ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରୁ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ଶ୍ରୀରାମ ପଣ୍ଡା।

୧୯୭୩ ମସିହା ଥିଲା ଓଡ଼ିଆ ଚଳଚ୍ଚିତ୍ର ପାଇଁ ଉଲ୍ଲେଖନୀୟ ବର୍ଷ। ସେହି ବର୍ଷ ମାତ୍ର ଦୁଇଟି ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ବକ୍ସ ଅଫିସରେ ସେଗୁଡ଼ିକ ଖୁବ୍ ସଫଳତା ମଧ୍ୟ ହାସଲ କରିଥିଲା।

ନିତ୍ୟାନନ୍ଦ ଓରଫ ନିତାଇ ପାଲିତଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ ୧୯୭୩ ମସିହା ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିଲା। ‘ଧରିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ଥିଲେ ଶ୍ରୀରାମ ପଣ୍ଡା, ଧିର ବିଶ୍ୱାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସନ୍ଧ୍ୟା ଆଚାର୍ଯ୍ୟ, ଭାନୁମତୀ ଦେବୀ ଓ ଭୀମ ସିଂ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ତେଜ, ଶ୍ୟାମଳେନ୍ଦୁ, ଦୀନବନ୍ଧୁ ଓ ବାବାଜୀ ସାହୁ, ନରେନ୍ଦ୍ର ବେହେରା, ଅନିମା ପେଦିନି ଓ ଅଳ୍ପନା ନାୟକ ଏଥିରେ ନିଖୁଣ ଅଭିନୟ କରିଥିଲେ। ଶ୍ରୀରାମ ପଣ୍ଡା ଏହି ଚଳଚ୍ଚିତ୍ର ରୁ ହିଁ ତାଙ୍କର ସିନେମା କ୍ୟାରିୟର ଆରମ୍ଭ କରିଥିଲେ।

ଏହି ଚଳଚ୍ଚିତ୍ରର ସଙ୍ଗୀତକାର ଥିଲେ ଉପେନ୍ଦ୍ର କୁମାର। ପ୍ରଚ୍ଛଦପଟ ଗାୟକ ଥିଲେ ସିକନ୍ଦର ଆଲାମ, ସିପ୍ରା ବୋଷ, ଶ୍ୟାମଳ ମିତ୍ର ଓ ଚିତ୍ତରଞ୍ଜନ ଜେନା। ଧରିତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ଖୁବ୍ ମନଛୁଆଁ ହୋଇପାରିଥିଲା। ‘ପିରତି ତୋର ଦୂରୁ ଜୁହାର…’ ( ବୃନ୍ଦାବନ ଜେନା /ଚିତ୍ତ ଜେନା ଓ ସିପ୍ରା ବୋଷ), ‘ସପନର ପଥେ ପଥେ…’ (ଶିବବ୍ରତ ଦାସ /ସିକନ୍ଦର ଆଲାମ), ‘ସ୍ଵର୍ଗାଦପି ଗରୀୟସି ଜନନୀ ମା’ ଧରିତ୍ରୀ…’ (ଶିବବ୍ରତ ଦାସ/ ଶ୍ୟାମଳ ମିତ୍ର ) ତଥା ‘ମୋହନ ହେ ମୋହନ…’ (ନାରାୟଣ ପ୍ରସାଦ ସିଂହ/ ନିର୍ମଳା ମିଶ୍ର) ଆଜି ବି ସ୍ମୃତିରେ ରହିଛି।

‘ଧରିତ୍ରୀ’ ସାମାଜିକ କାହାଣୀ ଉପରେ ପର୍ଯ୍ୟବସିତ। ଅମୂଲ୍ୟ କୁମାରୀ ପଟ୍ଟନାୟକଙ୍କ ‘ଧରିତ୍ରୀ’ ଶୀର୍ଷକ ଉପନ୍ୟାସରୁ ନିର୍ମିତ ଏହି ଚଳଚ୍ଚିତ୍ର ବହୁ ପୁରସ୍କାର ପ୍ରାପ୍ତ କରିଛି। ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ନିର୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ‘ଧରିତ୍ରୀ’।

ସେହି ବର୍ଷ ଗୋପାଳ ଘୋଷ ଓ ବ୍ୟୋମକେଶ ତ୍ରିପାଠୀଙ୍କ ମିଳିତ ନିର୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ‘ଘର ସଂସାର’ ମଧ୍ୟ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ।

Tags: #Entertainment #OdiaCinema #Ollywood #Dharitree

LEAVE A REPLY

Please enter your comment!
Please enter your name here