ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ପୂର୍ବରୁ ୬ଜଣ ବିଚାରପତିଙ୍କ ନାଁରେ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା।
ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ଛନ୍ଦି ହୋଇପଡ଼ିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ତାଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ।
ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବରେ ୭ଟି ଦଳ ସ୍ୱାକ୍ଷର କରିଛନ୍ତି। ଏଥିରେ ଏନ୍ସିପି, ଟିଏମସି, କଂଗ୍ରେସ, ବାମ ଦଳ ସମେତ ୭ଟି ରାଜନୈତିକ ଦଳ ସାମିଲ ଅଛନ୍ତି।
ଦୀପକ ମିଶ୍ରଙ୍କ ନାଁରେ କ’ଣ ରହିଛି ଅଭିଯୋଗ?
ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ନେଇ ବିବାଦଘେରକୁ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର। ତାଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। ଜଷ୍ଟିସ୍ ଦୀପକ ମିଶ୍ର ୨୦୧୭ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ସେ ପୂର୍ବତନ ପ୍ରଧାନ ବିଚାରପତି ଜେଏସ୍ ଖୈରଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୮ ଅକ୍ଟୋବର ୨ରେ ଶେଷ ହେଉଛି।
ଚଳିତ ବର୍ଷ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ପ୍ରମୁଖ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ କରିଥିଲେ । ଏହାପରେ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଗୁଡିକ ଏକାଠି ହୋଇଥିଲେ।
ମହାଭିଯୋଗ କ’ଣ?
ଭାରତ ସମ୍ବିଧାନର ଧାରା ୧୨୪(୪)ରେ ମହାଭିଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ଧାରା ଅନୁସାରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କୌଣସି ବିଚାରପତିଙ୍କ ବିରୋଧରେ ଦୁର୍ନୀତି ବା ଅପରାଗତା ପାଇଁ ମହାଭିଯୋଗ ପ୍ରସ୍ତାବ ଅଣାଯାଇ ପାରିବ । ସଂସଦ ଅଧିବେଶନରେ କୌଣସି ଏକ ଗୃହରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥାଏ। ଏହାପରେ ଏହା ଯାଞ୍ଚ ପାଇଁ ଦ୍ୱିତୀୟ ଗୃହକୁ ଯାଇଥାଏ। ସଂସଦରେ ବିଚାରପତିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ତଦନ୍ତ କରାଯାଇଥାଏ ଓ ପ୍ରସ୍ତାବ ଉପରେ ମତଦାନ ହୋଇଥାଏ। ପ୍ରସ୍ତାବ ସପକ୍ଷରେ ଦୁଇ ତୃତୀୟାଂଶ ମତ ମିଳିଲେ ମହାଭିଯୋଗ ଉପରେ ନିଷ୍ପତ୍ତି ନିଆଯାଇଥାଏ । ବିଚାରପତି ପଦରେ ରହିବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯାଇଥାଏ। ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଲୋକସଭାର ୧୦୦ ସାଂସଦ କିମ୍ବା ରାଜ୍ୟସଭାରେ ୫୦ ସାଂସଦଙ୍କ ସ୍ୱୀକୃତି ଆବଶ୍ୟକ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିରୋଧୀ ଦଳ ଗୁଡିକ ମହାଭିଯୋଗ ଆଣିବାକୁ ସକ୍ଷମ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ୬ଜଣ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିସାରିଛି।
ରାମାସ୍ୱାମୀ
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରାମାସ୍ୱାମୀଙ୍କ ବିରୋଧରେ ୧୯୯୩ରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା । ମାତ୍ର ଏହା ଲୋକସଭାରେ ପାରିତ ହୋଇପାରିନଥିଲା ।
ସୌମିତ୍ର ସେନ
ଏହାପରେ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସୌମିତ୍ର ସେନଙ୍କ ବିରୋଧରେ ୨୦୧୧ରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ଏନେଇ ଲୋକସଭାରେ ମତଦାନ ହେବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଦେଇଥିଲେ।
ଜେବି ପର୍ଦ୍ଦିବାଲା
୨୦୧୫ରେ ରାଜ୍ୟସଭାର ୫୮ଜଣ ସଦସ୍ୟ ଗୁଜୁରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ଜେବି ପର୍ଦ୍ଦିବାଲାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ନୋଟିସ ପଠାଯାଇଥିଲା। ଆରକ୍ଷଣ ପ୍ରସଙ୍ଗରେ ଆପତ୍ତିଜନକ ଟିପ୍ପଣୀ ଦେବା ଓ ପଟିଦାର ସମ୍ପଦାୟର ନେତା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଚାଲିଥିବା ମାମଲାର ଏକ ଫଇସଲାକୁ ନେଇ ଏହି ନୋଟିସ୍ ଦିଆଯାଇଥିଲା। ମହାଭିଯୋଗର ନୋଟିସ ରାଜ୍ୟସଭା ସଭାପତି ହମିଦ ଅନସାରୀଙ୍କୁ ପଠାଯିବାର କିଛି ଘଣ୍ଟା ପରେ ବିଚାରପତି ନିଜ ଫଇସଲାକୁ ଫେରାଇ ନେଇଥିଲେ।
ପିଡି ଦିନାକରନ
ଜମି ଉପରେ କବ୍ଜା କରିବା, ଭ୍ରଷ୍ଟାଚାର ଓ ନ୍ୟାୟିକ ପଦର ଦୂରୁପଯୋଗ କରିବା ମାମଲାରେ ସିକିମ ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ବିଚାରପତି ପିଡି ଦିନାକରନ ବିବାଦଘେରକୁ ଆସିଥିଲେ। ତାଙ୍କ ଉପରେ ମହାଭିଯୋଗ ନୋଟିସ ଆସିବା ପୂର୍ବରୁ ୨୦୧୧ରେ ନିଜ ପଦରୁ ଇସ୍ତଫା ଦେଇଥିଲେ।
ନାଗାର୍ଜୁନ ରେଡ୍ଡୀ
୨୦୧୬ରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟର ବିଚାରପତି ନାଗାର୍ଜୁନ ରେଡ୍ଡୀ ବିବାଦ ଘେରକୁ ଆସିଥିଲେ। ତାଙ୍କ ବିରୋଧରେ ଜଣେ ଦଳିତ ବିଚାରପତିଙ୍କୁ ପ୍ରତାରଣା ଦେବା ସହ ନିଜ ପଦର ଦୁରୂପଯୋଗ କରିଥିବା ଅଭିଯୋଗ ଆସିଥିଲା। ରାଜ୍ୟସଭାର ୬୧ଜଣ ସଦସ୍ୟ ତାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଏକ ନୋଟିସ୍ ଦିଆଯାଇଥିଲା। ରେଡ୍ଡୀଙ୍କ ବିରୋଧରେ ନୋଟିସ୍ ଦେଇଥିବା ରାଜ୍ୟସଭାର ୫୪ଜଣ ସଦସ୍ୟଙ୍କ ମଧ୍ୟରୁ ୯ଜଣ ପରେ ନିଜ ହସ୍ତାକ୍ଷର ଫେରାଇ ନେଇଥିଲେ।














