ଭାସ୍କର ପରିଛା

ଇହୁଦୀ ଗଣ ସଂହାର ଉପରେ ଆଧାରିତ ଡଚ ଭାଷାରେ ଲିଖିତ ବିଶ୍ୱ ବିଖ୍ୟାତ ଉପନ୍ୟାସ ‘ପିଲାଦିନ’ର ଓଡ଼ିଆ ରୂପାନ୍ତର ଏବେ ସମ୍ଭବ ହୋଇପାରିଛି। ୟୋନା ଓବସର୍କି ଜଣେ ପଦାର୍ଥ ବିଜ୍ଞାନୀ। ତାଙ୍କର ଏହି ଉପନ୍ୟାସ ୧୯୭୮ରେ ରଚିତ। ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀ ଦଖଲକୁ ଆସିଥିବା ୟୁରୋପର ବିଭିନ୍ନ ଦେଶରେ ଇହୁଦୀ ଗଣ ସଂହାର ପାଇଁ ଯେଉଁ କଂସେଣ୍ଟ୍ରାସନ କ୍ୟାମ୍ପ ବା ମରଣ ଖାଉଡ଼ ଖୋଲାଯାଇଥିଲା ସେହିଭଳି ଏକ ଖାଉଡ଼କୁ ସପରିବାର ନିର୍ବାସିତ ହୋଇଥିଲେ ପାଞ୍ଚ ବର୍ଷ ବୟସରେ ୟୋନା ଓବର୍ସକି। ସେଠି ତାଙ୍କ ବାପାଙ୍କ ଅସମୟ ମୃତ୍ୟୁ, ଯୁଦ୍ଧ ସରିବା ପରେ ମାଆଙ୍କ ମୃତ୍ୟୁ ଓ ମୁକ୍ତି – ଏ ସବୁକୁ ଘଟଣାକୁ ନେଇ ରଚିତ ଏହି ଉପନ୍ୟାସ। ବିଶ୍ୱ ପ୍ରସିଦ୍ଧ ଲେଖାଗୁଡ଼ିକ ଓଡ଼ିଆ ଭାଷାକୁ ଆସିବାରେ ଅତୀତରେ ଯେ ବିଶେଷ ଉଦ୍ୟମ ହୋଇଛି ତାହା କୁହାଯାଇ ପାରିବ ନାହିଁ।

ଅଗ୍ରଦୂତ ଭଳି କିଛି ପ୍ରକାଶନ ସଂସ୍ଥା ଅବଶ୍ୟ କିଛି କ୍ଲାସିକର ଓଡ଼ିଆ ଅନୁବାଦ ହୋଇଛି। କିନ୍ତୁ ଏହାର ଏକ ବିଧିବଦ୍ଧ ଉଦ୍ୟମ ଆରମ୍ଭ କରିଛି ଭୁବନେଶ୍ୱରର ଧଉଳି ବୁକ୍ସ। ମନୁ ଦାଶଙ୍କ ଦ୍ୱାରା ଏହିଭଳି କେତେକ ଆନ୍ତର୍ଜାତିକ ଉପନ୍ୟାସ ଓ ଅନ୍ୟାନ୍ୟ ରଚନାର ଅନୁଦିତ ପ୍ରକାଶନ ନିଶ୍ଚିତ ଭାବରେ ଏକ ସାହସିକ ପ୍ରଚେଷ୍ଟା। ‘ପିଲାଦିନ’ର ଅନୁବାଦ କରିଛନ୍ତି ଗାଳ୍ପିକ ଓ ଅନୁବାଦକ କମଳାକାନ୍ତ ମହାପାତ୍ର। ଚାରିକୋଣ ପକ୍ଷରୁ ପ୍ରକାଶିତ ଏହି ଉପନ୍ୟାସର ସହ ଅନୁବାଦକ ମୌସୁମୀ ଆଚାର୍ଯ୍ୟ । ଆଚାର୍ଯ୍ୟ ମୂଳତଃ ଜଣେ ମନସ୍ତତ୍ତ୍ୱବିତ କିନ୍ତୁ ଇହୁଦୀ ନିର୍ଯ୍ୟାତନା ସାହିତ୍ୟ ବା Holocaust Literatureର ଅନ୍ୟ ଦୁଇଟି ଉଲ୍ଲେଖନୀୟ ଉପନ୍ୟାସକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି।

ଅନୁବାଦକ ମୁଖବନ୍ଧରେ ଇହୁଦୀ ନରସଂହାରର ଏକ ମାର୍ମିକ ଚିତ୍ର ଉପସ୍ଥାପିତ କରିଛନ୍ତି। ତେବେ ଏହିଭଳି ଏକ ଉପନ୍ୟାସକୁ ଅନ୍ୟ ଏକ ଭାଷାରେ ଅନୁବାଦ କରିବା କଷ୍ଟକର ବୋଲି ସେ ସ୍ଵୀକାର କରିଛନ୍ତି। ‘ଶିଶୁର ଦୃଷ୍ଟିକୋଣ ଓ ଅନୁଭୁତି ପରିସର ମଧ୍ୟରେ ରହି ଉପନ୍ୟାସ ଓ ବିଶେଷ କରି ସଂହାର ସାହିତ୍ୟ ଲେଖିବା ଅତ୍ୟନ୍ତ କଷ୍ଟକର’ ବୋଲି ତାଙ୍କର ମତ। ‘ପିଲାଦିନ’ ଉପନ୍ୟାସର ଗହୀରକୁ ଯାଇ ତାର ସମ୍ବେଦନଶୀଳତାକୁ ବୁଝିବା ସକାଶେ ଯେଉଁ ମନନଶୀଳତା ଆବଶ୍ୟକ ତାହା ଅନୁବାଦକଙ୍କ ନିକଟରେ ରହିଥିବାରୁ ଏହିଭଳି ଭାଷାନ୍ତର ସାର୍ବଜନୀନ ହେବା ସ୍ୱାଭାବିକ। ଅନୁଦିତ ‘ପିଲାଦିନ’ର ପ୍ରକାଶନ ମାନ ଓ ଗଠନ ପରିପାଟି ଚମତ୍କାର।ଦେଢ଼ ଶହ ଟଙ୍କାର ଏହି ଅନୁଦିତ କାର୍ଯ୍ୟଟି ମୂଳ ଉପନ୍ୟାସର ଗୁରୁତ୍ୱକୁ ଅନେକ ମାତ୍ରାରେ ବଢ଼ାଇଛି ବୋଲି ଧରି ନେବାକୁ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment