ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ରାହୁଲ ଗାନ୍ଧି ଖେଳୁଛନ୍ତି ମାଷ୍ଟରଷ୍ଟ୍ରୋକ। ନିକଟରେ ବି କେ ହରିପ୍ରସାଦଙ୍କୁ ଓଡ଼ିଶା ଦାୟିତ୍ୱରୁ ହଟାଇବା ପରେ ଆଜି ଶୁଭଙ୍କର ସରକାରଙ୍କୁ ହଟାଇ ଦେଇଛି ଏଆଇସିସି।

  • ହଟିଲେ ଶୁଭଙ୍କର ସରକାର
  • ଓଡ଼ିଶା ପାଇଁ ୩ ଜଣ ସମ୍ପାଦକ, ଜଣେ ଯୁଗ୍ମ ସମ୍ପାଦକ ନିଯୁକ୍ତ
  • ରୁଦ୍ର ରାଜୁ-ଅନିଲ ଚୌଧୁରୀ-ଶେଖ୍‌ ମସ୍ତାନ ୱାଲିଙ୍କୁ ଓଡ଼ିଶା ଦାୟିତ୍ୱ
  • ଆଦିତ୍ୟ ଶର୍ମା ଯୁଗ୍ମ ସମ୍ପାଦକ

ଓଡ଼ିଶା କଂଗ୍ରେସର ନବକଳେବର ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଉ ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି। କିଛିଦିନ ତଳେ ଓଡ଼ିଶା ପ୍ରଭାରିଙ୍କୁ ବଦଳାଇବା ପରେ ଆଜି ସହପ୍ରଭାରିଙ୍କୁ ବଦଳାଇଛି ଏଆଇସିସି।

ଜଗଦ୍ଦୀଶ ଟାଇଟଲର ଓଡ଼ିଶା ପ୍ରଭାରି ଦାୟିତ୍ୱରୁ ହଟିବା ପରେ ବି କେ ହରିପ୍ରସାଦ ଏବଂ ଶୁଭଙ୍କର ସରକାରଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲା। ହରିପ୍ରସାଦ ଏବଂ ଶୁଭଙ୍କରଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୪ ସାଧାରଣ ନିର୍ବାଚନ, ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ବିଜେପୁର ଉପ-ନିର୍ବାଚନ ଲଢ଼ିଥିଲା। ହେଲେ କଂଗ୍ରେସ ଚିତ୍‌ପଟ୍ଟାଙ୍ଗ ମାରିଥିଲା।

ଏହି ବିଫଳତା ପରେ ରାଜ୍ୟ କଂଗ୍ରେସରେ ପରିବର୍ତ୍ତନର ସ୍ବର ଉଠିଛି। ଏହିକ୍ରମରେ ପ୍ରଥମେ ବି କେ ହରିପ୍ରସାଦଙ୍କୁ ମାର୍ଚ୍ଚ ୧୪ରେ ହଟାଇ ଦେଇଥିଲେ ରାହୁଲ। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଦାୟିତ୍ୱ ଦିଆଯାଇଛି।

ପ୍ରଭାରି ପରିବର୍ତ୍ତନ ହେବା ପରେ ଆଜି ସହପ୍ରଭାରି ପରିବର୍ତ୍ତନ ହୋଇଛନ୍ତି। ଶୁଭଙ୍କର ସରକାରଙ୍କୁ ଏଆଇସିସି ସମ୍ପାଦକ ସହିତ ଓଡ଼ିଶା ଦାୟିତ୍ୱରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ୩ ଜଣ ସମ୍ପାଦକ ଏବଂ ଜଣେ ଯୁଗ୍ମ ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱରେ ରଖାଯାଇଛି।

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ ଚୌଧୁରୀ ଏବଂ ଶେଖ୍‌ ମସ୍ତାନ ୱାଲିଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ଏହାସହ ଆଦିତ୍ୟ ଶର୍ମାଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି।

ଓଡ଼ିଶର ନୂଆ ପ୍ରଭାରି ନିକଟରେ କହିଥିଲେ ଯେ ଶୁବଶୀଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ନବକଳେବର ଉପରେ ଜୋର୍ ଦେଇଥିଲେ।

Comment