ଓଡ଼ିଶାଲାଇଭ୍ ବ୍ୟୁରୋ

ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ମିହିର ଦାସ। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି ଓଡ଼ିଆଙ୍କ ମନରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିବା ମିହିର ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି।

ମିହିର ଦାସଙ୍କ ଅଭିନିତ ପ୍ରଥମ ମୁକ୍ତିଲାଭ କରିଥିବା ବ୍ୟବସାୟିକ ଫିଲ୍ମ ହେଉଛି ‘ରାମାୟାଣ’। ମିହିର ଦାସଙ୍କ ଅଭିନିତ ମୁକ୍ତି ଲାଭ କରିଥିବା ଶେଷ ଫିଲ୍ମ ହେଉଛି ‘ଗାଁର ନାଁ ଗାଲୁଆପୁର’। ଏହି ସିନେମାଟି ୨୦୨୧ ମସିହା ଅକ୍ଟୋବର ୧୫ ତାରିଖରେ ପରଦାକୁ ଆସିଥିଲା। ତାଙ୍କ ଜୀବନର ସମ୍ପୂର୍ଣ୍ଣ ହୋଇଥିବା ଶେଷ ସିନେମା ହେଉଛି ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ‘ଅଜାତି’। ଖୁବଶୀଘ୍ର ଏହି ଫିଲ୍ମଟି ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ‘ରାମାୟଣ’ ସିନେମା ମୁକ୍ତି ଲାଭ କରିବା ପୂର୍ବରୁ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ରେ ସେ ଅଭିନୟ ଆରମ୍ଭ କରିଥିଲେ। କିଡନୀ ରୋଗରେ ପୀଡ଼ିତ ହୋଇ ଏକ ମାସରୁ ଅଧିକ ସମୟ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ୬୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ମିହିର। ଏହା ପୂର୍ବରୁ ମଧ୍ୟ ସେ ହୃଦଘାତର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। କିଛି ଦିନ ଭେଣ୍ଟିଲେଟରରେ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

୧୯୫୮ ମସିହା ଫେବ୍ରୁଆରି ୧୧ ତାରିଖରେ ବାରିପଦାରେ ସେ ଜନ୍ମ ଗ୍ରହଣ କରିଥିଲେ ମିହିର ଦାସ। ତାଙ୍କର ପୈତୃକ ଘର ହେଉଛି ନୟାଗଡ଼ ଜିଲ୍ଲାରେ। ପିଲାଟି ବେଳରୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ସେ ଏକ ଆର୍ଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ଅଭିନୟ ଦକ୍ଷତା ଦେଖି ତାଙ୍କୁ ୧୯୭୯ ମସିହାରେ ଫିଲ୍ମ ‘ମଥୁରା ବିଜୟ’ ପାଇଁ ଡକରା ଆସିଥିଲା। ଏହା ତାଙ୍କ ଜୀବନର ପ୍ରଥମ ବ୍ୟବସାୟିକ ଫିଲ୍ମ ଥିଲା। ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ। ୨୦୨୧ ମସିହାରେ ତରଙ୍ଗ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ ଦେଇ ସମ୍ମାନିତ କରାଯାଇଥିଲା। ତାଙ୍କର ଶେଷ ଫିଲ୍ମ ଥିଲା ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ‘ଅଜାତି’।

‘ରାମାୟଣ’ ମୁକ୍ତି ଲାଭ କରିଥିବା ପ୍ରଥମ ସିନେମା

ମିହିର ଦାସଙ୍କ ଅଭିନିତ ପ୍ରଥମ ମୁକ୍ତିଲାଭ କରିଥିବା ବ୍ୟବସାୟିକ ଫିଲ୍ମ ହେଉଛି ‘ରାମାୟାଣ’। ଯାହା୧୯୮୦ ମସିହାରେ ମୁକ୍ତି ଲାଭ କରିଥିଲା। ରାମାୟଣ ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଚରିତ୍ରକୁ ନିଖୁଣ ଭାବେ ପୂରଣ କରିଥିଲେ। ସିନେ ଜଗତର ବହୁମୂଖୀ ପ୍ରତିଭାର ଅଧିକାରୀ ଥିଲେ ମିହିର ଦାସ। ସେ ଏମିତି ଜଣେ ପ୍ରତିଭା ଥିଲେ ଯିଏ ସବୁ ପ୍ରକାର ଚରିତ୍ରକୁ ବେଶ୍ ନିଖୁଣ ଭାବେ ସମ୍ପାଦନ କରୁଥିଲେ। ତାଙ୍କର ଦମଦାର ଅଭିୟନରେ ସିନେପ୍ରେମୀଙ୍କୁ ବାନ୍ଧି ରଖୁଥିଲେ। କେତେବେଳେ ଗମ୍ଭୀର ଚରିତ୍ରରେ ରହି ଲୋକଙ୍କୁ କନ୍ଦାଉ ଥିଲେ ତ କେତେ ବେଳେ କମେଡ଼ିଆନ ହୋଇ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଓଡ଼ିଆ ଫିଲ୍ମ ଜଗତର ସେ ହେଉଛନ୍ତି ଏକ ମାତ୍ର ଅଭିନେତା ଯିଏ ନାୟକ, ଖଳନାୟକ, କମେଡି, ସହକଳାକାର ଆଦି ଚଳିତ୍ରରେ ନିଜର ଅଭିନୟର ଯାଦୁ ଦେଖାଉଥିଲେ।

ବିଧାତା ପାଇଁ ଶ୍ରେଷ୍ଠ ଅଭିନେତା ସମ୍ମାନ

କେବଳ ଫିଲ୍ମ ନୁହେଁ ଧାରାବାହିକ ଏବଂ ନାଟକରେ ମଧ୍ୟ ନିଜର ଅଭିନୟର ଯାଦୁ ଝଲସାଇଛନ୍ତି ସେ। ନିଜର ଜୀବନ୍ତ ଅଭିନୟ ଯୋଗୁଁ ତାଙ୍କୁ ଅନେକ ସମ୍ମାନ ମିଳିଛି। ଅନେକ ଥର ସେ ଶ୍ରେଷ୍ଠ ଅଭିନେତାର ତାଜ ପିନ୍ଧିଛନ୍ତି। ୧୯୯୯ ମସିହାରେ ତାଙ୍କୁ ‘ବିଧାତା’ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ମିଳିଥିଲା। ୧୯୯୮ ମସିହାରେ ତାଙ୍କୁ ‘ଲକ୍ଷ୍ମୀ ପ୍ରତିମା’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ବିବେଚନା କରାଯାଇଥିଲା। ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ୨୦୦୫ ମସିହାରେ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ପାଇଁ ଶ୍ରେଷ୍ଠ ସହ କଳାକାର, ୨୦୧୦ରେ ‘ପ୍ରେମ ଅଢ଼େଇ ଅକ୍ଷର’ ପାଇଁ ତାଙ୍କୁ ଶ୍ରେଷ୍ଠ ସହଅଭିନେତା ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହା ସହ ତାଙ୍କୁ ୨୦୦୭ରେ ‘ମୁଁ ତୋତେ ଲଭ କରୁଛି’ ପାଇଁ ବେଷ୍ଟ କମେଡିଆନ ଆଓ୍ଵାର୍ଡ ମିଳିଥିଲା।

ଆର୍ଟ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ମିହିର

ପିଲାଟି ବେଳୁ ମିହିର ଦାସଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ଅଭିନୟ ପ୍ରତି ଋଚି ଯୋଗୁ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲା। ଆର୍ଟ ଫିଲ୍ମ ‘ସ୍କୁଲ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତା’ ପରେ ସେ ପଛକୁ ବୁଲି ଚାହିଁ ନଥିଲେ। ଏହା ପରେ ସେ ବ୍ୟବସାୟିକ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ଏହା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ହିଟ୍ ଫିଲ୍ମ ଦେଇ ଚାଲିଲେ। ଓଲିଉଡ ଜଗତରେ ସେ କା କା ନାଁରେ ବେଶ୍ ପରିଚିତ ଥିଲେ।

‘ମଥୁରା ବିଜୟ’ ପ୍ରଥମ ବ୍ୟବସାୟିକ ଫିଲ୍ମ

‘ମଥୁରା ବିଜୟ’ରୁ ସେ ବ୍ୟବସାୟିକ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ଏହା ପରେ ପରେ ୧୯୮୦ରେ ‘ରାମାୟଣ’, ୧୯୮୬ରେ ‘ଏଇ ଆମ ସଂସାର’, ୧୯୮୭ରେ ‘ଇଏ ତ ଦୁନିଆ’, ‘ଆକାଶର ଆଖିରେ’ ଅଭିନୟ କରିଥିଲେ। ୧୯୮୮ରେ ‘କନ୍ୟାଦାନ’, ୧୯୮୯ ‘ସାଗର ଏବଂ ପ୍ରତିଶୋଧ ଅପରାଧ ନୁହେଁ’, ୧୯୯୦ରେ ‘ହସ ଲୁହ ଭରା ଦୁନିଆ’, ‘ହିସାବ କରିବ କାଳିଆ’, ‘ପରଦେଶୀ ଚଢ଼େଇ’ ଏବଂ ‘କାଳିଆ ଭରସା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୯୧ରେ ‘କି ହେବ ସୁଆ ପୋସିଲେ’ ଏବଂ ‘ପ୍ରିତିର ଇତିରେ’ ଦାମଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ।

‘ପୁଅ ମୋର ଭୋଳାଶଙ୍କର’ରୁ ସେ ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ୨୦୧୮ରେ ‘ତୁ ମୋ ଲଭ ଷ୍ଟୋରି’ ଓ ‘ସିଷ୍ଟର ଶ୍ରୀଦେବୀ’, ୨୦୧୭ରେ ‘ଅଭୟ’, ‘ହିରୋ ନଂ ୧’, ‘ରୋମିଓ ଜୁଲିଅଟ’, ୧୯୯୮ରେ ‘ସହର ଜଳୁଛି’, ‘ସୌଭାଗ୍ୟବତୀ’, ‘ବୋଉ’, ‘ପବିତ୍ର ବନ୍ଧନ’, ‘ଲକ୍ଷ୍ମୀର ଅଭିସାର’, ୧୯୯୭ରେ ‘ଭୁଲ କାହାର’, ‘ଗଙ୍ଗା ଜମୁନା’, ୧୯୯୬ ‘ଜୀବନ ଧାରା’ ଓ ‘ସୁହାଗ ସିନ୍ଦୁର’, ୧୯୯୪ରେ ‘ଗଢ଼ି ଜାଣିଲେ ଘର ସୁନ୍ଦର’, ‘ମହୁଆ’, ‘ମୁକ୍ତି ମଶାଲ’, ‘ଅନୁପମା’ ଓ ‘ଭାଗ୍ୟହାତେ ଡୋରି’।

୨୦୦୦ରେ ‘ପ୍ରେମ ବନ୍ଧନ’, ‘ହରି ଭାଇ ହାରେନା’, ‘ସମୟ ଚକରେ ସଂସାର ରଥ’, ୨୦୦୧ରେ ‘ଧର୍ମ ଦେବତା’, ୨୦୦୫ରେ ‘ଟୋପାଏ ସିନ୍ଦୁର ଦି ଟୋପା ଲୁହ’ ଓ ‘ଜୀବନ ମୃତ୍ୟୁ’, ୨୦୦୭ରେ ‘ଏ ମନ ମାନେନା’, ‘ଫେରିଆ ମୋ ସୁନା ଭଉଣୀ’ ଓ ‘ସମୟ ହାତରେ ଡୋରି’। ଯେଉଁ ଚଳିଚ୍ଚିତ୍ରରେ ସେ ଅଭିନୟ କରୁଥିଲେ, ତାକୁ ଅତ୍ୟନ୍ତ ଜୀବନ୍ତ କରିପକାଉଥିଲେ।

୨୦୧୦ରେ ପତ୍ନୀଙ୍କୁ ହରାଇଥିଲେ ମିହିର

ରେଭେନ୍ସାରେ ପାଠପଢ଼ିବା ସମୟରେ ମିହିର ପ୍ରସିଦ୍ଧ ଗାୟକ ଚିତ୍ତ ଜେନାଙ୍କ ଝିଅ ସଂଗୀତା ଜେନାଙ୍କୁ ଭଲ ପାଇବସିଲେ। ଉଭୟଙ୍କ ସମ୍ପର୍କକୁ ଚିତ୍ତ ଜେନା ପସନ୍ଦ କରୁନଥିଲେ। ମିହିରଙ୍କଠାରୁ ଦୂରେଇ ରହିବାକୁ ସେ ନିଜ ଝିଅକୁ ବୁଝାଉଥିଲେ। ଏପରିକି ମିହିର ଏବଂ ସଂଗୀତାଙ୍କୁ ଅଲଗା କରିବା ପାଇଁ ଚିତ୍ତ ଜେନା ଚାପ ପକାଇଥିଲେ।

ଶେଷରେ ମିହିର ଦାସ ସଂଗୀତା ଜେନାଙ୍କୁ ବିବାହ କରିଥିଲେ। ସଂଗୀତା ଜେନା ପରବର୍ତ୍ତୀ ସମୟରେ ସଂଗୀତା ଦାସ ହୋଇଥିଲେ। ଉଭୟ ଅଭିନୟ ଏବଂ କଣ୍ଠଶିଳ୍ପୀ ଭାବେ ତାଙ୍କର ବେଶ୍ ନାଁ ରହିଥିଲା। ୨୦୧୦ ମସିହାରେ ସଂଗୀତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମିହିର ଏବଂ ସଂଗୀତାଙ୍କର ପୁଅ ଅମ୍ଲାନ ଦାସ ମଧ୍ୟ ଓଲିଉଡର ଜଣେ ଆଗଧାଡ଼ିର ଅଭିନେତା।

କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ମିହିରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ସେ ଅଭିନୟ ଜଗତରେ ସକ୍ରିୟ ରହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମିହିର ଦାସଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି।

Comment