ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୮୬୫ରେ ଶ୍ରୀମନ୍ଦିର ସିଂହଦ୍ୱାର

ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଚୀନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକ ଅନ୍ତର୍ଜାତୀୟ ମାଧ୍ୟମ କିମ୍ବା ବ୍ରିଟିଶ ଲାଇବ୍ରେରିରୁ ସଂଗୃହିତ କରାଯାଇଥିବା ଅନୁମାନ କରାଯାଉଛି।

ଶ୍ରୀମନ୍ଦିରର ଏହି ବିରଳ ତଥା ପ୍ରାଚୀନ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ବିଭିନ୍ନ ଲୋକ ଏହାକୁ ସେୟାର ଓ ଲାଇକ୍ କରୁଛନ୍ତି। ଫେସ୍‌ବୁକ୍ ଆକାଉଣ୍ଟଧାରୀ ସେମାନଙ୍କ ପେଜ୍‌ ଏବଂ ଆକାଉଣ୍ଟରେ ପୋଷ୍ଟ କରୁଥିବା ବେଳେ ହ୍ୱାଟ୍ସଆପ୍‌ରୁ ହ୍ୱାଟସ୍‌ଆପ୍‌କୁ ଏହି ଫଟୋ ଘୂରି ବୁଲୁଛି। ଶ୍ରୀମନ୍ଦିରର ପ୍ରାଚୀନ ଫଟୋକୁ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଯାଇଛନ୍ତି। ଆଉ କିଛି ଶ୍ରଦ୍ଧାଳୁ କମେଣ୍ଟ ବକ୍ସରେ ‘ଜୟ ଜଗନ୍ନାଥ’ ଲେଖିବାକୁ ପଛାଉ ନାହାନ୍ତି।

୧୮୯୦ରେ ଉତ୍ତର ପଟ ଦ୍ୱାର

ପୂର୍ବର ଶ୍ରୀମନ୍ଦିର ଏବଂ ଏବେକାର ଶ୍ରୀମନ୍ଦିର ଭିତରେ ଅନେକ ସାମଞ୍ଜସ୍ୟ ରହିଥିବା ଏହି ଫଟୋରୁ ଦେଖିବାକୁ ମିଳିଛି। ମନ୍ଦିରର ପୁରୁଣା ଫଟୋ ସୋସିଆଲ ମିଡିଆରେ ଶ୍ରଦ୍ଧାଳୁଙ୍କ ମନକୁ ଛୁଇଁଛି।

୧୮୯୦ରେ ଶ୍ରୀମନ୍ଦିରର କାରୂକଳା

ଶ୍ରୀମନ୍ଦିରର ସିଂହଦ୍ୱାରର ତିନୋଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ୧୮୭୦ ମସିହାରେ ଉଠାଯାଇଥିବା ବେଳେ ଆଉ ଗୋଟିଏ ୧୮୬୮ ଏବଂ ୧୮୯୨ରେ ୱିଲିୟମ୍ ହେନେରି କର୍ଣ୍ଣିସ ଉଠାଇଥିବା ସୋସିଆଲ ମିଡିଆରେ ଦାବି କରାଯାଇଛି। ଦକ୍ଷିଣ-ପୂର୍ବ ଦିଗରୁ ଶ୍ରୀମନ୍ଦିରର ଏକ ସମ୍ପୂର୍ଣ୍ଣ ଫଟୋ ୧୮୯୨ରେ କର୍ଣ୍ଣିସ ଉତ୍ତୋଳନ କରିଥିଲେ। ସେହି ୧୮୯୨ରେ ହେନେରି କର୍ଣ୍ଣିସ ଦୋଳମଣ୍ଡପ ସାହି, ଶ୍ରୀମନ୍ଦିରର ଦକ୍ଷିଣ ପଟ ଫଟୋ ଉଠାଇଥିଲେ।

୧୮୯୦ରେ ଉଠାଯାଇଥିବା ଦୋଳମଣ୍ଡପ ଫଟୋ

୧୮୬୫ ମସିହାରେ ହେନେରି ଡିକ୍ସନ ଉଠାଇବା ଶ୍ରୀମନ୍ଦିର ପ୍ରବେଶ ଦ୍ୱାରର ଫଟୋ ବି ସୋସିଆଲ ମିଡିଆରେ ଘୂରି ବୁଲୁଛି। ସେହିପରି ୧୮୯୦ରେ ପୁର୍ଣ୍ଣଚନ୍ଦ୍ର ମୁଖାର୍ଜୀ ନାମକ ଜଣେ ବ୍ୟକ୍ତି ଅରୁଣସ୍ତମ୍ଭର ଏକ କ୍ଲୋଜ ଫଟୋ ଉଠାଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଉତ୍ତର ପଟ ଦ୍ବାର ଏବଂ ଦକ୍ଷିଣ ପଟେ ରହିଥିବା କିଛି ମନ୍ଦିରର ଫଟୋ ମଧ୍ୟ ଉଠାଇଛନ୍ତି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରର ବିଭିନ୍ନ କାରୁକାର୍ଯ୍ୟକୁ ବି ସେ ତାଙ୍କ କ୍ୟାମେରାରେ ସେତେବେଳେ କଏଦ କରିଥିଲେ।

ସିଂହଦ୍ୱାର, ଅରୁଣସ୍ତମ୍ଭ, ନାଟମଣ୍ଡପ, ମହାପ୍ରଭୁଙ୍କ ପହଣ୍ଡି ଏବଂ ରଥଯାତ୍ରା ସମୟରେ ତତ୍କାଳୀନ ଗଜପତି ମହାରାଜ କରୁଥିବା ଛେରାପହଁରାର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଫଟୋ ପୁରୁଣା ହେଲେ ବି ଏହା ଜଗନ୍ନାଥପ୍ରେମୀଙ୍କୁ ଏହା ବେଶ୍ ଆକର୍ଷିତ କରିଛି।

ରଥଯାତ୍ରା ବେଳେ ତତ୍କାଳୀନ ଗଜପତି ମହାରାଜ ଏବଂ ସେବାୟତ

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ମହିମା ଅପାର। ବଡ଼ ଦେଉଳରେ ବସି ସେ ସାରା ଜଗତକୁ ପାଳନ କରୁଛନ୍ତି। ରାତି ପାହିଲେ ଲକ୍ଷାଧିକ ଭକ୍ତ ବଡ଼ ଦାଣ୍ଡରେ ରୁଣ୍ଡ ହେଉଛନ୍ତି। ଏକାଦଶ ଶତାବ୍ଦୀର ଶେଷଭାଗ ଏବଂ ଦ୍ୱାଦଶ ଶତାବ୍ଦୀ ଆରମ୍ଭରୁ ପୁରୀ ଶରଧାବାଲିରେ ନିର୍ମିତ ହୋଇଥିବା ଶ୍ରୀମନ୍ଦିର ଏବେ ବି ସାରା ବିଶ୍ୱବାସୀଙ୍କୁ ଆକର୍ଷିତ କରୁଛି। ବଡ଼ ଠାକୁର ବଡ଼ ଦେଉଳରେ ବିରାଜମାନ କରି ପତିତମାନଙ୍କୁ ଉଦ୍ଧାର କରୁଛନ୍ତି।

ମହାପ୍ରଭୁଙ୍କ ଶ୍ରୀମନ୍ଦିର ଯେତିକି ଆକର୍ଷଣୀୟ ତାଠୁ ଅଧିକ ଆକର୍ଷଣ ପାଲଟିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥ ଉପରେ ତିନି ଦିଅଁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ରତ୍ନବେଦୀ ଛାଡ଼ି ଶ୍ରୀଜିଉ ୯ ଦିନ ପାଇଁ ମାଉସି ଘରକୁ ଯାତ୍ରା କରିଥାନ୍ତି।

ଦେଶ ସ୍ୱାଧୀନ ହେବା ପରେ ପୁରୀ ଶ୍ରୀମନ୍ଦିରକୁ ରାଜ୍ୟ ସରକାର ଗୁରୁତ୍ୱ ଦେଲେ।ଶ୍ରୀମନ୍ଦିର ପରିଚାଳନା ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ ଆକ୍ଟ-୧୯୫୨ ଗଠନ ହୋଇଥିଲା। ଏହି ଆକ୍ଟ ଅନୁଯାୟୀ ସେବାୟତମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯିବା ସହ କିଏ କେତେବେଳେ ସେବା କରିବେ ସେଥିପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଏହାସହ ମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଛି।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହାର ଅଧ୍ୟକ୍ଷ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପି ସଦସ୍ୟ ଅଛନ୍ତି।

Comment