ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡରେ ହେଉ କି ବଲିଉଡ୍ ସବୁଠିଁ ନାୟକ-ନାୟିକାଙ୍କ ଭିତରେ ବୟସର ତାରତମ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। କେଉଁ ସିନେମାରେ ନାୟକ ବଡ଼ ତ ନାୟିକା ସାନ, ପୁଣି କେଉଁଥିରେ ହିରୋଇନଙ୍କ ବୟସ ଅଧିକ ଆଉ ହିରୋଙ୍କ ବୟସ କମ୍। ଏଦୃଷ୍ଟିରୁ ଓଲିଉଡରେ ଅନେକ ସମୟରେ ବିଭିନ୍ନ ନାୟକ-ନାୟିକାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିଥାନ୍ତି।

ଓଲିଉଡର ଡ୍ୟାନ୍ସିଂ ହିରୋଇନମାନଙ୍କ ମଧ୍ୟରୁ ଜଣେ ହେଲେ ଅର୍ଚ୍ଚିତା। ସେ ୨୦୦୫ରେ ରିଲିଜ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍‌’ରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ପଛକୁ ଫେରି ଚାହିଁନାହାନ୍ତି। ଇତିମଧ୍ୟରେ ଓଲିଉଡରେ ତାଙ୍କର ୧୩ ବର୍ଷ ପୂରଣ ହେଲାଣି। ଏହି ସମୟ ଭିତରେ ଅର୍ଚ୍ଚିତା ଓଲିଉଡର ଅଧିକାଂଶ ଟପ୍ ହିରୋଙ୍କ ସହିତ ଅନ୍‌ସ୍କ୍ରିନ୍ ରୋମାନ୍ସ କରିଛନ୍ତି।

ଅର୍ଚ୍ଚିତାଙ୍କ ଡେବ୍ୟୁ ଫିଲ୍ମ ‘ଓ ମାଇଁ ଲଭ୍‌’ରେ ହିରୋ ଥିଲେ ନବାଗତ ରାଜଦୀପ। ତାଙ୍କର ଦ୍ୱିତୀୟ ସିନେମା ‘ବାବୁ ଆଇ ଲଭ୍ ୟୁ’ରେ ନାୟକ ବନିଥିଲେ ଆଉ ଜଣେ ନବାଗତ ଚନ୍ଦନ।

ଏହାପରେ ସମୟକ୍ରମେ ଅର୍ଚ୍ଚିତା ସବ୍ୟସାଚୀ, ଅନୁଭବ, ଅରିନ୍ଦମ, ବାବୁସାନ୍, ଆକାଶ ଓ ବୁଦ୍ଧାଦିତ୍ୟଙ୍କ ପରି ଟପ୍ ହିରୋଙ୍କ ସହିତ ଅନ୍‌ସ୍କ୍ରିନ୍ ରୋମାନସ କରିଛନ୍ତି।

ହେଲେ ଆପଣ ଜାଣନ୍ତି କି ଓଲିଉଡର ଏଭଳି ନାୟକ ଅଛନ୍ତି, ଯେଉଁମାନଙ୍କ ରୁପେଲି ପରଦା ଉପରେ ଅର୍ଚ୍ଚିତାଙ୍କ ସାଥ୍ ମିଳିନାହିଁ। ଏହି ତାଲିକାରେ ସର୍ବପ୍ରଥମେ ନାମ ହେଲା ସିଦ୍ଧାନ୍ତ। ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅର୍ଚ୍ଚିତା ବେଶ୍ କେତୋଟି ସିନେମାରେ କାମ କରିଥିଲେ ବି କୌଣସିଟିରେ ସିଦ୍ଧାନ୍ତ ତାଙ୍କର ନାୟକ ବନିନାହାନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ ଅର୍ଚ୍ଚିତାଙ୍କଠାରୁ କ୍ୟାରିଅରରେ ଦୁଇ ବର୍ଷ ସିନିଅର୍ ବର୍ଷା ପ୍ରିୟଦର୍ଶିନୀ ସିଦ୍ଧାନ୍ତଙ୍କ ସହିତ ଯୋଡ଼ି ବନିଛନ୍ତି।

ଓଲିଉଡର ଜଣେ ଲୋକପ୍ରିୟ ନାୟକ ହେଲେ ଦୀପକ, ଯାହାକୁ ଦର୍ଶକ ‘ମନ ମୋର ପ୍ରଜାପତି’, ‘ଚାନ୍ଦ ନା ତୁମେ ତାରା’, ‘ସପନର ନାୟିକା’, ‘ଗଳ୍ପ ନୁହେଁ ଅଳ୍ପ ଦିନର୩, ‘ଫ୍ୟାମିଲି ନମ୍ବର ୱାନ୍’, ‘ଆଖି ଖୋଲିଲେ ତୁହି ତୁ’ ଆଦି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି। ସେ ଅନ୍ୟ ନାୟିକାଙ୍କ ସହିତ ପରଦାରେ ରୋମାନ୍ସ କରିଥିଲେ ହେଁ ଏଯାଏଁ ତାଙ୍କୁ ଅର୍ଚ୍ଚିତାଙ୍କ ସାଥ୍ ମିଳିନାହିଁ।

ଠିକ୍ ସେହିପରି ନାୟକ ଶ୍ରୀତମ୍ ଦାସ ଅନୁ ଚୌଧୁରୀଙ୍କଠାରୁ ଆରମ୍ଭ କରି ରୀୟା ଦେଙ୍କ ଯାଏଁ ବିଭିନ୍ନ ହିରୋଇନଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି, ହେଲେ ଏଯାଏଁ ଅର୍ଚ୍ଚିତାଙ୍କ ସହିତ ସେ ଯୋଡି ହୋଇ ପରଦାକୁ ଆସିନାହାନ୍ତି।

ଓଲିଉଡର ଜଣେ ଟପ୍ ହିରୋ ସମ୍ବିତ୍ ବି ଏଯାଏଁ ଏହି ସୁଯୋଗ ପାଇନାହାନ୍ତି। ଷ୍ଟାରସନ୍ ଅମ୍ଳାନ, ରୀୟା, ପତ୍ରାଳି ଓ ଝିଲିକଙ୍କ ଭଳି ନାୟିକାଙ୍କ ବିପକ୍ଷରେ ନାୟକ ବନିଥିଲେ ହେଁ ସେ ଅର୍ଚ୍ଚିତାଙ୍କ ବିପକ୍ଷରେ ନଜର ଆସିନାହାନ୍ତି। ଚକଲେଟ୍ ହିରୋ ଅଭିଷେକ ତାଙ୍କର ଡେବ୍ୟୁ ଫିଲ୍ମ ‘ଏସିପି ସାଗରିକା’ରେ ଅର୍ଚ୍ଚିତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ। କିନ୍ତୁ ଏଥିରେ ତାଙ୍କର ନାୟିକା ଥିଲେ ରୀୟା। ଠିକ୍ ସେହିପରି ପରେ ସେ ରୀୟା ଓ ଅନୁଭାଙ୍କ ପରି ନାୟିକାଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି, ମାତ୍ର ଏଯାଏଁ ଅର୍ଚ୍ଚିତାଙ୍କ ସାଥ୍‌ ପାଇନାହାନ୍ତି।

ଠିକ୍ ସେହିପରି ନାୟକ ଭୂମିକାରେ ବେଶ୍ କେତୋଟି ଫିଲ୍ମରେ ଦେଖା ଦେଇଥିବା ସୁନିଲ କୁମାର ବି ଅର୍ଚ୍ଚିତାଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିନାହାନ୍ତି, ସେ ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ନାୟିକାଙ୍କ ସାଥ୍ ଅବଶ୍ୟ ପାଇଛନ୍ତି। ଏହା ଛଡ଼ା ବବି ମିଶ୍ର ଓ ଦେବାଶିଷଙ୍କ ସହିତ ବି ନାୟିକା ଭୂମିକାରେ ନଜର ଆସିନାହାନ୍ତି ଅର୍ଚ୍ଚିତା।

Comment