଡ଼ା ତା’ର ଦୈନନ୍ଦିନ ଜୀବନ, ପାରିବାରିକ ଜୀବନ ଓ ମନର ଅବସ୍ଥା ବିଶ୍ଳେଷଣ କଲେ ନିମ୍ନୋକ୍ତ ସମସ୍ୟା ଥିବାର ଦେଖାଯାଏ।

ଦୈନନ୍ଦିନ ଜୀବନ

ପ୍ରାୟ ସବୁଦିନ ପିଉଛି, ଯୁଆଡ଼େ ଗଲେ ସାଙ୍ଗରେ ମଦ ବୋତଲ ନେଉଛି, ସବୁଠାରେ ପିଇବାର ସୁଯୋଗ ନ ଥିବାରୁ ପାଇଖାନା ବା ସେମିତି କୌଣସି ଜାଗାକୁ ଚାଲିଯାଇ ଲୁଚେଇ ଟିକେ ପିଇ ଦେଇ ଆସୁଛି, ଶୋଇଲାବେଳେ ଖଟ ପାଖରେ ହାତ ପାଆନ୍ତାରେ ବୋତଲ ରଖୁଛି, ଅଧିକାଂଶ ସମୟରେ ପିଇବା ବିଷୟରେ ଭାବୁଛି ଓ ତା’ର ପୁରୁଣା ସାଙ୍ଗ ସବୁ କୁଆଡ଼େ ଗଲେଣି, ବର୍ତ୍ତମାନ ଯେଉଁମାନେ ପିଅନ୍ତି କେବଳ ତାଙ୍କ ସହିତ ବସାଉଠା କରୁଛି ଓ ପିଉଛି।

ପାରିବାରିକ ଅଶାନ୍ତି

ଦାମ୍ପତ୍ୟ ଜୀବନର ଅଶାନ୍ତି ବହୁତ ବଢ଼େ। ପୁରୁଷ ଲୋକ କୁହନ୍ତି ସ୍ତ୍ରୀର ଅବୁଝାମଣା ଭାବ ଯୋଗୁଁ ଏବଂ ସ୍ତ୍ରୀ ସବୁବେଳେ ବିରକ୍ତ କରୁଥିବାରୁ ସେ ଦାୟରେ ପଡ଼ି ମଦ ପିଉଛି। ସ୍ତ୍ରୀ ଦେଖେ ଯେ ସେ ଯେତେ ସ୍ୱାମୀର ମନ ଜାଣି ଚଳିବାକୁ ଚେଷ୍ଟା କଲେ ମଧ୍ୟ ସ୍ୱାମୀର ପିଇବା କମୁ ନାହିଁ ଓ ସ୍ୱାମୀର ପିଇବା ଦୋଷ ଲାଗି ସମସ୍ତେ ତାକୁ ଦାୟୀ କରୁଛନ୍ତି ସେଥିରେ ସେ ବହୁତ ରାଗେ ଓ ବିରକ୍ତ ହୁଏ ଓ ସ୍ୱାମୀକୁ ଜଗେ। ଫଳରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା, କଟୁକ୍ତି, କଳି ଓ ମନୋମାଳିନ୍ୟ ବଢ଼େ।

ସ୍ତ୍ରୀ ଯେତେ ସ୍ୱାମୀର ପିଇବାରେ ବାଧା ଦିଏ ଓ ତା’କୁ ଜଗେ ସେତେ ସ୍ତ୍ରୀ ସ୍ୱାମୀର ଅପ୍ରିୟପାତ୍ରୀ ହୁଏ ଓ ସେମାନଙ୍କ ଭିତରେ ଶତ୍ରୁତାର ସମ୍ପର୍କ ହେଲାରୁ ମାଡ଼, ଗାଳି, ନୃଶଂସତା ଓ ଘରୁ ତଡ଼ିଦେବା ଇତ୍ୟାଦି ଆରମ୍ଭ ହୁଏ। ସ୍ତ୍ରୀଠାରେ ମାନସିକ ଚାପଜନିତ ରୋଗ ଦେଖାଯାଏ।

ମନର ଅବସ୍ଥା

ଯିଏ ମଦ ପିଏ ସେ ସିନା ନିଶା ଘାରିଲେ ଅମଣିଷ ପରି ବ୍ୟବହାର କରେ ମାତ୍ର ଅନ୍ୟ ସମୟରେ ତା’ଠାରେ ଦୟା, ମାୟା, ସ୍ନେହ, କୋମଳତା, ଅନୁତାପ ଓ ନିଜର ବ୍ୟବହାର ଯୋଗୁଁ ଲଜ୍ଜିତ ଭାବ ଦେଖାଯାଏ। ଭଲ ମୁହୂର୍ତ୍ତରେ ସେ ଭାବେ ଆଉ ମଦ ପିଇବ ନାହିଁ। କଥା ଦିଏ ଯେ ଏଥର ସେ ନିଜକୁ ସଜାଡ଼ିବ।

ତା’ପରେ ଯେତେବେଳେ କଥା ରଖି ନ ପାରି ପୁଣି ପିଏ, ସେତେବେଳେ ନିଜ ପ୍ରତି ଧିକ୍‌କାର, ଅନୁତାପ ଏବଂ ଅନ୍ୟମାନଙ୍କ ବ୍ୟବହାର ଯୋଗୁଁ ‘ମୁଁ ମଦ ପିଉଛି’ ବୋଲି ଅନ୍ୟକୁ ବା ନିଜ ଜୀବନର ପରିସ୍ଥିତିକୁ ଦୋଷ ଦେବା, ନିଜର ଅଣାୟତ୍ତ ଭାବ ଲକ୍ଷ୍ୟ କରି ଭୟ ଓ ଉତ୍କଣ୍ଠା, ବିଷଣ୍ଣତା ଇତ୍ୟାଦି ବିଭିନ୍ନ ପ୍ରକାରର ଭାବନା ତା’ ମନରେ ଖେଳୁଥାଏ।

କେହି ପିଇବା କଥା ଉଠେଇଲେ ବିରକ୍ତ ହୁଏ, ସେଠାରୁ ଚାଲିଯାଏ, ପିଇବାଟା କୌଣସି ଖରାପ କଥା ନୁହେଁ ବୋଲି ଯୁକ୍ତି କରେ ଓ ବେଶି ବେଶି ପିଉଥିବାର ଘଟଣା ଲୁଚାଏ। ଏ ସମୟରେ ତା’ର ପିଇବା ଯୋଗୁଁ ବିଭିନ୍ନ ସମସ୍ୟା ବିଷୟରେ ସେ ଜାଣୁଥାଏ, ମାତ୍ର ମୁହଁରେ ସ୍ୱୀକାର କରେ ନାହିଁ। ତେଣୁ ସାଙ୍ଗସାଥୀ ବା ପରିବାରର ଲୋକ ତା’ର ଚିକିତ୍ସାର ବ୍ୟବସ୍ଥା କଲେ ସେ ଅନେକ ସମୟରେ ରାଜି ହୋଇଥାଏ।

(ସୌଜନ୍ୟ: ମନର ଅନ୍ଧାର, ମାନସିକ ସମସ୍ୟା)

Comment