ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇ ଭଉଣୀଙ୍କ ସ୍ନେହ ଏବଂ ସମ୍ପର୍କର ଅତୁଟ ସମ୍ପର୍କର ପର୍ବ ରକ୍ଷା ବନ୍ଧନ କେବଳ ଆମ ପରମ୍ପରାରେ ସୀମିତ ହୋଇ ରହିନାହିଁ। ଏହି ପବିତ୍ର ସମ୍ପର୍କ ଉପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଛି। ଆସନ୍ତୁ ଜାଣିବା ସେହି ଫିଲ୍ମ ସମ୍ପର୍କରେ…

ପ୍ରଖ୍ୟାତ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ଓ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ତ ଦୁନିଆ’ରେ ବଡ଼ଭଉଣୀ କିଭଳି ନିଜ ସାନ ଭାଇ ଭଉଣୀମାନଙ୍କୁ ମଣିଷ କରିବା ପାଇଁ ନିଜର ସୁଖ ତ୍ୟାଗ କରିଛି, ତାହା ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅନିତା ଦାସ ବଡ଼ ଭଉଣୀ ଭୂମିକାରେ ଓ ସାନ ଭାଇ ଭୂମିକାରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି ଓ ମିହିର ଦାସ ଅଭିନୟ କରିଥିଲେ। ଏଥିରେ ଭାଇ-ଭଉଣୀଙ୍କ ରକ୍ଷାବନ୍ଧନ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ଚଳଚ୍ଚିତ୍ର ‘ଏଇତ ଦୁନିଆ’ରେ ଭାଇଭଉଣୀଙ୍କ ଅନାବିଳ ସ୍ନେହ ଉପରେ ଆଧାରିତ ଏକ ଗୀତ ‘ବଳଦେବଜୀଉ ସିନା ବଡ଼ ଠାକୁର, ଆମ ପାଇଁ ବଡ଼ ଏହି ଅପା ଆମର…’ ମଧ୍ୟ ସ୍ଥାନିତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି।ଠିକ୍ ସେହିପରି ମହସୀନଙ୍କ ଦ୍ୱିଭାଷୀ ଫିଲ୍ମ ‘ବିଧିର ବିଧାନ’ରେ ମଧ୍ୟ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧୁଥିବାର ଦୃଶ୍ୟ ସଂଯୋଜିତ ହୋଇଥିଲା।

ପ୍ରଯୋଜକ ସୁବ୍ରତ ସାମନ୍ତରାୟ ଓ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କ ଫିଲ୍ମ ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ମଧ୍ୟ ଭାଇ-ଭଉଣୀଙ୍କ କାହାଣୀ ଉପରେ ଆଧାରିତ ଥିଲା। ଏଥିରେ ବିଜୟ ମହାନ୍ତି ବଡ଼ଭାଇ ଓ ରଚନା ବାନାର୍ଜୀ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହାର କାହାଣୀ ଏତେ ଭାବପ୍ରବଣ ଥିଲା ଯେ, ଦର୍ଶକଙ୍କ ମନକୁ ତାହା ଛୁଇଁପାରିଥିଲା। ଭଉଣୀ ପାଇଁ ଭାଇର ତ୍ୟାଗକୁ ଯେଉଁଭଳି ଭାବେ ଦର୍ଶାଯାଇଥିଲା ତାହା ଭୁଲି ହେବ ନାହିଁ।

ବାସୁ ତ୍ରିପାଠୀଙ୍କ ପ୍ରଯୋଜିତ ଓ ପ୍ରଭାକରଙ୍କ ନିର୍ଦ୍ଦେଶିତ ସିନେମା ‘ସୁଭଦ୍ରା’ରେ ଭାଇଭଉଣୀଙ୍କ କାହାଣୀ ଥିଲା। ଏଥିରେ ଅପରାଜିତା ଏଭଳି ଜଣେ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଯିଏକି ନିଜ ସାନଭାଇମାନଙ୍କୁ ମଣିଷ କରିବା ପାଇଁ ନିଜେ ମା’ ହୋଇନଥିଲେ। ଏଥିରେ ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକ ‘ଆମ ଅପା ପରି କିଏ ସେ ହେବ’ ଗୀତ ମଧ୍ୟ ରଖିଥିଲେ।

ରତିକାନ୍ତ କାନୁନଗୋଙ୍କ ପ୍ରଯୋଜିତ ଓ ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ସିନେମାର ନାମକରଣରୁ ହିଁ ଜଣାଯାଏ ଯେ ଏହାର କଥାବସ୍ତୁ ମଧ୍ୟ ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଆଧାରିତ। ଅଭିନେତା ମିହିର ଦାସ ଏଥିରେ ଭାଇ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଭଉଣୀ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ଏହି ଫିଲ୍ମଟି ମଧ୍ୟ ସୁପରହିଟ୍ ହୋଇଥିଲା।

ବିନୟ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସୁପରହିଟ୍ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରେ ମଧ୍ୟ ଭାଇ-ଭଉଣୀର ସମ୍ପର୍କ କଥା ଥିଲା। ଏହି ଚଳଚ୍ଚିତ୍ରର ଶୀର୍ଷକ ଗୀତରେ ଭାଇ-ଭଉଣୀଙ୍କ ରାକ୍ଷୀ ବାନ୍ଧିବା ଦୃଶ୍ୟ ବି ଥିଲା। ଏଥିରେ ମିଥୁନ ଚକ୍ରବର୍ତ୍ତୀ ଓ ଉଷଶୀ ମିଶ୍ର ଭାଇଭଉଣୀ ଭୂମିକାରେ ଥିଲେ।

ଠିକ୍ ସେହିପରି ବିଜୟ ନାୟକଙ୍କ ପ୍ରଯୋଜିତ ଓ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ମେଗା ବଜେଟ୍ ଫିଲ୍ମ ‘ଡନ୍’ରେ ମଧ୍ୟ ବିଷୟବସ୍ତୁ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କ ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ଭାଇଭଉଣୀଙ୍କ ଉପରେ ‘ଖୁସିଲୋ ଖୁସି…’ ଗୀତ ସ୍ଥାନିତ ହୋଇଥିଲା।

ଶୈଳାବାଳା ଲେଙ୍କା ଓ ହର ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ସାଥୀରେ’ ଏକ ପ୍ରେମ କାହାଣୀ ଭିତ୍ତିକ ସିନେମା ହୋଇଥିଲେ ହେଁ ଏଥିରେ ଗୋଟିଏ ଟ୍ରାକରେ ଥିଲା ଭାଇ-ଭଉଣୀଙ୍କ ସମ୍ପର୍କ। ଏଥିରେ ଭାଇ (ଦୀପକ ପରିଡ଼ା) ଓ ତାଙ୍କ ତିନି ଭଉଣୀଙ୍କ ଉପରେ ‘ରାକ୍ଷୀ ବାନ୍ଧି ତୁ ରହିଲୁ ସାକ୍ଷୀ…’ ଗୀତ ଥିଲା।

ରଣଜିତ୍‌ ମହାନ୍ତିଙ୍କ ନିର୍ଦେଶିତ ‘ଫେରିଆ ମୋ ସୁନାଭଉଣୀ’ରେ ମଧ୍ୟ ଭାଇଭଉଣୀଙ୍କ ସମ୍ପର୍କ ହିଁ ମୁଖ୍ୟ ପ୍ରସଙ୍ଗ ଥିଲା। ଏଥିରେ ମିହିର ଦାସ ଭାଇ ଓ ଜୀନା ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ଭାଇଭଉଣୀଙ୍କ ଉପରେ ଗୋଟିଏ ଗୀତ ଥିଲା। ତାହା ହେଲା- ‘ତୋ ଦେହେ ଖରା ତ ବାଜିବ ନାହିଁ, ବାଦଲ ସାଜି ତତେ ଦେବି ମୁଁ ଛାଇ…’।

ଓଡ଼ିଆ ଚଳଚ୍ଚିତ୍ର ‘ସମୟ ହାତେ ଡୋରି’ରେ ମଧ୍ୟ ଭାଇଭଉଣୀଙ୍କ ଅନାବିଳ ସ୍ନେହ ଭାବ ପ୍ରଦର୍ଶିତ ହୋଇଥିଲା। ଏଥିରେ ଶିଶୁ କଳାକାର ସ୍ୱରାଜ, ସିଦ୍ଧାନ୍ତ ମହାପାତ୍ର ଓ ଅନୁଚୌଧୁରୀଙ୍କ ଉପରେ ‘ମୋ ହାତରେ ବାନ୍ଧିଲୁ ରାକ୍ଷୀ…’ ଗୀତ ପିକ୍ଚରାଇଜ୍‌ ହୋଇଥିଲା। ଠିକ୍ ସେହିପରି ‘ଶାସ୍ତି’ ଓ ‘ମୋ ଭାଇ ଜଗା’ ଚଳଚ୍ଚିତ୍ରରେ ମଧ୍ୟ ରାକ୍ଷୀର ଗୁରୁତ୍ୱ ଦର୍ଶାଯାଇଥିଲା।

Tags: #Rakhi #Ollywood #RakshyaBandhan #RakhiPurnima #OdiaCinema #ରାକ୍ଷୀ

Comment