ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି।

କରୋନା ପାଇଁ ସମସ୍ତେ ଚିନ୍ତିତ! ସାଧାରଣ ବ୍ୟବସାୟୀ, ମଧ୍ୟବିତ୍ତ ପରିବାର ସାଙ୍ଗକୁ ଚାଷୀ, ଖଟିଖିଆ, ଡ୍ରାଇଭର୍, ଇଲେକ୍ଟ୍ରିସିଆନ୍, ପାଣି କାରିଗର, ମିସ୍ତ୍ରୀ, ବଢ଼େଇ ଓ ରଙ୍ଗମିସ୍ତ୍ରୀଙ୍କ ଭଳି ଦୈନିକ ରୋଜଗାର ଉପରେ ବଞ୍ଚୁଥିବା ମଣିଷ ଆଜି ରୋଜଗାର ନଥିବାରୁ ଅତିଶୟ ଚିନ୍ତାରେ ଅଛନ୍ତି। ତାଙ୍କର ମାନସିକ ଅବସ୍ଥା ଅତ୍ୟନ୍ତ ଖରାପ। ଏ ସମୟରେ ତାଙ୍କୁ କ’ଣ କହି ଆଶ୍ଵାସନା ଦେବା?

ଯେତେବେଳେ ମନରେ ଭୟ ଓ ଦୁଃଶ୍ଚିନ୍ତା ବଢ଼େ ଆମ ସମସ୍ତଙ୍କର ବୁଝିବା କ୍ଷମତା କମିଯାଏ। ତେଣୁ ଏ ସମୟରେ ଉପଦେଶ ଶୁଣି ମନ ବୁଝିଲା ଅବସ୍ଥାରେ ନଥାଏ। ଯିଏ ଯନ୍ତ୍ରଣାରେ କାତର, ତା’ର ଏକମାତ୍ର ଚିନ୍ତା ହେଲା କେମିତି ଯନ୍ତ୍ରଣା କମିବ। ତେଣୁ ତାକୁ କେବଳ ପରାମର୍ଶ କି ପ୍ରବୋଧନା ଦେଲେ ସେ ବୁଝିବ ନାହିଁ।

ମାନସିକ ଯନ୍ତ୍ରଣା ମଧ୍ୟ ସେହିପରି। ବାପା ମାଆଙ୍କର ମୃତ୍ୟୁ ପରେ ଶ୍ରାଦ୍ଧ କର୍ମ କରି ଆତ୍ମାର ଅମରତା ବିଷୟରେ ପ୍ରବଚନ ଶୁଣି ଅତି ଅଳ୍ପ ଲୋକ ସାନ୍ତ୍ଵନା ପାଇଛନ୍ତି। ଏଥିପାଇଁ ବିଭିନ୍ନ ଦେଶରେ ମାନସିକ ଅବନତି ଯୋଗୁଁ ଆତ୍ମହତ୍ୟାର ଘଟଣା ବଢ଼ିବା ନିଶ୍ଚିତ ଜାଣି ସେ ବିଷୟରେ କାର୍ଯ୍ୟପନ୍ଥା ସ୍ଥିର କରୁଛନ୍ତି। ସେମାନେ ସୋସିଆଲ୍ ୱାର୍କର ଓ ମନୋବିଜ୍ଞାନୀଙ୍କ ସହିତ ପରାମର୍ଶ କରି ସ୍ଥାନୀୟ ପରିସ୍ଥିତି ଓ ଯେଉଁ ଲୋକମାନେ ଅତିଶୟ ନର୍ଭସ ବା ଟେନସନରେ ଅଛନ୍ତି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ମନର ଅବସ୍ଥା ବୁଝିବା ଲାଗି ଘରଲୋକ, ଘନିଷ୍ଠ ବନ୍ଧୁ ଓ ବିଶ୍ଵାସୀ ସହକର୍ମୀମାନଙ୍କୁ କହୁଛନ୍ତି।

ବର୍ତ୍ତମାନ ଇଣ୍ଟରନେଟରେ ଆତ୍ମହତ୍ୟାର ପ୍ରତିରୋଧ ପାଇଁ କାର୍ଯ୍ୟପନ୍ଥା ବିଷୟରେ କେଉଁ ଦେଶ କ’ଣ କରୁଛି ଓ ୱାର୍ଲଡ ହେଲଥ ଅର୍ଗାନାଇଜେସନଙ୍କର କ’ଣ ଯୋଜନା ସବୁ ମିଳିବ। ଓଡ଼ିଶାର ସାମ୍ବାଦିକମାନେ ଏସବୁ ବିଷୟରେ ଜନସାଧାରଣଙ୍କୁ ଜଣାଇ ପାରିବେ। ବ୍ରିଟେନରେ ସରକାରଙ୍କ ଅନୁରୋଧ ଶୁଣି ଛଅସ୍ତରି ହଜାର ଲୋକ ସ୍ୱେଚ୍ଛାସେବୀ ହେଇ ନିଜ ସହରର ଓ ସାହି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସେଠିକାର ନ୍ୟାସନାଲ୍ ହେଲ୍‌ଥ ସର୍ଭିସ୍ ଶୃଙ୍ଖଳିତ ଭାବରେ କିଏ କ’ଣ କରିବ ଓ କେଉଁ ଜାଗାରେ କାମ କରିବ ତା’ର ବ୍ୟବସ୍ଥା କରିଛି। ଆମ ଦେଶରେ ବହୁ ସ୍ୱେଚ୍ଛାସେବୀ ସଂଘ ଜନହିତକର କାମରେ ଲାଗିଛନ୍ତି। ସେମାନଙ୍କୁ ସଂକ୍ଷିପ୍ତ ତାଲିମ ଦେଇ “ଆତ୍ମହତ୍ୟା ପ୍ରତିରୋଧ’’ ଦିଗରେ ନିଯୁକ୍ତ କରିହେବ।

ସେହିପରି ସଙ୍କଟ ସମୟରେ ପାରିବାରିକ ଅଶାନ୍ତି ବଢ଼ିଲାରୁ ମଣିଷର ସଂଯମ ଶକ୍ତି କମିଯାଏ। ଫଳରେ ପୂର୍ବେ ବଚସା, ପାଟିତୁଣ୍ଡ, ଗାଳି ଗୁଲଜ ହେଉଥିଲା। ବର୍ତ୍ତମାନ ବାଡିଆପିଟା ହେବା, କଠୋର ଶାସ୍ତି ଦେବା ଓ ବିଭିନ୍ନ ପ୍ରକାରର ନିର୍ଯାତନା ବଢ଼ିବାର ଘଟଣା ପ୍ରାୟ ପୃଥିବୀର ସବୁ ଦେଶରେ ବଢ଼ିଲାଣି। ଯେଉଁମାନେ ନାରୀ ସମସ୍ୟା ନେଇ କାମ କରନ୍ତି, ସେମାନଙ୍କର ରିପୋର୍ଟ ପଢ଼ି ୟୁନାଇଟେଡ୍ ନେସନର ସେକ୍ରେଟାରୀ ଜେନେରାଲ୍ ପାରିବାରିକ ଅତ୍ୟାଚାରର ବ୍ୟାପକତାର ପ୍ରତିରୋଧ କରିବା ପାଇଁ ସବୁ ଦେଶର ସରକାର ଓ ବିଭିନ୍ନ ଘରୋଇ ସଂସ୍ଥାକୁ ଅନୁରୋଧ ଜଣାଇଛନ୍ତି। ଏଥିପାଇଁ ଯେଉଁ କମିଟି କରୋନା ଭାଇରସ୍ ରୋଗ ବିଷୟ ବୁଝୁଛନ୍ତି, ସେମାନେ ରୋଗର ପ୍ରତିରୋଧ ଓ ପ୍ରତିକାର ସହିତ ଆନୁସଙ୍ଗିକ ମାନସିକ ସମସ୍ୟାର ବିଷୟ ନେଇ ଯତ୍ନବାନ ହେଲେ, ଲୋକଙ୍କ ମନରେ ଆଶ୍ଵାସନା ଆସିବ।

କେବଳ ସରକାର ନୁହନ୍ତି, ବ୍ୟାଙ୍କ୍ ଯେଉଁମାନଙ୍କୁ ଧାର କରଜ ଦେଇଛି ସେମାନଙ୍କ ସହିତ ଯେଉଁଠି ସମ୍ଭବ, ସେଠି ଭିଡିଓ କନଫରେନ୍ସ ମାଧ୍ୟମରେ ସେମାନଙ୍କର ଅସୁବିଧା ଶୁଣି କ’ଣ କରିବା ଦରକାର ସେ ବିଷୟରେ ଯଦି ପରାମର୍ଶ ଦିଅନ୍ତି, ତାହାହେଲେ ଲୋକେ ଉପକୃତ ହେବେ। ଅଧିକାଂଶ ଉନ୍ନତ ଦେଶରେ ‘ଡେଟ୍ କାଉନସେଲିଂ’ ବା ଧାର କରଜ ଯୋଗୁଁ ଯେଉଁମାନେ ଥଳକୂଳ ପାଉନାହାନ୍ତି ସେମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା ଅଛି।

ସରକାର ଅର୍ଥ ସାହାଯ୍ୟ ଦେବେ ବୋଲି ଘୋଷଣା କରିଛନ୍ତି ସତ, ମାତ୍ର ଘୋଷଣା କରିବା ଓ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିବାର ବ୍ୟବସ୍ଥା କରିବା ଓ ପ୍ରୟୋଜନ ବେଳେ ସାହାଯ୍ୟ ମିଳିବା ଭିତରେ ସାଧାରଣତଃ ଅନେକ ବ୍ୟବଧାନ ଥାଏ। ମାନସିକ ଦୁଃଶ୍ଚିନ୍ତାର ଏକ ପ୍ରଧାନ କାରଣ ହେଲା ଯେ ସମୟରେ ସାହାଯ୍ୟ ମିଳିବ ନାହିଁ ଓ ମିଳିଲେ ମଧ୍ୟ ତାହା “ସମୁଦ୍ରକୁ ଶଙ୍ଖେ ପାଣି’’ ଦେଲା ପରି। ଏଭଳି ସାହାଯ୍ୟ ଫଳରେ କାହାର ଅବସ୍ଥାରେ ବିଶେଷ ଉନ୍ନତି ହେବ ନାହିଁ। କାରଣ କଟକଣା ଉଠିଲା ପରେ ପୂର୍ବ ଅବସ୍ଥା ଫେରିବାକୁ ସମୟ ଲାଗିବ।

ଲୋକଙ୍କ ହାତରେ ପଇସା ନଥିଲେ ସେମାନେ ଆଗପରି କିଣାକିଣି କରିପାରିବେ ନାହିଁ। ଯାହାର ପଇସା ଅଛି ସେ ମଧ୍ୟ ଆଗପରି ଖୋଲା ହାତରେ ଖର୍ଚ୍ଚ ନ କରି ଖର୍ଚ୍ଚ କମେଇବ। ଚାହା ଦୋକାନୀଠାରୁ ଆରମ୍ଭକରି ହୋଟେଲ୍, ଉଡାଜାହାଜ କମ୍ପାନି ଯାକେ ସମସ୍ତେ ଭାବୁଛନ୍ତି କଟକଣା କେବେ ଉଠିବ ଓ ଉଠିଲେ କେତେଦିନ ଲାଗିବ ଆଗପରି ଆର୍ଥିକ ଅବସ୍ଥା ଭଲ ଆଡକୁ ଆସିବାକୁ। ଯେ ଚାକିରିରୁ ଛଟେଇ ହେଉଛି କଟକଣା ଉଠିଲେ ସେ କ’ଣ ପୁଣି ନିଯୁକ୍ତି ପାଇବ? ଇଟା ମିସ୍ତ୍ରୀ, କାଠ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ଡ୍ରାଇଭର୍, ଷ୍ଟେସନର କୁଲି ଏମାନେ କେମିତି କେତେ ରୋଜଗାର କରିବେ ଯେ ଧାର କରଜ ଶୁଝି ଡାକ୍ତର ଔଷଧ ଦେଇ ଘର ଖରଚ ତୁଲେଇବେ?

ମନକୁ ଯେତେବେଳେ ଅନିଶ୍ଚୟ ଅବସ୍ଥା ଯୋଗୁଁ ବିପଦ ପରେ ବିପଦ ଆସିବାର ସମ୍ଭାବନା ଆସେ, ସେତେବେଳେ ଆଶାବାଣୀ ଶୁଣିଲେ ମନରେ ନୈରାଶ୍ୟ କମେ ନାହିଁ, ବରଂ ଅବାସ୍ତବ ଆଶାବାଣୀ ପରିହାସ ପରି ଲାଗେ। ଏଥିପାଇଁ ଅନିଶ୍ଚୟତା କମାଇବା ଲାଗି ଯଦି ଆସନ୍ତା ଛଅ ମାସରେ କ’ଣ ହେବ ସେ ବିଷୟରେ ବାସ୍ତବ ଚିତ୍ରଟିଏ ଦେଲେ ଲୋକେ ଧୀରେ ଧୀରେ ଆଶ୍ଵସ୍ତ ହେବେ। ଆମେ  ଆକୁ କହୁ “ବ୍ରେକିଂ ଦି ସାକ୍ୟୁଟ୍’, ଅର୍ଥାତ୍ ଚିନ୍ତାର ନିମ୍ନଗତିକୁ ବଦଳେଇ ପୁଣି ଉପର ଆଡ଼କୁ ନେବା।

ଭୟ ମଣିଷର ବ୍ରେନ୍‌କୁ ପ୍ରଭାବିତ କଲାରୁ ମନରେ ନୈରାଶ୍ୟ ଓ ବିଷାଦ ବଢ଼େ ଓ ଆତ୍ମହତ୍ୟାର ଭାବନା ଆସେ। ତେଣୁ ଏ ବିଷୟରେ ସଚେତନ ହେଲେ ଭଲ। ଆମ ଦେଶରେ ଆର୍ଥିକ ଅନଟନ ଯୋଗୁଁ ଚାଷୀ ଆତ୍ମହତ୍ୟାର ଘଟଣା ଜଣାଶୁଣା। ମାତ୍ର ଏ ଅବସ୍ଥାର ପ୍ରତିକାର ପାଇଁ ବା ଆତ୍ମହତ୍ୟା ନିବାରଣ ପାଇଁ ମାନସିକ ଓ ସାମାଜିକ କାରଣ ଓ ପ୍ରଭାବ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନାହିଁ। ଆମେ ଜାଣୁ ସମାନ ପରିସ୍ଥିତିରେ ଥାଇ ସମସ୍ତେ ଆତ୍ମହତ୍ୟା କରନ୍ତି ନାହିଁ। ତେଣୁ ଯାହାର ଆତ୍ମହତ୍ୟା କରିବାର ସମ୍ଭାବନା ବେଶୀ ସେଭଳି ଲୋକଙ୍କୁ କାଉନସେଲିଂ ପାଇବାର ସୁଯୋଗ ଥିଲେ ସେ ଆତ୍ମହତ୍ୟା କରିବାରୁ ନିବର୍ତ୍ତି ପାଇପାରେ।

ଏଥିଲାଗି କରୋନା ଭାଇରସ୍ ଯୋଗୁଁ ଯେଉଁ ଅର୍ଥନୈତିକ ଆତଙ୍କ ଆରମ୍ଭ ହେଲାଣି ସେ ବିଷୟ ଚିନ୍ତା କରି ଆତ୍ମହତ୍ୟା ନିବାରଣ, ପାରିବାରିକ ଅତ୍ୟାଚାରର ଦୂରୀକରଣ ଓ ଯେଉଁମାନେ ଅନବରତ ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ତାଙ୍କ ପାଇଁ ମନର ଭାରା ଲାଘବ କରିବା ଲାଗି ବ୍ୟବସ୍ଥା କରିବା ନିହାତି ଦରକାର। ସ୍ଥାନୀୟ କାଉନସେଲର, ମନୋବିଜ୍ଞାନୀ ଓ ମାନସିକ ରୋଗର ଚିକିତ୍ସକଙ୍କ ଭଳି ଲୋକଙ୍କୁ ନେଇ ଟାସ୍କ ଫୋର୍ସ ଗଢ଼ି କାର୍ଯ୍ୟପନ୍ଥା ତିଆରି କଲେ ସମସ୍ତଙ୍କର ଉପକାର ହେବ।

(ପ୍ରସ୍ତୁତି: ନୀଳାମ୍ବର ରଥ)

Comment