ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୫୦ ଲକ୍ଷ ଟଙ୍କାର ପ୍ରସାଦ ନଷ୍ଟ
  • କୋଇଲି ବୈକୁଣ୍ଠରେ ପୋତାଗଲା ଅମୁଣିଆ ପ୍ରସାଦ
  • ରୋଷଘରୁ ଧୋ-ପଖାଳ ସେବାୟତ ବାହାର କଲେ ପ୍ରସାଦ
  • ଏମ୍‌ଆର୍‌ ମଠ ଆଗରେ ମହାସୁଆର ନିଯୋଗ ସମିତିର ଧାରଣା
  • ଶ୍ରୀମନ୍ଦିର ପ୍ରଶାସନ-ମହାସୁଆର ନିଯୋଗ ସମିତି ଆଲୋଚନା 

ତୁଟିଲା ବିବାଦ। ଏଣିକି ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସେବାୟତମାନଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ଭୋଗମଣ୍ଡପ ନୀତିରେ ବିଳମ୍ବ ହେବା ଯୋଗୁଁ ସୋମବାରଠାରୁ ମହାପ୍ରଭୁ ଉପାସରେ ରହିଛନ୍ତି। ଅମୁଣିଆ ମହାପ୍ରସାଦ କୋଇଲିବୈକୁଣ୍ଠରେ ପୋତା ଯାଇଛି।

ବିବାଦ ପୁରୀ ଶ୍ରୀମନ୍ଦିରର ପିଛା ଛାଡ଼ୁନି। କେତେବେଳେ ବ୍ରହ୍ମ ବିଭ୍ରାଟକୁ ନେଇ ତ ପୁଣି କେତେବେଳେ ନୀତିକାନ୍ତିରେ ବିଳମ୍ବ। ପୁଣି କେତେବେଳେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିବାଦରେ ରହିଥିବା ଶ୍ରୀମନ୍ଦିରରେ ଆଜି ଆଉ ଏକ ନୂଆ ବିବାଦ ଦେଖାଦେଇଛି। ମହାପ୍ରସାଦ ନଷ୍ଟ ହେବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଖୋଲିଥିଲା ଜଗମୋହନ। ଭିତରକାଠ ନିକଟରେ କାଳିଆ ସାଆନ୍ତଙ୍କୁ ଭକ୍ତମାନେ ଉତ୍କଣ୍ଠାର ସହ ଦର୍ଶନ କରୁଥିବା ବେଳେ ନୀତିକାନ୍ତିରେ ଦେଖାଦେଇଥିଲା ବିଳମ୍ବ। ଭୋଗମଣ୍ଡପ ବିଳମ୍ବ ହେବାରୁ ମହାପ୍ରାଦ ଠିକ୍ ସମୟରେ ଉଠି ପାରିଲାନି। ଫଳରେ କାଳିଆ ଠାକୁର ସୋମବାର ଉପାସ ରହିଥିଲେ। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବି ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ।

ମଙ୍ଗଳବାର ସକାଳେ ରୋଷଘରୁ ଅମୁଣିଆ ପ୍ରସାଦକୁ ବାହାର କରାଯାଇ କୋଇଲି ବୈକୁଣ୍ଠରେ ପୋତା ଯାଇଥିଲା। ଧୋ-ପଖାଳ ସେବାୟତମାନେ ଅମୁଣିଆ ପ୍ରସାଦ ରୋଷଘରୁ ବାହାର କରିଥିଲେ।

ଏହାପରେ ରୋଷ ଘର ଶୋଧ ଏବଂ ହୋମ କରାଯାଇଥିଲା। ଗୋପାଳବଲ୍ଲଭ ଏବଂ ସକାଳ ଧୂପ ନୀତି ସମ୍ପନ୍ନ କରାଯିବ।

ମହାପ୍ରସାଦ ନଷ୍ଟ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ। କ୍ଷତିପୂରଣ ଦାବିରେ ସୁଆର-ମହାସୁଆର ନିଯୋଗ ସମିତି ପକ୍ଷରୁ ଏମ୍‌ଆର ମଠ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏପଟେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ମହାସୁଆ ନିଯୋଗ ସମିତି ମଧ୍ୟରେ ଆଲୋଚନା ଚାଲିଥିଲା।

କ୍ଷତିପୂରଣ ଦାବିରେ ମହାସୁଆର ନିଯୋଗ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଛି। ମଙ୍ଗଳବାର ବି ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ମିଳିପାରି ନାହିଁ। ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା ସୁଆର-ମହାସୁଆର ନିଯୋଗ ସମିତି ପକ୍ଷରୁ କୁହାଯାଇଛି।

“ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ କରିପାରୁ ନାହିଁ। ଫଳରେ ବାରମ୍ବାର ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ଦେଖାଦେଉଛି। ସୋମବାର ଯେଉଁ ବିଭ୍ରାଟ ଦେଖାଦେଇଛି ଏବଂ ମହାପ୍ରସାଦ ନଷ୍ଟ ହୋଇଛି ତାର କ୍ଷତିପୂରଣ କିଏ ଦେବ”, କହିଛନ୍ତି ସୁଆର-ମହାସୁଆର ନିଯୋଗ ସମିତି ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା।

କ’ଣ ପାଇଁ ବିବାଦ?

ସୋମବାର ସକାଳ ୫ଟା୪୦ରେ ଶ୍ରୀମନ୍ଦିରର ପହୁଡ଼ ଖୋଲିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦୁଇ ବର୍ଷ ପରେ ଜଗମୋହନ ଖୋଲିଥିବାରୁ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀମନ୍ଦିର। ଶ୍ରୀଜଗନ୍ନାଥଙ୍କୁ ପାଖରୁ ଦେଖିବା ପାଇଁ ଭକ୍ତଙ୍କ ଗହଳି ଆରମ୍ଭ ହୋଇଥିଲା। ହେଲେ ଗର୍ଭଗୃହ ଭିତରକୁ ପାଳିଆ ସେବାୟତ ପ୍ରବେଶ କରିବା ନେଇ ହାଇକୋର୍ଟ ଜାରି କରିଥିବା କଟକଣା ଉପରେ ଅସନ୍ତୋଷ ଦେଖାଦେଇଥିଲା।

ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ବଦଳରେ କିଏ ପାଳି କରିବ ତାକୁନେଇ ପ୍ରଶ୍ନ ଉଠିଥିଲା। ଫଳରେ ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା। ଜିଲ୍ଲାପାଳ ଏବଂ ଏସ୍‌ପି ଏହି ବିବାଦରେ ହସ୍ତକ୍ଷେପ କରିଥିଲେ। ବିବାଦ ସମାଧାନ ହେବା ପରେ ସାଢ଼େ ୪ଟାରେ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା। ଭୋଗମଣ୍ଡପ ବିଳମ୍ବ ହେବାରୁ ମହାପ୍ରସାଦ ବାହାରି ନଥିଲା।

ସୋମବାରଠାରୁ ଆରମ୍ଭ ହୋଇଥିବା ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନି। ମହାସୁଆର ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି। ଆଲୋଚନାରେ ପୁରୀ ଜିଲ୍ଲାପାଳ, ଏସ୍‌ପି ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ ଥିଲେ।

“ଆଲୋଚନା ସଫଳ ହୋଇଛି। ଶ୍ରୀଜିଉଙ୍କ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା।

Comment