ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭାରତରେ ମଧ୍ୟ ଥ୍ରୀଡି ସିନେମାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ବିଗତ ଦିନରେ ଅନେକ ଥ୍ରୀଡି ସିନେମା ପରଦାକୁ ଆସିଥିବା ବେଳେ ଆଗକୁ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସୁଛି ଅନେକ ଥ୍ରୀଡି ସିନେମା।

ଏ ବର୍ଷ ଆସୁଛି ରଜନୀକାନ୍ତ-ଅକ୍ଷୟ କୁମାରଙ୍କ ଥ୍ରୀଡି ସିନେମା ‘୨.୦’। ଆଗାମୀ ଫେବୃଆରୀ ୨୩ ତାରିଖରେ ପ୍ରଥମ ହିନ୍ଦୀ କମେଡି ଥ୍ରୀଡି ଫିଲ୍ମ ‘ୱେଲକମ୍ ଟୁ ନ୍ୟୁୟର୍କ’ ରିଲିଜ୍ ହେଉଛି। ଆସନ୍ତୁ ଜାଣିବା ଏହା ପୂର୍ବରୁ କେଉଁ କେଉଁ ଥ୍ରୀଡି ମୁଭି ପରଦାକୁ ଆସିଛି।

ପ୍ରଥମ ଭାରତୀୟ ଥ୍ରୀଡି ମୁଭି

୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ନବୋଦୟ ଫିଲ୍ମସ ବ୍ୟାନରରେ ସିନେମା ‘ଛୋଟା ଚେତନ୍’ ହେଉଛି ପ୍ରଥମ ଭାରତୀୟ ଥ୍ରୀଡି ମୁଭି। ଜିଜୋଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିଲ୍ଲୀପ ତାହିଲ, ସୁରେଶ ମୁକେଶ୍, ସୋନିଆ ସାହାଣୀ ଓ ଅରବିନ୍ଦ ପ୍ରମୁଖ ଅଭିନୟ କରିଥିଲେ ମୁଖ୍ୟ ଭୂମିକାରେ। ‘ଛୋଟା ଚେତନ୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହା ପାଖାପାଖି ୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ଏଯାବତ୍ ମୋଟ୍ ୪୫ଟି ଥ୍ରୀଡି ସିନେମା

ଏଯାବତ୍ ୪୦ରୁ ଅଧିକ ଥ୍ରୀଡି ସିନେମା ମୁକ୍ତିଲାଭ କରିଛି। ଏଗୁଡ଼ିକ ହେଲା ଆବ୍ରା କା ଡାବ୍ରା, ଏବିସିଡି – ଏନିବଡି କ୍ୟାନ୍ ଡ୍ୟାନ୍ସ, ଆକସନ-3ଡି, ଅମ୍ବୁଲି, ଅନାଇଭୂମି, ଭୂତ୍‍ ରିଟର୍ଣ୍ଣସ୍‍, ଚାର୍ ସାହାବ ଯାଦେ, ଚାର୍ ସାହାବଜାଦେ, ରାଇଜ୍ ଅଫ୍ ବନ୍ଦା ସିଂ ବାହାଦୂର, ଛୋଟା ଚେତନ୍, କ୍ରିଏଚର ଥ୍ରୀଡି, ଡେଞ୍ଜରସ୍ ଇସ୍କ, ଦିଲ୍ଲୀ ସଫାରୀ, ଡନ୍ ୨, ଡ୍ରାକୁଲା ୨୦୧୨, ଗାର୍ଡିଆନ୍ସ ଅଫ୍ ଡେଡ, ହଣ୍ଟେଡ୍, କୁଆଁରି କନ୍ୟା, ମିତ ବସିଛି ମୁଁ ଭୂତ ସାଥୀରେ, ମ୍ୟାଜିକ୍‍ ମ୍ୟାଜିକ୍, ମହାଶକ୍ତିମାନ, ମହାଭାରତ, ମେଁ କୃଷ୍ଣା ହୁଁ, ମନଷ୍ଟାର ଆଇଲ୍ୟାଣ୍ଡ୍, ମିଷ୍ଟର ଏକ୍ସ, ମୁମ୍ବାଇ ୧୨୫, ପେହେଚାନ୍, ପେନାନଗୁନି, ପିଜା, ପୌରନାମି ରାଭିଲ୍, ରାୱାନ୍, ରାଜ୍, ରୁଦ୍ରମା ଦେବୀ, ଶିବା କା ଇନସାଫ୍, ଶିବାଲିକା, ସୋଲେ ଥ୍ରୀଡି, ଶିବାଜୀ, ତସ୍କରା, ଥଙ୍ଗାମାମା, ଜାପାଟେଲା-୨।

ଏବର୍ଷ ରିଲିଜ୍ ହେଉଛି ପ୍ରଥମ କମେଡି ଥ୍ରୀଡି ଫିଲ୍ମ ‘ୱେଲକମ୍ ଟୁ ନ୍ୟୁୟର୍କ’। ଏହି ସିନେମାରେ ଏକ ସଙ୍ଗେ ଅନେକ ବଲିଉଡ୍ କଳାକାରଙ୍କୁ  ଦେଖିବାକୁ ପାଇବେ ଦର୍ଶକ। ଏଥିରେ ନିର୍ମାତା – ନିର୍ଦ୍ଦେଶକ କରନ୍ ଜୋହନଙ୍କୁ ପୁଣି ଅଭିନେତା ଭାବେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଡବଲ୍ ରୋଲରେ ନଜରକୁ ଆସିବେ। ଏତଦ୍ ବ୍ୟତୀତ ଏହାର କ୍ଲାଇମାକ୍ସ ସିନରେ ସଲମନ ଖାନ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ଦଲଜିତ୍ ଦୋସାଁଟା, ଲାରା ଦତ୍ତ, ରାଣା ଦଗ୍ଗୁବତୀ, ବୋମନ୍ ଇରାନୀ ଓ ରିତେଶ ଦେଶମୁଖଙ୍କ ପରି ଲୋକପ୍ରିୟ କଳାକାର ବି ଅଭିନୟ କରିଛନ୍ତି ‘ୱେଲକମ୍ ଟୁ ନ୍ୟୁୟର୍କ’ରେ।

ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଭାରତର ପ୍ରଥମ କମେଡି ଫିଲ୍ମ (ଥ୍ରୀଡି) ‘ୱେଲକମ୍ ଟୁ ନ୍ୟୁୟର୍କ’ ଆଗାମୀ ଫେବୃଆରୀ ୨୩ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚକରୀ ତୋଲେତି, ଯିଏକି ବହୁ ଦକ୍ଷିଣ ଭାରତୀୟ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମର କାହାଣୀ ଆଇଫା ଆୱାର୍ଡସ ଉପରେ ଆଧାରିତ। ପ୍ରଥମେ ଏହାର ଟାଇଟଲ୍ ରଖାଯାଇଥିଲା ‘ବୁମ୍ ବୁମ୍ ଇନ୍ ନ୍ୟୁୟର୍କ’ କିନ୍ତୁ ପରେ ‘ୱେଲକମ୍ ଟୁ ନ୍ୟୁୟର୍କ’ ହେଲା।

ଠିକ୍ ସେହିପରି ଏପ୍ରିଲ୍ ୧୩ ତାରିଖରେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘2.0’ ଆସୁଛି, ଯାହାକି ଏକ ଥ୍ରୀଡି ଫିଲ୍ମ। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ‘2.0’ ‘ବାହୁବଲୀ’ ଠାରୁ ମଧ୍ୟ ଅଧିକ ବ୍ୟବସାୟ କରିବ।

କେବଳ ଦୁଇଟି ଓଡ଼ିଆ ଥ୍ରୀଡି ସିନେମା

ଏଯାବତ୍ ଓଡ଼ିଆ ଭାଷାରେ ମାତ୍ର ଦୁଇଟି ଥ୍ରୀଡି ସିନେମା ପ୍ରେକ୍ଷାଳୟକୁ ଆସିଛି। ଏହି ଦୁଇଟି ଓଡ଼ିଆ ସିନେମା ହେଲା ‘ମିତ ବସିଛି ମୁଁ ଭୂତ ସାଥୀରେ’ ଓ ‘କାଉଁରୀ କନ୍ୟା’। ସବୁଠୁ ମଜାଦାର କଥା ହେଲା ଉଭୟ ସିନେମା ୨୦୧୪ରେ ହିଁ ରିଲିଜ୍ ହୋଇଥିଲା, କିନ୍ତୁ କାହାରିକୁ ଆଶାନୁରୂପକ ବ୍ୟବସାୟିକ ସଫଳତା ମିଳିନଥିଲା।

ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’ରେ ଆକାଶ, ପ୍ରିୟା, ଦୁଷ୍ମନ୍ତ ଓ ନିକିତା ପ୍ରମୁଖ ଲିଡ୍ ରୋଲରେ ନଜର ଆସିଥିଲେ। ଅପରପକ୍ଷରେ ‘କାଉଁରୀ କନ୍ୟା’ର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ସୌମ୍ୟରଞ୍ଜନ ସାହୁ। ଏଥିରେ ସୌମ୍ୟରଞ୍ଜନ, ଅର୍ଦ୍ଧେନ୍ଦୁ, ପାୟଲ୍ ଓ କାବ୍ୟା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Comment