ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ମିସ୍ ଇଣ୍ଡିଆ ଜୁହି ଚାୱାଲା ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ‘କୟାମତ ସେ କୟାମତ ତକ୍’, ‘ବୋଲ୍ ରାଧା ବୋଲ୍’, ‘ରାଜୁ ବନଗୟା ଜେଣ୍ଟେଲ୍ ମ୍ୟାନ୍’, ‘ଆଇନା’, ‘ହମ ହେ ରାହି ପ୍ୟାର କେ’ ଓ ‘ଡର୍’ ଭଳି ପ୍ରସିଦ୍ଧ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ଜୁହି।

ଜୁହି ଚାୱାଲା ଏମିତି ଜଣେ ବଲିଉଡ୍ ନାୟିକା, ଯିଏକି ମିସ୍ ଇଣ୍ଡିଆ ଟାଇଟଲ୍ ହାସଲ କରିବା ପରେ ଫିଲ୍ମ ଲାଇନରେ ପାଦ ଥାପିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ସୁଲତାନତ୍’ ଯାହା ୧୯୮୬ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଜୁହି ଚାୱାଲା ଥିଲେ ସେକେଣ୍ଡ ଲିଡ୍‌ରେ। ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସନି ଦେୱଲ।

ତେବେ ଜୁହି ଚାୱାଲା ମନସୂର ଖାନଙ୍କ ନିର୍ଦ୍ଦେଶିତ ୧୯୮୮ର ବ୍ଲକବ୍ଲାଷ୍ଟର ସିନେମା ‘କୟାମତ ସେ କୟାମତ ତକ’ ରେ ଷ୍ଟାରଡମ୍ ପାଇଥିଲେ। ଏହି ଫିଲ୍ମରେ ଜୁହିଙ୍କ ବିପକ୍ଷରେ ନଜର ଆସିଥିଲେ ମିଷ୍ଟର ପରଫେକ୍‌ନିଷ୍ଟ ଅମିର ଖାନ୍ । ପ୍ରଥମ ସିନେମାରେ ଅମିର ଓ ଜୁହିଙ୍କ ଯୋଡ଼ିକୁ ଦର୍ଶକ ସାଦରେ ଗ୍ରହଣ କରିଥିଲେ। ଆଉ ଏହାପରେ ଜୁହି ଚାୱାଲା ପଛକୁ ଫେରି ଚାହିଁନଥିଲେ। ‘କୟାମତ ସେ କୟାମତ ତକ୍’ ପରେ ‘ବୋଲ୍ ରାଧା ବୋଲ୍’, ‘ରାଜୁ ବନଗୟା ଜେଣ୍ଟେଲ୍ ମ୍ୟାନ୍’, ‘ଆଇନା’, ‘ହମ ହେ ରାହି ପ୍ୟାର କେ’ ଓ ‘ଡର୍’ ଆଦି ହିନ୍ଦୀ ସିନେମା ଜୁହି ଚାୱାଲାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା।

ଅମିର ଖାନଙ୍କ ସହ ଜୁହି ଚାୱାଲାଙ୍କ ଯୋଡ଼ି ପୁଣି ଥରେ ମହେଶ ଭଟ୍ଟଙ୍କ ସୁପରହିଟ୍ ଫିଲ୍ମ ‘ହମ୍ ହେ ରାହି ପ୍ୟାରେ କେ’ ରେ ଧୁମ୍ ମଚାଇଥିଲା। ଖାଲି ସେତିକି ନୁହେଁ, ଏହି ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରି ଜୁହି ଲାଭ କରିଥିଲେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଆୱାର୍ଡ।

ତେବେ ଆପଣ ଜାଣନ୍ତି କି, ଜୁହି ଚାୱାଲା ଏହାପରେ ବେଶ୍ କେତୋଟି ଫିଲ୍ମର ଅଫରକୁ ହାତଛଡ଼ା କରିଥିଲେ, ଯେଉଁଥି ପାଇଁ ତାଙ୍କୁ ପରେ ପଶ୍ଚାତାପ କରିବାକୁ ପଡ଼ିଥିଲା। ଆଉ ଏକ ମଜାଦାର କଥା ହେଲା ଯେ ତାଙ୍କର ହିଟ୍ ପାଟନର୍ ଅମିର ଖାନଙ୍କ ସହିତ ବି ସେ କେତୋଟି ସିନେମାରେ କାମ କରିବାକୁ ମନା କରିଦେଇଥିଲେ। ଏହାର କାରଣ ବି ଖୁବ୍ ମଜାଦାର ।

ଅମିର ଖାନ ସୁଟିଂ ସେଟରେ ଥିଲାବେଳେ ସବୁ ସମୟରେ ମଜ୍ଜା କରିଥାନ୍ତି। ସେ ବେଳେ ବେଳେ ଏଭଳି ମଜାଳିଆ କାମ କରନ୍ତି, ଯାହାକୁ ନେଇ ସହକଳାକାରମାନେ ବିରକ୍ତ ହୋଇଯାଆନ୍ତି। ଏମିତି ଏକ ଘଟଣା ଘଟିଥିଲା ‘ତୁମ ମେରେ ହୋ’ର ସୁଟିଂ ସେଟ୍‌ରେ।

ଅମିର ଖାନ ହଠାତ୍ ନିଜ କାରରୁ ଓହ୍ଲାଇ ସେଟରେ ଉପସ୍ଥିତ ଥିବା ନାୟିକା ଜୁହି ଚାୱାଲାଙ୍କୁ ହାତରେ ଏକ ସାପ ଧରାଇ ଦେଇଥିଲେ। ଏହା ଦେଖି ଜୁହି ଖୁବ୍ ଭୟଭୀତ ହୋଇଯାଇଥିଲେ ଓ ସେଟରୁ ଦୌଡ଼ିବା ଆରମ୍ଭ କରିଦେଇଥିଲେ। କୌଣସି ମତେ ସାପଟିକୁ ଫିଙ୍ଗି ଦେବା ପରେ ନିର୍ଦ୍ଦେଶକ ତାଙ୍କୁ ଶାନ୍ତ କରାଇଥିଲେ। ହେଲେ ସେ ତା’ ଭିତରେ ଜୁହି ଅମିର ଖାନଙ୍କୁ ପ୍ରବଳ ଗାଳି ବର୍ଷଣ କରିଥିଲେ। ଏହି ଘଟଣା ପରେ ଅମିରଙ୍କ ସହ ଜୁହି ଅନେକ ଦିନ ଧରି ସେଟରେ ବି କଥା ହୋଇନଥିଲେ।

ଏହାପରେ ଜୁହି ଚାୱାଲା ଆଉ ଅମୀର ଖାନଙ୍କ ସହିତ କାମ କରିବେ ନାହିଁ ବୋଲି ଠିକ୍ କରିଥିଲେ। ଠିକ୍ ସେହି ସମୟରେ ପ୍ରଖ୍ୟାତ ନିର୍ଦ୍ଦେଶକ ଧର୍ମେଶ ଦର୍ଶନ ଜୁହିଙ୍କୁ ରାଜା ହିନ୍ଦୁସ୍ଥାନୀ ଫିଲ୍ମର ଅଫର୍ ଦେଇଥିଲେ। ପୂର୍ବରୁ ଧର୍ମେନ୍ଦ୍ର ଅନ୍ୟ ଏକ ହିଟ୍ ଫିଲ୍ମ ‘ଲୁଟେରା’ରେ ନାୟିକା ଭୂମିକାରେ ଅଭିନୟ କରୁଥିଲେ। ଏହି ଦୃଷ୍ଟିରୁ ଆଶାବାଦୀ ଥିଲେ ଯେ ଜୁହି ଚାୱାଲା ନିରାଶ କରିବେ ନାହିଁ ସେତେବେଳେ ଜୁହି ଥିଲେ ଜଣେ ଟପ୍ ହିରୋଇନ୍। ଜୁହିଙ୍କୁ କାହାଣୀ ଓ ଚରିତ୍ର ଭଲ ଲାଗିଲା।ସେ ରାଜା ହିନ୍ଦୁସ୍ଥାନୀରେ ନାୟିକା ଭୂମିକା କରିବାକୁ ରାଜି ହୋଇଥିଲେ। ହେଲେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ଏଥିରେ ଅମିର ଖାନଙ୍କୁ ନାୟକ ଭୂମିକାରେ ଚୁକ୍ତିବଦ୍ଧ କରାଯାଇଛି ସେତେବେଳେ ଜୁହି ଚାଓ୍ବାଲା ସିଧାସଳଖ ମନା କରିଦେଇଥିଲେ।

ଏହାପରେ ନିର୍ଦ୍ଦେଶକ ଧର୍ମେଶ ଦର୍ଶନ କରିସ୍ମା କପୁରଙ୍କୁ ଫିଲ୍ମ ପାଇଁ ଅଫର୍ ଦେଇଥିଲେ। ସେ ତତକ୍ଷଣାତ୍ ଫିଲ୍ମ ପାଇଁ ରାଜି ହୋଇଯାଇଥିଲେ। ୧୯୯୧ରେ କରିସ୍ମା ପ୍ରେମ କଏଦି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ତା’ ପରେ ତାଙ୍କର କୌଣସି ଫିଲ୍ମ ସୁପରହିଟ୍ ହୋଇନଥିଲା। ତା’ ଛଡ଼ା ମିଷ୍ଟର ପରଫେନିକ୍ସ ଅମିର ଖାନଙ୍କ ବିପକ୍ଷରେ ନାୟିକା ହେବାର ବ୍ୟଗ୍ରତା ଥିଲା ତାଙ୍କ ଭିତରେ। ରାଜା ହିନ୍ଦୁସ୍ଥାନୀ ବ୍ଲକବ୍ଲଷ୍ଟର ହେବା ପରେ ଜୁହି ଚାଓ୍ବାଲା ଏହି ଫିଲ୍ମକୁ ଛାଡ଼ିଥିବାରୁ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ମନୋଭାବରେ ପରିବର୍ତ୍ତନ ଆସିଥିଲା। ସେ ଏହା ପରେ ଅମିରଖାନଙ୍କ ସହିତ ଇନ୍ଦ୍ରକୁମାର ସୁପରହିଟ୍ ଫିଲ୍ମ ଇସ୍କରେ ଅଭିନୟ କରିଥିଲେ।

Comment