ଡକ୍ଟର ହରପ୍ରସନ୍ନ ଦାସ

ସ୍କୁଲ୍ କଲେଜରେ ପାଠ ସିନା ପଢିନି, କିନ୍ତୁ ସେ ଆମ ସମସ୍ତଙ୍କଠାରୁ ବେଶ୍ ଶିକ୍ଷିତ, ବେଶ୍ ମାର୍ଜିତ ଏବଂ ସବୁ ଭଲଗୁଣରେ ଭରପୂର ଥିଲା।

ଯାହା ଜଣାପଡ଼ୁଥିଲା ବୟସ ବୋଧେ ୬୦ ପାଖାପାଖି ହେବ। ମହିଳାଜଣକ ଆମ ଘରେ ପ୍ରାୟ ଝାଡ଼ୁ ମାରିବା କାମ କରୁଥିଲା। ତା’ର ନାଁ ‘କୁମାରୀ’ ବୋଲି ସେ କହିଥିଲା। ଭଦ୍ର ବ୍ୟବହାର, ନିଷ୍ଠାପର କାମ। କଥା ଓ କାମରେ ତା’ର ସକରାତ୍ମକ ମନୋଭାବ ଥିବାର ଜଣାପଡ଼ୁଥିଲା। ତା’ର ବ୍ୟବହାର ଓ କାର୍ଯ୍ୟକଳାପରୁ ଆମେ ବେଶ୍ ଅନୁଭବ କରିପାରିଲୁ ଯେ ସେ ଅନ୍ୟ କାମବାଲୀଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା।

ଦିନ ପରେ ଦିନ କୁମାରୀ ଆମ ଘର ସହିତ ଅତି ଘନିଷ୍ଠ ହୋଇଗଲା। ତା’ର ବ୍ୟବହାରରେ ଆମ ପରିବାରର ସମସ୍ତେ ଅତି ଖୁସି ଥିଲେ। ଏପରିକି ତାକୁ ଆମ ପରିବାରର ଲୋକ ହିସାବରେ ଗ୍ରହଣ କରି ନେଇଥିଲେ। ଆମ ତଳ ମହଲାରେ ଥିବା ଅଫିସ୍‌ରେ ସେ କାମ କରୁଥିଲା। ସେଠି ବି ସମସ୍ତେ ତା’କୁ ନିଜର ପରି ଭଲ ପାଉଥିଲେ। ସେ କିଛି ବି ପାଠ ପଢ଼ିନଥିଲା। କିନ୍ତୁ ମଣିଷପଣିଆରେ ସେ ଆମର ତଥାକଥିତ ଶିକ୍ଷିତ ଲୋକମାନଙ୍କଠାରୁ ବି ବେଶ୍ ଭଲ ଥିଲା। ତା’ ପାଖରେ ଯେଉଁ ଭଲଗୁଣଗୁଡ଼ିକ ଥିଲା ସେଗୁଡ଼ିକ ଆମ ସମାଜର ଅନେକ ଶିକ୍ଷିତ ଲୋକମାନଙ୍କ ପାଖରେ ବି ଦେଖାଯାଏ ନାହିଁ। ତା’ କାମରେ କିଛିଟା ଭୁଲ୍ ଦର୍ଶାଇଲା ବେଳେ ସେ ହସିଦେଇ ନିଜର ଭୂଲ୍‌ଟାକୁ ମାନିନିଏ। କୌଣସି ଉତ୍ତର ନଦେଇ ସେ ଭୂଲ୍‌ଟିକୁ ସଜାଡ଼ି ନିଏ। ଏହାହିଁ ଥିଲା ତା’ର ସକରାତ୍ମକ ମନୋଭାବ।

ଦିନେ ସେ ତା’ର ନିଜ ଜୀବନର କାହାଣୀ ଆମକୁ କହିଲା। ଗଞ୍ଜାମ ଜିଲ୍ଲାର ଗୋଟେ ଗାଁରେ ଏକ ଚାଷୀ ପରିବାରର ବୋହୂ ସିଏ। ତା’ର ପୁଅ ଗୁଜୁରାଟର ସୁରଟଠାରେ କାମ କରୁଥିଲା। ସ୍ୱାମୀ ଗାଁରେ ଚାଷ କାମ କରେ। ପୁଅ ବାହା ହୋଇଛି। ବୋହୂ ଗାଁ’ରେ ଅଛି। ପୁଅ ପ୍ରତି ମାସରେ ଟଙ୍କା ପଠାଏ। ସେମାନେ ଆନନ୍ଦରେ ସେଇଥିରେ ଚଳିଯାଆନ୍ତି। କିଛି ଟଙ୍କା ସଞ୍ଚୟ କରି ସେମାନେ କୋଠାଘରଟିଏ ତିଆରି କଲେ। କିନ୍ତୁ ସେମାନଙ୍କର ଆନନ୍ଦ ବେଶୀଦିନ ରହିଲା ନାହିଁ, ଯେଉଁଦିନ ଏକ ଦୁର୍ଘଟଣାରେ ପୁଅର ମେରୁଦଣ୍ଡ ଭାଙ୍ଗିଗଲା। ତା’ର ଚିକିତ୍ସା ପାଇଁ ସମୁଦାୟ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଆଉ କାମ ନକରି ପାରି ପୁଅ ଗାଁକୁ ଫେରି ଆସିଲା।

ଘରକୁ ବନ୍ଧାଦେଇ ସାହୁକାର ପାଖରୁ ସେମାନେ ଟଙ୍କା ଋଣ ଆଣିଥିଲେ। ପୁଅ ଆସି ଘରେ ବସିଲା, ଚାଷରୁ ଯାହା ମିଳିଲା ସେଇଥିରେ ଖାଇ ବଞ୍ଚିଲେ। ଏବେ ଋଣ ଟଙ୍କା ଶୁଝିବେ କିପରି? ଏଇ ଦୁଃଖରେ ପରିବାରର ଲୋକମାନେ ପୂରାପୂରି ଭାଙ୍ଗି ପଡ଼ିଲେ। କିନ୍ତୁ କୁମାରୀ ମନରେ ସାହାସ ଧରି ଏକ ବଳିଷ୍ଠ ପଦକ୍ଷେପ ନେଲା। ନିଜେ ଭୁବନେଶ୍ୱରକୁ ଆସି କାମ କରିବା ପାଇଁ ମନଦୃଢ଼ କଲା। ଗାଁରେ ଅନ୍ୟମାନଙ୍କୁ କହିଲା ମୁଁ ଭୁବନେଶ୍ୱର ଯାଉଛି ଏକ ବନ୍ଧୁ ଘରକୁ। ତାଙ୍କ ପରିବାରରେ କେହି ଏପରି କାମବାଲୀର କାମ କରିନଥିଲେ। ଘର ଘର ବୁଲି ବାସନ ମାଜିବା ଓ ଘର ଝାଡ଼ୁ କରିବା। ସେ ଏଠି ୪/୫ ଘରେ ଏହି କାମ କରୁଛି ବୋଲି ତା’ ଗାଁରେ କେହି ଜାଣନ୍ତି ନାହିଁ। ଆନନ୍ଦ ମନରେ ସେ ହିଁ ସ୍ଥିର କରିଥିଲା ଏହି କାମ କରିବା ପାଇଁ। ଲୋକଙ୍କର ସେବା କରିବି ଓ ସଚ୍ଚୋଟରେ ଟଙ୍କା ରୋଜଗାର କରିବି। ବାଟରୁ ଅବାଟକୁ ଯିବି ନାହିଁ ।

କେବଳ ଗୋଟିଏ ଲକ୍ଷ୍ୟ ଥିଲା, ଦିନରାତି ପରିଶ୍ରମ କରି ସତ୍ ବାଟରେ ଟଙ୍କା ରୋଜଗାର କରିବି। ମାସକୁ ମାସ ଋଣ ଟଙ୍କା ଶୁଝିବି। ସାହୁକାର ପାଖରେ ବନ୍ଧା ପଡ଼ିଥିବା ଘରକୁ ମୁକୁଳାଇବି। ଭୁବନେଶ୍ୱର ତା’ ପାଇଁ ଥିଲା ଅଜଣା ସହର। ଅଚିହ୍ନା ଲୋକମାନେ। ମନରେ ସାହାସ ଓ ଦୃଢ଼ ମନୋବଳ ନେଇ ସେ ଆସିଥିଲା କାମ କରିବାକୁ। ଏହିପରି ୧୮ ମାସ ବିତିଗଲାଣି। ସେ ୫୦ ହଜାର ଟଙ୍କା ଋଣ ବାବଦକୁ ଶୁଝି ସାରିଲାଣି।

ଯେଉଁମାନଙ୍କ ଘରେ ସେ କାମ କରେ ସମସ୍ତେ ତା’କୁ ଭଲ ପାଆନ୍ତି। କେବେ ସେ କାହାର ଦୋଷ କାଢ଼ି ନାହିଁ କିମ୍ବା କୌଣସି କଥାରେ ସେ କିଛି ଅଭିଯୋଗ କରିନି। କେହି ଯଦି ତା’ ପ୍ରତି କିଛି ଅନ୍ୟାୟ କରେ ସେ ହସି ଦେଇ ତା’କୁ କ୍ଷମା କରିଦିଏ। ସେ କାହା ସହିତ କେବେ ଯୁକ୍ତି କରିବା କିମ୍ବା କଳି କରିବା ଆମେ ଦେଖିନୁ। ସେ ଏକ ଅସାଧାରଣ ମଣିଷ।

ଝିଅର ବାହାଘର ପାଇଁ ଖୋଜାଖୋଜି ଚାଲିଥିଲା। କିନ୍ତୁ ସେ କେବେ ବ୍ୟସ୍ତ ହେବାର ଆମେ ତା’କୁ ଦେଖିନୁ। ଭଗବାନଙ୍କ ଉପରେ ତା’ର ଅନେକ ଭରସା। ପୁଅର ରୋଜଗାର ନାହିଁ। ବୋହୂ ପରିବାରକୁ ସହଯୋଗ କରୁନି। ଗାଁରେ ସ୍ୱାମୀ ଆଉ ଝିଅ କଠିନ ପରିଶ୍ରମ କରୁଛନ୍ତି, ଭୁବନେଶ୍ୱରରେ ସେ ନିଜେ। ତଥାପି ମୁହଁରେ ହସ, ମନରେ ସକରାତ୍ମକ ଭାବ। ମଣିଷପଣିଆରେ ଭରପୂର ଥିବା ଏଇ ଲୋକଟି ବିଷୟରେ ଅନେକ ସଭାସମିତିରେ ମୁଁ କହିଛି। ତା’ ଭିତରେ ଥିବା ସବୁ ଭଲଗୁଣଗୁଡ଼ିକୁ ଆମ ସମାଜର ପଦପଦବୀରେ ଥିବା ଶିକ୍ଷିତ ଲୋକମାନଙ୍କ ଭିତରେ ପାଇବା ବଡ଼ କଷ୍ଟକର ବିଷୟ।

ଏବେବି ଆମେ ଖୋଜୁଛୁ ସେହିପରି ଆଉ ଏକ ମହିଳା। ସ୍କୁଲ୍ କଲେଜରେ ପାଠ ସିନା ପଢିନି, କିନ୍ତୁ ସେ ଆମ ସମସ୍ତଙ୍କଠାରୁ ବେଶ୍ ଶିକ୍ଷିତ, ବେଶ୍ ମାର୍ଜିତ ଏବଂ ସବୁ ଭଲଗୁଣରେ ଭରପୂର ଥିଲା। ଦୁଇ ବର୍ଷ ହେବ ସେ କାମ ଛାଡି ଗାଁ’କୁ ଫେରିଯାଇଛି, କିନ୍ତୁ ଆମେ ତା’କୁ ଆଜି ବି ଝୁରୁଛୁ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment