ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ଼ ନେଇଛି। ଚାରି ଦିନ ତଳେ ଉଷସୀ କଣିହାଁ ଥାନାରେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ଆଜି ଇନ୍ଦ୍ରମଣି ଉଷସୀଙ୍କ ନାଁରେ କରିଛନ୍ତି ପାଲଟା ଅଭିଯୋଗ। ଏପଟେ ପୋଲିସ ଇନ୍ଦ୍ରମଣିଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ତାଳଚେର ଯୁବ ସମାଜସେବୀ ସଙ୍ଗଠନ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛି।

ଅଭିନେତ୍ରୀ ଉଷସୀ ମିଶ୍ର ଆଣିଥିବା ଅସଦାଚରଣ ଅଭିଯୋଗ ଗୁରୁବାର ଭିନ୍ନ ମୋଡ଼ ନେଇଛି। ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ ଅନୁଗୁଳ ଜିଲ୍ଲା ଡେରଙ୍ଗଠାରେ ଇନ୍ଦ୍ରମଣି ସାହୁ ଏବଂ ତାଙ୍କ ଦୁଅ ଅସଦାଚରଣ କରିଥିବା ଉଷସୀ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କାଉଣ୍ଟର କରି ତାଳଚେର ଏସ୍‌ଡିଜେଏମ୍ କୋର୍ଟରେ ଇନ୍ଦ୍ରମଣି ପାଲଟା ଅଭିଯୋଗ କରିଛନ୍ତି।

ଇନ୍ଦ୍ରମଣି ଅଭିଯୋଗରେ ଦର୍ଶାଇଛନ୍ତି ଯେ ଉଷସୀଙ୍କୁ ଅସଦାଚରଣ କରି ନାହାନ୍ତି ସେ। ଉଷସୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ମାଡ଼ ମାରିବା ସହ ତଳେ ପକାଇ ହତ୍ୟା ଉଦ୍ୟମ କରିଥିଲେ। ଏଣୁ ସେ ସୁରକ୍ଷିତ ନଥିବାରୁ ସୁରକ୍ଷା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି।

ଉଷସୀ ଏବଂ ଇନ୍ଦ୍ରମଣିଙ୍କ ଅଭିଯୋଗରେ ତାଳମେଳ ରହୁ ନଥିବାରୁ କିଏ ସତ କହୁଛି ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଇନ୍ଦ୍ରମଣି କହିଛନ୍ତି, “୨୨ ତାରିଖ ରାତିରେ ମୁଁ ଯାତ୍ରା ଦେଖିବାକୁ ଯାଇଥିଲି। ଏହି ସମୟରେ ଉଷସୀ ତାଙ୍କ କାର୍ ପାର୍କିଂ କରୁଥିଲେ। ତାଙ୍କ କାର୍ ମୋ ଦେହରେ ବାଜିବାରୁ ମୁଁ ପାଟି କଲି। ହେଲେ ଏଥିରେ ଉତକ୍ଷୀପ୍ତ ହୋଇ ଉଷସୀ ମୋତେ ଗାଳି ଗୁଲଜ କରିବା ସହ କାର୍‌ରୁ ଓହ୍ଲାଇ ମାଡ଼ ମାରିଥିଲେ। ମୁଁ ତଳେ ପଡ଼ିଯାଇଥିଲି। ମୋ ପୁତୁରା ଏବଂ କିଛି ସ୍ଥାନୀୟ ଲୋକ ମୋତେ ଆସି ଉଦ୍ଧାର କରିଥିଲେ।”

୨୩ ତାରିଖରେ କିନ୍ତୁ ଉଷସୀ ଇନ୍ଦ୍ରମଣିଙ୍କ ନାଁରେ ଯେଉଁ ଅଭିଯୋଗ କରିଛନ୍ତି ସେଥିରେ ଭିନ୍ନ କଥା ଦର୍ଶାଇଛନ୍ତି। ଇନ୍ଦ୍ରମଣି ଏବଂ ତାଙ୍କର ଦୁଇ ପୁଅ ମୋତେ ଅସଦାଚରଣ କରିବା ସହ ଚୁଟି ଟାଣିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ଉଷସୀ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀ କରି ସୁରକ୍ଷା ଦାବି କରିଛନ୍ତି। କଣିହାଁ ଥାନାରେ ଉଷସୀ ଅଭିଯୋଗ କରିବା ପରେ ଅନୁଗୁଳ ପୋଲିସ ୩ ଜଣିଆ ଟିମ୍ ଗଠନ କରିଥିଲେ। ହେଲେ ଏଯାଏଁ ଇନ୍ଦ୍ରମଣିଙ୍କୁ ପୋଲିସ ଗିରଫ କରିନାହିଁ।

ଉଷସୀ ମିଶ୍ରଙ୍କୁ ଅସଦାଚରଣ କରିଥିବା ଇନ୍ଦ୍ରମଣି ସାହୁଙ୍କୁ ପୋଲିସ ଗିରଫ କରୁ ନଥିବାରୁ ପ୍ରତିବାଦ କରିଛି ତାଳଚେରର ଯୁବ ସମାଜସେବୀ ସଙ୍ଗଠନ। ଇନ୍ଦ୍ରମଣି ସାଂସଦଙ୍କ ପ୍ରତିନିଧି ହୋଇଥିବାରୁ ପୋଲିସ ଜାଣିଶୁଣି ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ସଙ୍ଗଠନ ଅଭିଯୋଗ କରିଛି। ଏନେଇ ସଙ୍ଗଠନ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛି।

“ସାଂସଦଙ୍କ କଣିହାଁ ପ୍ରତିନିଧି ଜଣେ ଅଭିନେତ୍ରୀଙ୍କ ଚୁଟି ଟାଣି ଅସଦାଚରଣ କରିଥିବାରୁ ତାଳଚେରର ନାଁ ବଦନାମ ହୋଇଛି। ଏହା ନିନ୍ଦନୀୟ ଘଟଣା। ବିଜେଡି ନାରୀଙ୍କୁ ସମ୍ମାନ ଦେଉଥିବା କହୁଥିବା ବେଳେ ଜଣେ ଅଭିନେତ୍ରୀଙ୍କ ଚୁଟି ଟାଣିବା କେୁଁ ପ୍ରକାର ସମ୍ମାନ? ଘଟଣାକୁ ୪ ଦିନ ପୂରିଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ପୋଲିସ ଉପରେ ଚାପ ପଡ଼ୁଛି”, କହିଛନ୍ତି ଯୁବ ସମାଜସେବୀ ସଙ୍ଗଠନ ସଭାପତି ସ୍ୱାଧୀନ ଥମ୍ବ।

Comment