ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋଲିଲା ଶ୍ରୀମନ୍ଦିରର ଜଗମୋହନ। ଭିତରକାଠ ନିକଟରୁ ଭକ୍ତମାନେ ବଡ଼ଠାକୁରଙ୍କୁ କରିଛନ୍ତି ଦର୍ଶନ।

ପ୍ରତୀକ୍ଷାର ଅନ୍ତ ଘଟିଛି। ଦୁଇ ବର୍ଷ ଦୁଇ ମାସ ପରେ ପୁରୀ ଶ୍ରୀମନ୍ଦିରର ଜଗମୋହନ ଖୋଲିଛି। ଶ୍ରଦ୍ଧାଳୁମାନେ ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଅତି ନିକଟରୁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଥିବାରୁ ଭାବବିହ୍ୱଳ ହୋଇଯାଇଛନ୍ତି।

ଜଗମୋହନ ମରାମତି କାମ ଚାଲିଥିବାରୁ ଦୁଇ ବର୍ଷ ହେଲା ଶ୍ରୀମନ୍ଦିରର ଜଗମୋହନ ବନ୍ଦ ରହିଥିଲା। ଭକ୍ତମାନେ ବାହାରକାଠ ପାଖରେ ଛିଡ଼ା ହୋଇ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ। ଫଳରେ ବ୍ୟାପକ ଅସୁବିଧା ହେଉଥିଲା। ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ।

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନୀତିକାନ୍ତି ସମୟରେ ଜଗମୋହନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଳଭ ନୀତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ଜୟ ବିଜୟ ଦ୍ବାର ଦେଇ ଭକ୍ତ ଜଗମୋହନରେ ପ୍ରବେଶ କରିବେ। ବେହରଣ ଦ୍ୱାର ଦେଇ ଫେରିବେ। ସାହାଣମେଲା ଦର୍ଶନକୁ ବାରଣ କରାଯାଇଛି।

ଗର୍ଭଗୃହକୁ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ ସେବାୟତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏଥିରେ ଛତିଶା ନିଯୋଗ ସମିତି ଅସନ୍ତୋଷ ପ୍ରକାଶ କରିଛି।

୨୦୧୬ ଜାନୁଆରୀରୁ ଜଗମୋହନ ବନ୍ଦ ରହିଥିଲା। ଏଏସ୍‌ଆଇ ପକ୍ଷରୁ ଜଗମୋହନ ମରାମତି କାମ ଚାଲିଥିଲା। ବାହାରକାଠ ପାଖରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ ଭକ୍ତ।

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଥିଲେ ହାଇକୋର୍ଟ। ଗର୍ଭଗୃହ ମଧ୍ୟକୁ କେଉଁମାନେ ପ୍ରବେଶ କରିବେ ସେ ପ୍ରସଙ୍ଗରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଗମୋହନ ପ୍ରସଙ୍ଗରେ ଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଅଗଷ୍ଟ ୧ ପର୍ଯ୍ୟନ୍ତ ଜଗମୋହନ ଖୋଲିବା ନିମନ୍ତେ ମହଲତ ପ୍ରଦାନ କରିବାକୁ ଦର୍ଶାଯାଇଥିଲା। ହେଲେ ହାଇକୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିବାସହ ମହଲତକୁ ଅଗ୍ରାହ୍ୟ କରିଦେଇଥିଲେ। ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ନୀତିପ୍ରଶାସକ ବ୍ୟକ୍ତିଗତ ଭାବେ ହାଜର ହୋଇ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ପାଇଁ ସମ୍ମତି ଜଣାଇଥିଲେ।

ଅଧିକ ପଢ଼ନ୍ତୁ: ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ: ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ

LEAVE A REPLY

Please enter your comment!
Please enter your name here