ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଲାଞ୍ଚ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏଠାରେ ଖୁଲମଖୁଲା ଲାଞ୍ଚ ଦିଆନିଆ ହେବା କଥା ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ବାରମ୍ବାର ଏକଥାର ପ୍ରତିବାଦ ହେବା ସହ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲେ ମଧ୍ୟ ଏଥି ପ୍ରତି ସଂପୃକ୍ତ କାର୍ଯ୍ୟାଳୟ ନିଦାବିଷ୍ଣୁ ପାଲଟିବା ବିଷୟ ସମସ୍ତଙ୍କୁ ଚକିତ କରିଛି।

ବାଲେଶ୍ୱରଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଲାଞ୍ଚ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏଠାରେ ଖୁଲମଖୁଲା ଲାଞ୍ଚ ଦିଆନିଆ ହେବା କଥା ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ବାରମ୍ବାର ଏକଥାର ପ୍ରତିବାଦ ହେବା ସହ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲେ ମଧ୍ୟ ଏଥିପ୍ରତି ସଂପୃକ୍ତ କାର୍ଯ୍ୟାଳୟ ନିଦାବିଷ୍ଣୁ ପାଲଟିବା ବିଷୟ ସମସ୍ତଙ୍କୁ ଚକିତ କରିଛି।

ଏବେ ତ ଦୁର୍ନୀତିର ସମସ୍ତ ସୀମା ଅତିକ୍ରମ କରି ଯାଇଛି ଏଇ ଅଫିସ୍। ଏଠାରେ ଆବଦେନକାରୀଙ୍କ ଡକ୍ୟୁମେଣ୍ଟ୍ ଯାଞ୍ଚ କରୁଥିବା ୨ କିରାଣି ଯେପରି ପାଲଟିଛନ୍ତି ସର୍ବେସର୍ବା। ଦଲାଲ ସହିତ ସେମାନଙ୍କର ମଧୁଚନ୍ଦ୍ରିକା ଥିବାରୁ ଆବେଦନକାରୀ ଶୋଷଣରେ ଶିକାର ହେଉଛନ୍ତି। ଯେଉଁମାନେ ବିନା ଦଲାଲରେ କାମ କରିବାକୁ ଆସୁଛନ୍ତି ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏହି ଦୁଇ କିରାଣି ବିଭିନ୍ନ ପରୀକ୍ଷାରେ ଫେଲ୍ କରାଇବା ସହ ହଇରାଣ ହରକତ କରୁଛନ୍ତି। ଏମିତିକି ସେମାନଙ୍କୁ ‘ଦଲାଲ ଧର, ନ ହେଲେ ଫେର’ ବୋଲି ମଧ୍ୟ ଖୋଲାଖୋଲି କହୁଛନ୍ତି। ପ୍ରତିଦିନ ଦିନଦ୍ୱିପ୍ରହରରେ ଏଠାରେ ଦୁର୍ନୀତି ହେଉଥିବାବେଳେ ବିଭାଗୀୟ ଉଚ୍ଚପଦସ୍ଥ କର୍ମଚାରୀ କିମ୍ବା ଜିଲ୍ଲାପାଳଙ୍କ ପାଖରେ ଏ ସମ୍ପର୍କୀତ ଅଭିଯୋଗ ନାହିଁ।

ବାଲେଶ୍ୱର ଆର୍ଟିଓକୁ ବିଭିନ୍ନ ବ୍ଲକରୁ ପ୍ରତିଦିନ ୧ ହଜାରରୁ ଅଧିକ ଲୋକ ଯାନବାହାନ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଭଳି କାମରେ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡ୍ରାଇଭିଂ ଲାଇସେନ୍ସ ପାଇଁ ହିଁ ଆଦେବନ କରିଥାନ୍ତି । ଦୁଃଖ ଓ ପରିତାପର ବିଷୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ସେମାନଙ୍କୁ ଏହି ୨ କିରାଣି ଓ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଛି। ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଉଚ୍ଚପଦସ୍ଥ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶବାଚୀ ସୃଷ୍ଟି କରୁଛି।

ଦୁର୍ନୀତିକୁ ରୋକିବା ପାଇଁ ଆବେଦନକାରୀମାନେ ଅନ୍ ଲାଇନରେ ଆବେଦନ କରୁଛନ୍ତି। ନିର୍ଦ୍ଧାରିତ ତାରିଖରେ ସେମାନେ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପାଇଁ କାର୍ଯ୍ୟାଳୟର ପ୍ରଥମ ମହଲାରେ ବସୁଥିବା ଏହି ୨ କିରାଣି ପାଖକୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଜନୈକ କିରାଣି ଡକ୍ୟୁମେଣ୍ଟ ଯାଂଚ୍ କରିବା ପରେ ତଳ ମହଲାରେ ଥିବା ୧ ନମ୍ବର କାଉଣ୍ଟରକୁ ପଠାନ୍ତି। ସେଠାରେ ଲର୍ଣ୍ଣି ସାର୍ଟିଫିକେଟ୍ ପାଇଁ ଟଙ୍କା ପଇଠ କରାଯାଏ । ଟଙ୍କା ପଇଠ କରିବା ପରେ ଆବଦେନକାରୀମାନେ ଫଟୋ ଉଠାଇବାକୁ ଯାଆନ୍ତି। ଫଟୋ ଉଠା ସରିବା ପରେ ସେମାନେ ପୁଣିଥରେ ଏହି ଦୁଇ କିରାଣିଙ୍କ ନିକଟକୁ ଆସନ୍ତି । ଏଥର କିରାଣି ଦ୍ୱୟ ସେମାନଙ୍କ ପ୍ରକୃତ ଖେଳ ଆରମ୍ଭ କରନ୍ତି। ଯେଉଁ ଆବେଦନକାରୀମାନେ ୧୦୦ ଟଙ୍କା ଲାଞ୍ଚ ଦିଅନ୍ତି ସେମାନଙ୍କୁ ଏହି ୨ କିରାଣି ପାସ୍ କରାନ୍ତି । ଆଉ ଯେଉଁମାନେ ନ ଦିଅନ୍ତି ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫେଲ୍ କରାନ୍ତି।

ଦୁଇ କିରାଣିଙ୍କ ନିକଟରେ ତିନୋଟି କମ୍ପ୍ୟୁଟର ରହିଛି। ଜଣେ ଆବେଦନକାରୀଙ୍କ ଫର୍ମ ଯାଂଚ୍ ସହ ନାମ ଏଟ୍ରିଂ କରନ୍ତି । ଅନ୍ୟ ଜଣେ କିରାଣି କମ୍ପ୍ୟୁଟର ଆବେଦନକାରୀଙ୍କ ପରୀକ୍ଷା ନିଅନ୍ତି। ଯେଉଁ ଆବେଦନକାରୀମାନେ ଦଲାଲ ମାଧ୍ୟମରେ ଆସିଥାନ୍ତି ସେମାନଙ୍କୁ ଅନ୍ୟ କିରାଣି ଜଣଙ୍କ ନିଜେ ବସିଥିବା କମ୍ପ୍ୟୁଟର ପାଖରେ ବସାନ୍ତି। ପରେ ସେ ଆବଦେନକାରୀଙ୍କୁ କିବୋର୍ଡରେ ଚିହ୍ନିତ କି’କୁ ଦବାଇବାକୁ କହନ୍ତି । ଆବେଦନକାରୀଙ୍କୁ ଆଉ କିଛି କରିବାକୁ ପଡ଼େନି। ସେମାନଙ୍କୁ ସେ କିରାଣି ବାବୁ ଜଣଙ୍କ ପାସ୍ କରାଇ ଦିଅନ୍ତି ।

ଯେଉଁମାନେ ବିନା ଦଲାଲରେ ଆସିଥାନ୍ତି, ଏହି କିରାଣି ବାବୁ ଜଣଙ୍କ ତାଙ୍କ ବାମ ପାଶ୍ୱର୍ରେ ଥିବା ଅନ୍ୟ କମ୍ପ୍ୟୁଟରରେ ପରୀକ୍ଷା ନିଅନ୍ତି। ପରୀକ୍ଷାର ନିର୍ଦ୍ଧାରିତ ସମୟ ପୂର୍ବରୁ କମ୍ପ୍ୟୁଟର ବନ୍ଦ କରିବା ସହ ଆବେଦନକାରୀଙ୍କୁ ଜାଣିଶୁଣି ଫେଲ୍ କରାନ୍ତି। ଏହି ପରୀକ୍ଷାରେ ପାସ୍ କରିବାକୁ କିରାଣି ବାବୁ ଦ୍ୱୟ ଆବେଦନକାରୀଙ୍କ ନିକଟରୁ ସିଧାସଳଖ ଟଙ୍କା ନିଅନ୍ତିନି। ସେମାନଙ୍କୁ ଦଲାଲମାନେ ପ୍ରତି ଆବେଦନକାରୀଙ୍କ ବାବଦରେ ୧୦୦ ଟଙ୍କା ଲେଖାଏଁ ଦିଅନ୍ତି। ଏଥିପାଇଁ ଦଲାଲ ମଧ୍ୟ ପ୍ରତ୍ୟେକ ଆବଦେନକାରୀଙ୍କ ନିକଟରୁ ୧୦୦ଟଙ୍କା କମିଶନ ଆକାରରେ ଅସୁଲ୍ କରନ୍ତି। ଯେଉଁ ଆବେଦନକାରୀମାନେ ଏ ବାବଦରେ ୨୦୦ ଟଙ୍କା ନ ଦେବେ ସେମାନଙ୍କୁ ଏହି କିରାଣିବାବୁ ଦ୍ୱୟ ଫେଲ୍ କରାଇଦିଅନ୍ତି।

ପ୍ରତି ଶହେ ପିଲାରେ ୯୯ଜଣ ପିଲା ଏହି ପରୀକ୍ଷାରେ ଫେଲ୍ ହେବାର ସମ୍ଭାବନା ଥିବାରୁ ସେମାନେ ବାଧ୍ୟବାଧ୍ୟକତା ଭାବେ ଦଲାଲ ଧରନ୍ତି। ଅପରପକ୍ଷରେ ଯେଉଁମାନେ ବିନା ଦଲାଲରେ ଏହି ପରୀକ୍ଷା ଦିଅନ୍ତି ସେମାନଙ୍କୁ ଫେଲ୍ ହେବାକୁ ପଡ଼େ । ଲର୍ଣ୍ଣି ସାର୍ଟିଫିକେଟ୍ ପାଇବା ପାଇଁ ସେମାନଙ୍କୁ ଆଉ ୧ ମାସ ଅପେକ୍ଷା କରିବାକୁ ପଡେ଼। ସେଥିର ମଧ୍ୟ ଦଲାଲକୁ ୨ ଶହ ଟଙ୍କା ନ ଦେଲେ ପୁଣିଥରେ ଫେଲ୍ ହେବାକୁ ପଡେ଼। ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ଖଇରା, ଔପଦା, ନୀଳଗିରି ଭଳି ବ୍ଲକର ଦୂର ଜାଗାରୁ ଆସୁଥିବା ଆବଦେନକାରୀମାନେ ଏହି ୨ କିରାଣିଙ୍କ ଦୌରାତ୍ମ୍ୟ ଆଗରେ ହାର୍ ମାନନ୍ତି। ଅନିଚ୍ଛା ସତ୍ତ୍ଵେ ଲର୍ଣ୍ଣିଂ ଡିଏଲ୍ ପାଇଁ ଦଲାଲ୍ ଧରିବା ସହ ସେମାନଙ୍କୁ ୨୦୦ ଟଙ୍କା ଦେବାକୁ ପଡ଼େ।

ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ୱର ଆରଟିଓରେ ବୁଲାବୁଲି କରୁଥିବା କିଛି ଦଲାଲଙ୍କ ପତିକ୍ରିୟା ନେବାବେଳେ ସେମାନେ ଏହି କଥାକୁ ସ୍ୱୀକାର କରିଥିଲେ। ଆବେଦନକାରୀଙ୍କୁ ପାସ୍ ଫେଲ୍ କରାଇବା ଦାୟିତ୍ୱ ଏହି ଦୁଇ କିରାଣିଙ୍କୁ ଦିଆଯାଇଛି। ପ୍ରତି ଆବେଦନକାରୀଙ୍କ ପାଇଁ ସେମାନେ ଆମ ନିକଟରୁ ୧୦୦ଟଙ୍କା ନେବେ ହିଁ ନେବେ। ଏହି କଥା ଆରଟିଓଙ୍କ ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ବୋଲି ସେମାନେ କହିଥିଲେ।  ଏ ସମ୍ପର୍କରେ ବାଲେଶ୍ୱର ଆରଟିଓ ବିକାଶ ଚୌଧୁରୀ ଅବଗତ ନ ଥିବା କହିବା ସହ ପ୍ରଥମ କରି ଏଭଳି ଅଭିଯୋଗ ଆସିଥିବାରୁ ଏ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି। କିନ୍ତୁ ଏକଥା ସତ ଯେ କେବେ ବି ତଦନ୍ତ ହେବନି କି ଆରଟିଓ ଅଫିସ୍ ଦୁର୍ନୀତିମୁକ୍ତ ହୋଇପାରିବନି।

Comment