ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୌମ୍ୟଶେଖର-ରିମାଙ୍କ ସୁନାର ସଂସାରକୁ ଉଜାଡ଼ି ଦେଇଛି ପାର୍ସଲ ବୋମା। ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଥିଲେ ମଧ୍ୟ ରିମାଙ୍କ ଆଖିରୁ ଲୁହ ଶୁଖୁନି କି ମନରେ ଥିବା କ୍ଷୋଭ ଦୂର ହେଉନି।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ। ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ମାସ ପରେ ଦୋଷୀ ଦଣ୍ଡ ପାଇଛି ସତ, ହେଲେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ରିମାରାଣୀ ସାହୁଙ୍କ ଆଖିରୁ ଲୁହ ଶୁଖୁନି। ବିନା ଦୋଷରେ ସେ କାହିଁକି ଦଣ୍ଡ ପାଇଲେ ବୋଲି ଭାଳି ହେଉଛନ୍ତି। ସଂସାର କ’ଣ ବୁଝିବା ପୂର୍ବରୁ ତାଙ୍କ ମଥାର ସିନ୍ଦୂର ପୋଛି ହୋଇଯାଇଛି।

କେବଳ ସିନ୍ଦୁର ପୋଛି ହୋଇଯାଇଛି ନୁହେଁ, ବୋମା ବିସ୍ଫୋରଣରେ ତାଙ୍କ ଜୀବନଟା ବି ଜଳିପୋଡ଼ି ପାଉଁଶ ହୋଇଯାଇଛି। ବାକି ଜୀବନ କେମିତି କାଟିବେ ତାକୁ ନେଇ ଭାଳି ହେଉଛନ୍ତି ରିମା।

ଆଖିରେ ଆଖିଏ ସ୍ୱପ୍ନ ଏବଂ ମନରେ ନୂଆ ଆଶା ନେଇ ପାଟଣାଗଡ଼ର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ହାତ ଧରିଥିଲେ ରିମା। ସୌମ୍ୟଶେଖର ବେଙ୍ଗାଳୁରରେ ଥିଲେ ସଫ୍ଟ ୱେୟାର ଇଞ୍ଜିନୟର। ଦେଖିବାକୁ ବି ସୁନ୍ଦର ଏବଂ ଶାନ୍ତ ସ୍ୱଭାବର। ସୌମ୍ୟଶେଖରଙ୍କ ହାତ ଧରି ସୁନାର ସଂସାର ଗଢ଼ିବା ପାଇଁ ରିମା ଦେଖିଥିଲେ ସ୍ୱପ୍ନ। ହେଲେ ସେ ସ୍ୱପ୍ନ ବେଶିଦିନ ରହିଲା ନାହିଁ। ସୌମ୍ୟଶେଖର ଏବଂ ରିମା ପରସ୍ପରକୁ ଭଲଭାବେ ଚିହ୍ନିବା ଆଗରୁ ସବୁକିଛି ଉଜୁଡ଼ି ଯାଇଥିଲା। ବାହାଘରର ମାତ୍ର ଚାରି ଦିନ ପରେ ତାଙ୍କ ସୁନାର ସଂସାର ଚୁନା ହୋଇଯାଇଥିଲା।

ଗିଫ୍ଟ ପ୍ୟାକେଟ ଖୋଲୁ ଖୋଲୁ ସୌମ୍ୟଶେଖର ପ୍ରାଣ ହରାଇଥିବା ବେଳ ରିମା ଗୁରୁତର ହୋଇଯାଇଥିଲେ। ତାଙ୍କ ଶରୀର ଅଧା ଅଂଶ ପୋଡ଼ି ଯାଇଥିଲା। ସେ ସଂଜ୍ଞାହୀନ ହୋଇଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବୁର୍ଲାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ପଟେ ରିମା ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ବେଡରେ ଛଟପଟ ହେଉଥିବା ବେଳେ ଆର ପଟେ ସୌମ୍ୟଶେଖରଙ୍କ ଜୁଇ ଜଳିଥିଲା। ହେଲେ ଏସବୁ ବିଷୟରେ ରିମା କିଛି ଜାଣି ନଥିଲେ।

ସ୍ୱାମୀର ମୃତ୍ୟୁ ଖବର ପାଇ ଝିଅ କାଳେ ଭାଙ୍ଗି ପଡ଼ିବ ସେଥିପାଇଁ ପରିବାର ବର୍ଗ ବି ତାଙ୍କୁ କଥା ଲୁଚାଇଥିଲେ। ହେଲେ ସତ କେବେ ଲୁଚି ରହେନା ଭଳି ରିମା ବିଳମ୍ବରେ ହେଲେ ବି ସବୁ କଥା ଜାଣିପାରିଥିଲେ। ସ୍ୱାମୀଙ୍କ ମୃତ୍ୟୁର ୨୦ ଦିନ ପରେ ରିମା ଯେତେବେଳେ ମେଡିକାଲରେ ସକାଳ ଜଳଖିଆ ଖାଉଥିଲେ ସେତେବେଳେ ତାଙ୍କ ନଜର ପୁରୁଣା ଖବରକାଗଜ ଉପରେ ପଡ଼ିଥିଲା। ଏହି ଖବର ପଢ଼ି ରିମା ଅସ୍ଥିର ହୋଇଯାଇଥିଲେ। ନିଜ ସ୍ୱାମୀଙ୍କ ମୃତ୍ୟୁ କଥା ଖବରକାଗଜରୁ ପଢ଼ି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ପରିବାର ଲୋକ ବୁଝାଇଥିଲେ। ହେଲେ ତାଙ୍କ ମନରେ ସୃଷ୍ଟି ହୋଇଥିବା କ୍ଷୋଭ ଏବଂ ଆଖିର ଲୁହକୁ ବନ୍ଦ କରିପାରି ନାହାନ୍ତି ଘର ଲୋକେ।

କଟକ ବଡ଼ ମେଡିକାଲରୁ ସୁସ୍ଥ ହୋଇ ରିମା ଏବେ ସୋନପୁରରେ ତାଙ୍କ ବାପାଙ୍କ ଘରେ ଅଛନ୍ତି। ଝିଅର ମନକୁ ହାଲୁକା କରିବା ପାଇଁ ବାପା-ମା’ ପ୍ରୟାସ କରୁଥିଲେ ବି କୋହ ସମ୍ବରଣ କରିପାରୁ ନାହାନ୍ତି ରିମା। ତାଙ୍କ ଆଖିରେ ସେହି ଫେବ୍ରୁଆରି ୨୩ ତାରିଖର ଘଟଣା ନାଚି ଉଠୁଛି। ଏହି ଘଟଣାକୁ ନେଇ ତାଙ୍କ ମନରେ ଭରି ରହିଛି କ୍ଷୋଭ। କ୍ଷୋଭଭରା କଣ୍ଠରେ ତାଙ୍କ ସୁନାର ସଂସାରକୁ ଯିଏ ଉଜାଡ଼ିଛି ତା ସଂସାର ସେମିତି ଉଜୁଡି ଯାଉ ବୋଲି କହି ସାରିଛନ୍ତି। ରିମାଙ୍କ କ୍ଷୋଭର ଠିକ୍ ଦିନକ ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରିଛି। ତେବେ ରିମାଙ୍କ ଉଜୁଡ଼ି ଯାଇଥିବା ହସଖୁସିର ସଂସାର ପୁଣି କ’ଣ ଫେରି ଆସିବ କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

Comment