ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଭ୍‌-ରୋମାନ୍ସ-ରାଜନୀତି-ଦୁର୍ନୀତି କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ଯୋଗୀ। ୨୦ ତାରିଖରେ ପରଦାକୁ ଆସୁଛି ଏହି ପ୍ରତୀକ୍ଷିତ ଓଡ଼ିଆ ସିନେମା।

ଉପରୋକ୍ତ ଶୀର୍ଷକଟି ପଢ଼ି ପାଠକମାନେ ଚକିତ ହୋଇଯାଉଥିବେ। ପ୍ରେମିକ-ପ୍ରେମିକାମାନେ ଘାବରେଇ ଯାଉଥିବେ। ହେଲେ ଘାବରେଇଯିବା କିମ୍ବା ଚକିତ ହେବାର କୌଣସି କାରଣ ନାହିଁ। ଏପ୍ରିଲ ୨୦ ତାରିଖରେ ପରଦାକୁ ଆସୁଥିବା ଓଡ଼ିଆ ଫିଲ୍ମ ‘ଯୋଗୀ’ରେ ଏମିତି ଏକ ସିନ୍ ରହିଛି ଯେଉଁଥିରେ ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଧାର ଲିଙ୍କ୍ ବାଧ୍ୟତାମୂଳକ କରାଯାଇଛି।

ପ୍ରେମକୁ ନେଇ ଆମ ସମାଜରେ ଅନେକ ଘଟଣା ଘଟୁଛି। କେତେବେଳେ ପ୍ରେମିକାକୁ ପ୍ରେମିକ ଧୋକା ଦେଇଥାଏ ତ ପୁଣି କେତେବେଳେ ପ୍ରେମିକ ପ୍ରେମିକାକୁ ଧୋକ୍କା ଦେଇଥାଏ। ପୁଣି କେତେବେଳେ ବିବାହିତ ବ୍ୟକ୍ତିମାନେ ପ୍ରେମରେ ପଡ଼ିଥାନ୍ତି। ଫଳରେ ଦୁଇଟି ପରିବାର ଛାରଖାର ହୋଇଥାଏ। ଏହାକୁ ରୋକିବା ପାଇଁ ଏବଂ ପ୍ରେମିକ-ପ୍ରେମିକାଙ୍କର ସବିଶେଷ ତଥ୍ୟ ରଖିବା ପାଇଁ ଫିଲ୍ମ ଯୋଗୀରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ପ୍ରେମିକ-ପ୍ରେମିକାଙ୍କର ଆଧାର ଲିଙ୍କ୍‌ ବାଧ୍ୟତାମୂଳକ କରାଯାଇଛି।

ବାସ୍ତବ ଜୀବନର ଘଟଣାବଳୀକୁ ନେଇ ତିଆରି ହୋଇଛି ଫିଲ୍ମ ଯୋଗୀ। ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶନାରେ ସାଂପ୍ରତିକ ରାଜନୀତି, ଦୁର୍ନୀତି ଏବଂ ଘଟଣାବଳୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ରାମ ରାଜ୍ୟର ପରିକଳ୍ପନା କରି ତିଆରି ହୋଇଥିବା ଫିଲ୍ମଟି ୨୦ରେ ମୁକ୍ତିଲାଭ କରୁଛି। ଯୋଗୀ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ହର ରଥ।

ଯୋଗୀର କାହାଣୀ

ଜଗବନ୍ଧୁବାବୁ ଜଣେ ସମାଜସେବୀ। ତାଙ୍କର ଦୁଇ ପୁଅ। ବଡ଼ ପୁଅ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି। ବାପାଙ୍କ ନୀତି ଆଦର୍ଶ ବିରୋଧରେ ସେ ଚାଲିଥାନ୍ତି। ଏହାକୁ ନେଇ ଜଗବନ୍ଧୁବାବୁ ଚିନ୍ତିତ। ସମାଜକୁ ସୁଧାରିବା ପାଇଁ ଜଗବନ୍ଧୁବାବୁ ଲାଗି ପଡ଼ିଥାନ୍ତି। କିନ୍ତୁ କଳୁଷିତ ରାଜନୀତିରେ ସମାଜ ସୁଧାରିବା ସମ୍ଭବ ହୁଏନାହିଁ। ଶେଷରେ ଜଗବନ୍ଧୁବାବୁ ରାଜନୀତିରେ ପାଦ ଦିଅନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି ଜଣେ ସମାଜସେବୀ। ଶେଷରେ ସମାଜସେବୀ ଜଣକ ନିର୍ବାଚନରେ ବିଜୟୀ ହୋଇ ଶାସନ ଗାଦିରେ ବସନ୍ତି। କିନ୍ତୁ ସମୟ ସ୍ରୋତରେ ସେ ଦୁର୍ନୀତିକୁ ଆପଣାଇ ନିଅନ୍ତି। ଫଳରେ ଜଗବନ୍ଧୁବାବୁ ଚାହୁଁଥିବା ରାମରାଜ୍ୟର ସ୍ୱପ୍ନ ଧୂଳିସାତ୍ ହୋଇଯାଏ।

ଏହି ସମୟରେ ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିର୍ବାଚନକୁ ଓହ୍ଲାନ୍ତି ଯୋଗୀ। ସଂସାର ଏବଂ ବିଳାସ ବ୍ୟସନଠାରୁ ଦୂରରେ ରହିଥିବା ଯୋଗୀ ନିର୍ବାଚନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୁଅନ୍ତି ଯୋଗୀ।

କଳୁଷିତ ରାଜନୀତିକୁ ସଜାଡ଼ିବା ପାଇଁ ଉଦ୍ୟମ କରନ୍ତି। ଚିଟଫଣ୍ଡ ଜମାକାରୀଙ୍କ ସହ ବିଶ୍ବାସଘାତକ କରିଥିବା ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ସିଧା ଏନକାଉଣ୍ଟର କରିବା ପାଇଁ ଆଦେଶ ଦିଅନ୍ତି।

ପ୍ରେମିକ-ପ୍ରେମିକାଙ୍କ ଆଧାର ଲିଙ୍କ୍ କରିବା ପାଇଁ ବ୍ୟବସ୍ଥା କରନ୍ତି। ଦୁର୍ନୀତି ବିରୋଧରେ ସଂଗ୍ରାମ କରନ୍ତି। ରାମ ରାଜ୍ୟ ଗଠନ ପାଇଁ ଯୋଗୀ ସଙ୍କଳ୍ପ ନେଇ ଆଗେଇ ଆସିଥାନ୍ତି।

“ଯୋଗୀ ଫିଲ୍ମରେ ବହୁ ଶିକ୍ଷଣୀୟ ବାର୍ତ୍ତା ରହିଛି। ଯୁବପିଢ଼ିଙ୍କ ପାଇଁ ଲଭ୍‌-ରୋମାନ୍ସ ରହିଛି। ଏହି ଫିଲ୍ମରେ କିଛି ନୂଆ ଟେକ୍‌ନିକ୍‌ ପ୍ରୟୋଗ କରାଯାଇଛି। ସମାଜକୁ ସଜାଡ଼ିବା ପାଇଁ ଫିଲ୍ମ ଜରିଆରେ ବାର୍ତ୍ତା ଦିଆଯାଇଛି। ଏହି ଫିଲ୍ମ ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା।

ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି। ତାଙ୍କ ବଡ଼ ପୁଅ ଭୂମିକାରେ ଅଛନ୍ତି ମନୋଜ ମିଶ୍ର ଏବଂ ସାନପୁଅ ଭୂମିକାରେ ହର ରଥ ଅଭିନୟ କରିଛନ୍ତି। ହର ରଥ ହିଁ ଯୋଗୀ ଭୂମିକାରେ ପରଦାକୁ ଆସିଛନ୍ତି।

କ’ଣ କୁହନ୍ତି ଯୋଗୀ ହର ରଥ?

ସମାଜକୁ ସୁଧାରିବା ଏବଂ ରାଜ୍ୟ ଗଠନର ସଙ୍କଳ୍ପ ନେଇ ଯୋଗୀ ଫିଲ୍ମ ତିଆରି ହୋଇଛି। ଯୋଗୀର ମୋହ ମାୟା କିଛିନାହିଁ। ରାଜନୀତିରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହୋଇ ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବା ପାଇଁ ପ୍ରୟାସ କରିଛି। ଦୁର୍ନୀତି ହଟାଇବା ପାଇଁ ସଂଗ୍ରାମ କରିଛି।

“ପ୍ରେମକୁ ନେଇ କାହା ଜୀବନ ସହ ଖେଳିବା କଥା ନୁହେଁ। ହେଲେ ସବୁଥିରେ ସ୍ୱଚ୍ଛତା ରହିବା ଦରକାର। ବର୍ତ୍ତମାନ ପ୍ରେମ ଯେଉଁ ରୂପ ନେଇଛି ସେଥିରେ ଅନେକ ପରିବାରରେ ଝଡ଼ ଉଠୁଛି। କିଏ କେତେବେଳେ କାହାକୁ ପ୍ରେମ କରୁଛି ତାହା ଜଣାପଡ଼ୁ ନାହିଁ। ଏଣୁ ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ  ସରକାରଙ୍କ ପାଖରେ ରହିବା ପାଇଁ ଫିଲ୍ମରେ ପ୍ରେମିକ-ପ୍ରେମିକାଙ୍କର ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିବା ପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।”

“ପୂର୍ବରୁ ମୁଁ ଅନେକ ଚରିତ୍ରରେ ଅଭିନୟ କରିଛି। ହେଲେ ଯୋଗୀ ଗେଟ୍‌ଅପ୍‌ରେ କେବେ ଆସି ନଥିଲି। ଯୋଗୀ ଭୁମିକାରେ ଅଭିନୟ କରିବା ପାଇଁ ମୋତେ ପ୍ରଥମ ଥର ପାଇଁ ନିଶ କାଟିବାକୁ ପଡ଼ିଛି ଏବଂ ଲଣ୍ଡା ହେବାକୁ ପଡ଼ିଛି”, କହିଛନ୍ତି ଅଭିନେତା ହର ରଥ।

Comment