ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରିପଲ ତଲାକ୍ ବିରୋଧରେ ଲଢ଼ିଥିବା ମହିଳା ହେଉଛନ୍ତି ସାୟରା ବାନୋ। ଶହ ଶହ ବର୍ଷର ମୁସ୍‌ଲିମ୍ ପ୍ରଥା ବିରୋଧରେ ସ୍ୱର ଉଠାଇଥିଲେ ଏହି ମହିଳା। ଜାଣନ୍ତୁ ସେହି ମୁସ୍‌ଲିମ୍ ମହିଳାଙ୍କ ବିଷୟରେ…

ଉତ୍ତରାଖଣ୍ଡର କାଶୀପୁରରେ ସାୟରା ବାନୋଙ୍କ ଘର। ୨୦୦୧ ମସିହାରେ ତାଙ୍କର ବିବାହ ହୋଇଥିଲା ଆହ୍ଲାବାଦର ଜଣେ ବ୍ୟବସାୟୀ ରିଜଓ୍ୱାନଙ୍କ ସହ।

ବିବାହ ପରେ ପରେ ଯୌତୁକ ନିର୍ଯାତନାର ଶିକାର ହେଲେ ସାୟରା। ତାଙ୍କ ବାପା ମାଆ ନିଜ ସାଧ୍ୟମତେ ଶ୍ୱଶୁର ଘରର ଦାବି ପୂରଣ କରିବାକୁ ଚେଷ୍ଠା କଲେ। ହେଲେ ଦିନକୁ ଦିନ ସେମାନଙ୍କ ଦାବି ବଢ଼ିବାରେ ଲାଗିଲା।

ଚାରିଚକିଆ ଗାଡ଼ି ପାଇଁ ୫ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ତାଙ୍କ ଉପରେ ଚାପ ପଡ଼ିଲା। ତେବେ ବାପାମାଆଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଶ୍ୱଶୁର ଘରର ଦାବି ପୂରଣ ହୋଇପାରି ନଥିଲା। ଏପଟେ ସାୟରାଙ୍କ ଆଉ ଜଣେ ଅବିବାହିତ ଭଉଣୀ ଥିବାରୁ ତାଙ୍କ ବାପା ମାଆଙ୍କ ପକ୍ଷରେ ଯୌତୁକ ଦେବା ସମ୍ଭବ ନଥିଲା। ଏହା ପରେ ସାୟରାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଲା।

ଏହା ଭିତରେ ସେ ୧୩ ବର୍ଷର ପୁଅ ଓ ୧୧ ବର୍ଷର ଝିଅର ମାଆ ମଧ୍ୟ ହୋଇସାରିଥିଲେ। ହେଲେ ନିର୍ଯାତନା କମୁ ନଥିଲା। ପ୍ରାୟ ପ୍ରତ୍ୟେକ ଦିନ ତାଙ୍କୁ ମାଡ଼ ମରାଯାଉଥିଲା। ସ୍ୱାମୀ ରିଜୱାନ ଟିକେ ଟିକେ କଥାରେ ମାଡ଼ ଗାଳି ଦେଉଥିଲେ। ୬ ଥର ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ ରିଜୱାନ।

ଅତ୍ୟଧିକ ଗର୍ଭନିରୋଧକ ବଟିକା ଖାଇବା ଏବଂ ବାରମ୍ବାର ଗର୍ଭପାତ କରିବା ପରେ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଅଧିକ ଅସୁସ୍ଥ ହୋଇପଡ଼ିବାରୁ ସେ ତାଙ୍କ ବାପଘରକୁ ଯାଇଥିଲେ। ସେଠାକୁ ତାଙ୍କୁ ଦେଖିବା ପାଇଁ ସ୍ୱାମୀ, ଶ୍ୱଶୁର କିମ୍ବା ଅନ୍ୟ କେହି ଆସି ନଥିଲେ। ମାତ୍ର ଏହାର ୫ ମାସ ପରେ ତାଙ୍କ ନିକଟକୁ ଏକ ଟେଲିଗ୍ରାମ ଆସିଥିଲା। ସେ ଚିଠିରେ ତଲାକ୍ ତଲାକ୍ ତଲାକ୍ ତିନି ଥର ଲେଖାଯାଇଥିଲା।

ଏହି ଟେଲିଗ୍ରାମ ସେ ଜଣେ କାଜିକୁ ଦେଖାଇଥିଲେ। ସେ ଏହାକୁ ‘ସାରିଆ ସମ୍ମତ’ ବୋଲି କହିଥିଲେ। ଏହା ପରେ ଆଇନଗତ ଲଢ଼େଇ ପାଇଁ ପଦାକୁ ବାହାରିଥିଲେ ସାୟରା ବାନୋ।

ସେ କହିଥିଲେ ଯେ ବର୍ଷେ ହେଲା ତାଙ୍କ ପୁଅ, ଝିଅଙ୍କଠାରୁ ତାଙ୍କୁ ଦୂରେଇ ରଖାଯାଇଛି। ଏପରିକି ତାଙ୍କ ପିଲାଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିବା ପାଇଁ ସୁଯୋଗ ମଧ୍ୟ ଦେଉନଥିଲେ ତାଙ୍କ ଶ୍ୱଶୁର ଘର ଲୋକ।

ଏହାପରେ ସୁପ୍ରିମ୍‌କୋର୍ଟରେ ମାମଲା ଦାଏର କରିଥିଲେ ସାୟରା। ସେ ମୁସ୍‌ଲିମ୍‌ମାନଙ୍କ ଏହି ତିନି ତଲାକ ପ୍ରଥାକୁ ଚ୍ୟାଲେଞ୍ଜ କରିଥିଲେ କୋର୍ଟରେ। ସେ ଭାରତର ସମସ୍ତ ମୁସ୍‌ଲିମ୍ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ମଧ୍ୟ କରିଥିଲେ।

Comment